ଚାକିରିରୁ ମିଳିଥିଲା ଛୁଟି; ପିଲାଙ୍କୁ ନେଇ ବୁଲିବାକୁ ଯାଉଥିଲେ ମା’, ଷ୍ଟେସନରେ ଚାଲିଗଲା ଜୀବନ

ନିଜ ପରିବାର ସହ ଛୁଟି କଟାଇବା ପାଇଁ ଜଣେ ୩୫ ବର୍ଷୀୟ ଶିକ୍ଷୟିତ୍ରୀ ରବିବାର ଦିନ କୌଣସି ସ୍ଥାନକୁ ଯାତ୍ରା କରିବାକୁ ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଆସିଥିଲେ । ସେଠାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି ।

Teacher death

ପିଲାମାନଙ୍କ ସାମ୍ନାରେ ଚାଲିଗଲା ମା’ର ଜୀବନ । ପ୍ରଶାସନର ଟିକିଏ ଅସାବଧାନତା ଯୋଗୁଁ ଗୋଟିଏ ନୀରିହ ଜୀବନ ଚାଲିଯାଇଛି । ସ୍କୁଲ ଛୁଟିଥିବାରୁ ପିଲାମାନଙ୍କୁ ଧରି ଜଣେ ଶିକ୍ଷୟିତ୍ର ବୁଲିବାକୁ ଯିବାବେଳେ ଏପରି ଏକ ଅଘଟଣ ଘଟିଛି । ରେଲୱେ ଷ୍ଟେସନ ନିକଟରେ ଥିବା ଏକ ଇଲେକ୍ଟ୍ରିକ୍‌ ଖୁଣ୍ଟ ନେଇଯାଇଛି ଜଣେ ମା’ର ଜୀବନ । ଆଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇ ପିଲା ।

ସୂଚନା ମୁତାବକ ନିଜ ପରିବାର ସହ ଛୁଟି କଟାଇବା ପାଇଁ ଜଣେ ୩୫ ବର୍ଷୀୟ ଶିକ୍ଷୟିତ୍ରୀ ରବିବାର ଦିନ କୌଣସି ସ୍ଥାନକୁ ଯାତ୍ରା କରିବାକୁ ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଆସିଥିଲେ । ସେଠାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି, ମହିଳା ଜଣକ ଷ୍ଟେସନକୁ ଯିବା ସମୟରେ ବାଟରେ କିଛି ବର୍ଷା ପାଣି ପଡ଼ିଥିଲା ।

ପାଣି ଭିତରେ ସେ ନପଶି ସୁରକ୍ଷିତ ଭାବେ ଯିବାକୁ ନିକଟରେ ଥିବା ଏକ ଇଲେକ୍ଟ୍ରିକ୍‌ ଖୁଣ୍ଟର ସହାୟତା ନେଇଥିଲେ । ହେଲେ ସେହି ଇଲେକ୍ଟ୍ରିକ୍‌ ଖୁଣ୍ଟଟି ଚାର୍ଜ ହୋଇଥିବାରୁ ସେଠାରେ ତାଙ୍କ ଜୀବନ ଚାଲିଯାଇଥିଲା । ମହିଳାଙ୍କୁ ବଞ୍ଚାଇବାକୁ ନିକଟରେ ଥିବା ସମ୍ପର୍କୀୟ ଓ ଅନ୍ୟ ଲୋକମାନେ ସାହାଯ୍ୟ କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ହେଲେ ଠିକ୍‌ ସମୟରେ ତାଙ୍କର ୯ ବର୍ଷର ପୁଅ ଓ ୭ ବର୍ଷର ଝିଅକୁ ରକ୍ଷା କରାଯାଇଥିବାରୁ ସେମାନଙ୍କ ଜୀବନ ବଞ୍ଚିଯାଇଛି । ଘଟଣାକୁ ନେଇ ରେଳ ବିଭାଗ ପ୍ରତିକ୍ରିୟା ରଖିଛି । ଅବହେଳା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛି । ଏଥି ପାଇଁ ଏକ ମାମଲା ରୁଜୁ କରାଯାଇଥିବା କୁହାଯାଇଛି ।

ମୃତ ଶିକ୍ଷୟିତ୍ରୀ ଜଣକ ପୂର୍ବ ଦିଲ୍ଲୀର ପ୍ରୀତିବିହାରର ବାସିନ୍ଦା । ଲକ୍ଷ୍ମୀ ନଗରର ଏକ ବିଦ୍ୟାଳୟରେ ସେ ଶିକ୍ଷାଦାନ କରନ୍ତି । ସେ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଚଣ୍ଡିଗଡ଼କୁ ଯିବାପାଇଁ ତାଙ୍କ ପରିବାର ସହ ରବିବାର ଦିନ ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଷ୍ଟେସନକୁ ଆସିଥିଲେ । ସେହି ସମୟରେ ଏହି ଅଘଟଣ ଘଟିଛି । ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବାବେଳେ ମହିଳାଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।