• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭାରତରେ ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ସ୍ୱୀକୃତି । ଆଜି ସୁପ୍ରିମକୋର୍ଟରେ ଆସିବ ରାୟ । ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ପ୍ରକାଶ କରିବେ । ଗତ ଏପ୍ରିଲ ୧୧ ତାରିଖରେ ସାମ୍ବିଧାନିକ ବେଂଚ ଏହା ଉପରେ ହୋଇଥିବା ଆବେଦନର ଶୁଣାଣି ଆରମ୍ଭ କରିଥିଲେ ଏବଂ ଗତ ମେ ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । 

ସୁପ୍ରିମକୋର୍ଟ ଏନେଇ ଆଗତ ପ୍ରାୟ ୨୧ ଟି ପିଟିସନର ଏକାଠି ଶୁଣାଣି କରିଥିଲେ । ଆବେଦନକାରୀ ଏହାକୁ ସ୍ୱତନ୍ତ୍ର ବିବାହ ଆଇନରେ ପଞ୍ଜୀକରଣ କରିବାକୁ ଦାବି କରିଛନ୍ତି । ୨୦୧୮ରେ ସୁପ୍ରିମକୋର୍ଟଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ଆଇପିସିର ଧାରା ୩୭୭କୁ ରଦ୍ଦ କରିଦେଇଥିଲେ । ଯାହା ଫଳରେ ସହମତିରେ ଦୁଇ ପ୍ରାପ୍ତ ବୟସ୍କ ସମଲିଙ୍ଗୀ ନିଜ ଭିତରେ ସମ୍ପର୍କ ରଖିଲେ ତାକୁ ଅପରାଧ କୁହାଯିବ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

ଏଭଳି ସ୍ଥିତିରେ ସମଲିଙ୍ଗୀ ବିବାହକୁ ମଧ୍ୟ ଆଇନଗତ ମାନ୍ୟତା ମିଳିବା ଦରକାର ବୋଲି ସେମାନେ ଦାବି କରୁଛନ୍ତି । ସମଲିଙ୍ଗୀ ବିବାହକୁ ବର୍ତ୍ତମାନ ପ୍ରଚଳିତ ଥିବା ବିବାହ ପରି ମାନ୍ୟତା ଦେବାକୁ ନେଇ କେନ୍ଦ୍ର ସରକାର ପ୍ରଶ୍ନ ଉଠାଇଛନ୍ତି । ଏହାଦ୍ୱାରା ସମସ୍ତ ନାଗରିକଙ୍କ ସ୍ୱାର୍ଥ ପ୍ରଭାବିତ ହେବ । ଯଦି କୋର୍ଟଙ୍କ ପକ୍ଷରୁ ସମଲିଙ୍ଗୀ ବିବାହକୁ ଆଇନତଃ ଅନୁମତି ମିଳେ ତେବେ ଆଇନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ପଡ଼ିପାରେ ବୋଲି ଯୁକ୍ତି ରଖିଛି କେନ୍ଦ୍ର ।

ତେଣୁ ସମଲିଙ୍ଗୀ ବିବାହକୁ ନେଇ ଏଭଳି ସାର୍ବଜନୀନ ନିଷ୍ପତ୍ତି ନେବାରୁ କୋର୍ଟଙ୍କୁ କ୍ଷାନ୍ତ ହେବାକୁ କେନ୍ଦ୍ର ସରକାର କହିଛନ୍ତି । ବିବାହାକୁ ନେଇ ଆମର କିଛି ମାନ୍ୟତା ରହିଛି, ଯାହାକୁ ସାରା ବିଶ୍ୱରେ ଗ୍ରହଣ କରାଯାଇଛି । ଏପରିକି ସବୁ ଧର୍ମରେ ଏହାକୁ ମାନ୍ୟତା ମିଳିଛି । ହିନ୍ଦୁ ଧର୍ମରେ ଏହାକୁ ପବିତ୍ର ବୋଲି ବିବେଚନା କରାଯାଉଛି । ଇସଲାମ ଧର୍ମରେ କେବଳ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିବାହକୁ ମାନ୍ୟତା ମିଳିଛି ବୋଲି କେନ୍ଦ୍ର ସରକାର କୋର୍ଟରେ ଯୁକ୍ତି ରଖିଛନ୍ତି ।