Advertisment

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା; ଗୁରୁବାର ସୁଦ୍ଧା ରିପୋର୍ଟ ଦେବାକୁ CBIକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା । ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ କଲେ 10 ଜଣିଆ ଟାସ୍କଫୋର୍ସ ।

author-image
Satyendu Shekher Mishra
Supreme Court

Supreme Court

ଦେଶର ଅନ୍ତରାତ୍ମାକୁ ଦୋହଲାଇ ଦେଇଥିବା କୋଲକାତାର ଅଭୟାକାଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ, ଭର୍ସନା, କଠୋର ପ୍ରଶ୍ନ । ସ୍ୱତଃ ସଜ୍ଞାନକୁ ନେବାର ଦିନକ ପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଆଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରି ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି।

Advertisment

ସବୁ ସମୟରେ କେବଳ ଦୁଷ୍କର୍ମ ଓ ହତ୍ୟା ହେଲେ ହିଁ ଅନ୍ତରାତ୍ମା ଜାଗିବା ଠିକ୍ ନୁହେଁ ବୋଲି ଶକ୍ତ ଟିପ୍ପଣୀ ରଖି ଏ ଘଟଣା କେବଳ ଭୟାବହ ନୁହେଁ, ବରଂ ପୂରା ଭାରତରେ ଡାକ୍ତରଙ୍କ ସୁରକ୍ଷାରେ ଥିବା ଦୁର୍ବଳତାର ନିଦର୍ଶନ ବୋଲି ମନ୍ତବ୍ୟ ଦେଇଛନ୍ତି। ଏଥିସହ ଘଟଣା ସଂପର୍କରେ କାହିଁକି ବିଳମ୍ବରେ ଏଫ୍ଆଇଆର ହେଲା, ଆର.ଜି.କର. ମେଡିକାଲ କଲେଜ ପ୍ରଶାସନ କରୁଥିଲା କଣ ବୋଲି ପ୍ରଶ୍ନ କରି ତତ୍କାଳୀନ ପ୍ରିନିସିପାଲଙ୍କ ଦ୍ୱାରା ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା ବୋଲି ମନ୍ତବ୍ୟ ଦେଇଛନ୍ତି କୋର୍ଟ।

ସେହିପରି ହସ୍ପିଟାଲ ଭିତରକୁ ୭ ହଜାର ଲୋକ ପଶି ଭଙ୍ଗାରୁଜା, ଲଙ୍କାକାଣ୍ଡ କରିବା ଘଟଣାରେ ମଧ୍ୟ ପୋଲିସ ପ୍ରଶାସନ ଉପରେ କଡ଼ା ପ୍ରହାର କରିବା ସହ କ୍ରାଇମ୍ ସିନ୍ ସୁରକ୍ଷିତ ରଖା ଯାଇ ନପାରିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେହିପରି ପୀଡ଼ିତାଙ୍କ ପରିବାରକୁ ବିଳମ୍ବରେ କାହିଁକି ଶବ ଦେଖିବାକୁ ଦିଆଗଲା, ତାଙ୍କ ନାଁ ଓ ଫଟୋ ଭାଇରାଲ୍ ହେବା ଘଟଣାରେ ବି ଉଦବେଗ ପ୍ରକାଶ କରିଛନ୍ତି।

Advertisment

ଏଥିସହ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କଣ ସବୁ ପଦକ୍ଷେପ ନିଆଯାଇଛି, ତଦନ୍ତ କେତେଦୂର ପହଞ୍ଚିଛି ବୋଲି ପ୍ରଶ୍ନ କରି ଆସନ୍ତା ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଅଗଷ୍ଟ ୮ ତାରିଖ ରାତିରେ କୋଲକାତାର ପ୍ରତିଷ୍ଠିତ ଆର.ଜି. କର୍ ମେଡିକାଲ୍ କଲେଜରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ । ୩୧ ବର୍ଷିୟ ଟ୍ରେନି ମହିଳା ଡାକ୍ତର ଜଣଙ୍କୁ ହସ୍ପିଟାଲର ସେମିନାର ହଲ୍ ଭିତରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ୯ ତାରିଖରେ ମିଳିଥିଲା ଦୁଷ୍କର୍ମ ପୀଡିତାଙ୍କ ମୃତଦେହ।

କୁହାଯାଉଛି ପ୍ୟାରିସ୍ ଅଲିମ୍ପିକ୍ସ ମ୍ୟାଚ୍ ଦେଖିବାକୁ ଘଟଣା ଦିନ ରାତିରେ କିଛି ଡାକ୍ତରଙ୍କ ସହ ସେମିନାର ହଲରେ ରାତ୍ରିଭୋଜନ କରିବା ପରେ ଅନ୍ୟ ସମସ୍ତେ ଚାଲିଯିବା ପରେ ସେଇଠି ବିଶ୍ରାମ ନେଇଥିଲେ ଅଭୟା। ରାତି ୧୧ଟାରେ ମାଙ୍କ ସହ ଫୋନରେ କଥା ବି ହୋଇଥିଲେ। ହେଲେ ବିଳମ୍ବିତ ରାତିରେ ହସ୍ପିଟାଲରୁ ମାଙ୍କ ପାଖକୁ ଫୋନ୍ ଗଲା, ଝିଅ ସୁଇସାଇଡ୍ କରିଛି। ପରିବାର ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ ବି ଭୋର୍ ହେବା ପର୍ଯ୍ୟନ୍ତ ଝିଅର ମୃତଦେହ ପାଖକୁ ଯିବାକୁ ସେମାନଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଛାଡ଼ି ନଥିଲେ ବୋଲି ଅଭିଯୋଗ କରିଥିଲେ ପରିବାର।

ତେବେ ପରେ ସିସିଟିଭି ଫୁଟେଜରୁ ସେହି ବିଲଡିଂକୁ ଅଭିଯୁକ୍ତ ସଞ୍ଜୟ ରୟ ପ୍ରବେଶ କରିଥିବା ଜଣା ପଡ଼ିବା ପରେ ପର ଦିନ ତାକୁ ଗିରଫ କରିଥିଲା ପୋଲିସ। ସେ ବି ଏ ଜଘନ୍ୟକାଣ୍ଡ ପାଇଁ ପୋଲିସ ଆଗରେ ଦୋଷ ସ୍ୱୀକାର କରିଛି। ହେଲେ ତମାମ ଘଟଣାକୁ ଯେମିତି ଚପାଇବାକୁ ଚେଷ୍ଟା କରାଯାଇଛି ତାକୁ ନେଇ ଏବେ ବି ଜଳୁଛି ଅସନ୍ତୋଷ ଓ ଆନ୍ଦୋଳନର ନିଆଁ। ଅପରପକ୍ଷେ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଦେଶରେ ଆଉ ଏକ ଦୁଷ୍କର୍ମ ହେବା ଜରୁରୀ ନୁହେଁ ବୋଲି ମତ ଦେଇ ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ ଗଠନ କରିଛନ୍ତି ସୁପ୍ରିମକୋର୍ଟ। ସିନିଅର ଓ ଜୁନିଅର ଡାକ୍ତରଙ୍କ ସୁରକ୍ଷା ପାଇଁ ସାରା ଦେଶରେ କି କାର୍ଯ୍ୟପନ୍ଥା ହେବ ପରାମର୍ଶ ଦେବ ଏହି ଟାସ୍କ ଫୋର୍ସ।

Advertisment
Advertisment