• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଶ୍ୱାସ, ଭରସା ଆଉ ସଂପର୍କ ଆଧାରରେ ଘରେ ରହୁଥିବା ଜଣେ ବାପ ଛେଉଣ୍ଡ ନାବାଳିକା ପ୍ରତି ଯେଉଁ ବର୍ବରକାଣ୍ଡ ଘଟିଛି ରାଜଧାନୀ ଦିଲ୍ଲୀରେ, ଆଜି ମୁଣ୍ଡ ନଇଁଯାଇଛି ସମସ୍ତଙ୍କର । ଦିଲ୍ଲୀ ସରକାରଙ୍କର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଡେପୁଟୀ ନିର୍ଦ୍ଦେଶକ ନାବାଳିକା ଝିଅଟିକୁ ମାସ ମାସ ଧରି ଦୁଷ୍କର୍ମ କରିବା ଓ ପରେ ପତ୍ନୀ ସହ ମିଶି ଗର୍ଭପାତ କରାଇବା ଭଳି ଲୋମଟାଙ୍କୁରା ଘଟଣା ସଭ୍ୟ ସମାଜକୁ ଲଜ୍ଜିତ କରିଛି ।

ଯିଏ ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ନିଯୁକ୍ତ, ସେଭଳି ଜଣେ ସରକାରୀ କର୍ମଚାରୀ ଏଭଳି କାଣ୍ଡ ଭିଆଇବା ପରେ ଏହାକୁ ନେଇ ଦେଶବ୍ୟାପି କଂପନ ସୃଷ୍ଟି ହୋଇଛି । ସଂପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ  କରାଯାଇଥିବାବେଳେ ପୋଲିସ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରି ଖୋଳତାଡ଼ କରୁଛି ।

ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ..ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସରେ ଅଙ୍କଲ୍ ଡାକୁଥିବା ଝିଅ ସହ ଆଜି ଯାହା ଘଟିଯାଇଛି, ନା କେହି କଳନା କରିଥିବେ ନା କେହି ସ୍ୱପ୍ନରେ ଭାବିଥିବେ । ନାବାଳିକା ଝିଅଟିକୁ ମାସ ମାସ ଧରି ଦୁଷ୍କର୍ମ । ଆଉ ତା’ ପରେ ଔଷଧ ଖୁଆଇ ଗର୍ଭପାତ ଅଭିଯୋଗ । ଦିଲ୍ଲୀ ସରକାରଙ୍କ ସରକାରୀ ଅଧିକାରୀଙ୍କ ଦ୍ୱାରା ଘଟିଛି ସାଂଘାତିକ ଘଟଣା ।

ନାଁ ପ୍ରେମୋଦୟ ଖାଖା । ପଦବୀ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଡେପୁଟୀ ନିର୍ଦ୍ଦେଶକ । ବିଶ୍ୱାସ ଆଉ ଭରସାରେ ଯେଉଁ ବାପଛେଉଣ୍ଡ ଝିଅକୁ ଘରେ ଛାଡ଼ିଯାଇଥିଲେ ମା’, ସେହି ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରି ଆସୁଥିଲେ ପ୍ରେମୋଦୟ ଖାଖା । ଆଉ ତାହାରି ଭିତରେ ପତ୍ନୀଙ୍କ ସହାୟତାରେ ଔଷଧ ଖୁଆଇ ପ୍ରେମୋଦୟ ଖାଖା ନାବାଳିକାଟିର ଗର୍ଭପାତ କରାଇଥିବା ଅଭିଯୋଗ ଆସିଛି । ଆଉ ଏହି ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପ୍ରେମୋଦୟ ଏବଂ ତାଙ୍କ ପତ୍ନୀଙ୍କୁ ଧରି ତଦନ୍ତ ଜାରି ରଖିଛି ଦିଲ୍ଲୀ ପୋଲିସ ।

ସଭ୍ୟ ସମାଜକୁ ନିନ୍ଦିତ କଲା ଭଳି ଏହି ଜଘନ୍ୟ କାହାଣୀ ଆରମ୍ଭ ହୋଇଥିଲା ୨୦୨୦ରୁ । ସେତେବେଳେ ଏହି ନାବାଳିକାର ବୟସ ଥିଲା ମାତ୍ର ୧୪ ବର୍ଷ । ସେହି ସମୟରେ ଏକ ଚର୍ଚ୍ଚରେ ପ୍ରେମୋଦୟ ଖାଖାଙ୍କ ସହ ସଂପୃକ୍ତ ନାବାଳିକାଙ୍କ ବାପା, ମା’ଙ୍କ ପରିଚୟ ହୋଇଥିଲା । ସେହି ପରିଚୟରୁ ଉଭୟ ପରିବାର  ମଧ୍ୟରେ ଘନିଷ୍ଠ ହେଲା ସଂପର୍କ ।

ଘଟଣାକ୍ରମେ ନାବାଳିକାଙ୍କ ବାପାଙ୍କ ଦେହାନ୍ତ ହେବା ପରେ ଝିଅକୁ ନେଇ ଚିନ୍ତାରେ ଥିଲେ ମା’ । କିନ୍ତୁ ପାଠ ପଢ଼ିବ ଓ ଭଲରେ ରହିବ ବୋଲି ପ୍ରସ୍ତାବ ଦେବା ପରେ ସଂପୃକ୍ତ ନାବାଳିକାଙ୍କ ମା’ ହଁ ଭରି ପ୍ରେମୋଦୟଙ୍କ ଘରେ ଛାଡ଼ିଦେଇ ଆସିଥିଲେ । ଏହାର ୪ ମାସ ପରେ ସଂପୃକ୍ତ ନାବାଳିକା ପ୍ରତି ଲୋଲୁପ ଦୃଷ୍ଟି ପକାଇଥିଲେ ପ୍ରେମୋଦୟ । ଆଉ ୧୪ ବର୍ଷିୟା ଝିଅ ସହ କରିଚାଲିଥିଲେ ଦୁଷ୍କର୍ମ । ତାହାରି ଭିତରେ ଗର୍ଭପାତ ବି କରାଇଥିଲେ ।

ତେବେ ୨୦୨୧ ଜାନୁୟାରୀରେ ନାବାଳିକାଟି ମା’ପାଖକୁ ଆସିବା ପରେ ଧରାପଡ଼ିଯାଇଥିଲା ସବୁକିଛି । ଶାରିରୀକ ଏବଂ ମାନସିକ ଭାବେ ପ୍ରାୟତଃ ନିରବ ନିଶ୍ଚଳ ରହୁଥିବାରୁ ମେଡ଼ିକାଲ ନେଇ କାଉନସେଲିଂ କରାଇଥିଲେ ମା’ । ଆଉ କାଉନସେଲିଂ ପରେ ଖୋଲିଯାଇଥିଲା ପ୍ରେମୋଦୟଙ୍କ ପାପକର୍ମର ପେଡ଼ି । ଏବେ ପ୍ରେମୋଦୟଙ୍କୁ ଚାକିରୀରୁ ନିଲମ୍ବିତ କରାଯିବା ସହ ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଏହି ଘଟଣା ପରେ ସଂପକ୍ତ ନାବାଳିକା ଓ ତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା । ତେବେ ପୀଡିତାଙ୍କୁ ଭେଟିବା ପାଇଁ ଅନୁମତି ନଦେବାରୁ ଏଥିରେ କ୍ଷୁବ୍ଧ ହୋଇ ଧାରଣା ଦେଇଥିଲେ । ଗତ ନଭେମ୍ବରରେ ପ୍ରେମିକାକୁ ୩୫ ଖଣ୍ଡ କରିଥିବା ଲିଭ୍ ଇନ ପାର୍ଟନର ବର୍ବରକାଣ୍ଡକୁ ଦିଲ୍ଲୀବାସୀ ଭୁଲି ପାରିନଥିବାବେଳେ ଏବେ ଜଣେ ସରକାରୀ ବାବୁଙ୍କ ନୃଶଂସ କାଣ୍ଡ, ସଭ୍ୟ ସମାଜକୁ ଦୋହଲାଇଦେଇଛି ।