• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ । ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବିବାହ ଏକ ମୌଳିକ ଅଧିକାର ନୁହେଁ ବୋଲି କହିଲେ କୋର୍ଟ । ସଂସଦ ଆଇନ ନଆଣିବା ଯାଏ ଏନେଇ ସ୍ୱୀକୃତି ଦେଇ ହେବନି । ଏନେଇ ସଂସଦ ନିଷ୍ପତ୍ତି ନେଉ ବୋଲି କହିଲେ ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ସମଲିଙ୍ଗୀ ଯୋଡ଼ିଙ୍କୁ ପାତରଅନ୍ତର କରାଯାଇପାରିବନି । ପୋଲିସ୍ ସେମାନଙ୍କୁ ହଇରାଣ କରିପାରିବେନି, ମଣିଷ ସ୍ୱାଭାବିକ ଭାବେ ସାଥୀ ଖୋଜିଥାଏ । ପ୍ରେମ ମଣିଷର ସ୍ୱାଭାବିକ ପ୍ରକୃତି । ତେଣୁ ବିବାହ ଅଧିକାର ଉପରେ ସରକାର କମିଟି ଗଠନ କରନ୍ତୁ । ପାର୍ଲାମେଣ୍ଟର ଅଧିକାରରେ କୋର୍ଟ ପ୍ରବେଶ କରିପାରିବନି । ସମଲିଙ୍ଗୀଙ୍କୁ ଅଧିକାର ଦିଅନ୍ତୁ ସରକାର । ନିଜ ସାଥୀ ବାଛିବାର ଅଧିକାର ସମସ୍ତଙ୍କୁ ମିଳିବା ଉଚିତ । ଲିଙ୍ଗ ଅନୁସାରେ ମଣିଷର ଯୌନଇଚ୍ଛା ହୋଇନଥାଏ । 

ବୈଷମ୍ୟ ବିରୋଧୀ ଆଇନ ଆଣିବାକୁ କହିଲେ ଖଣ୍ଡପୀଠ । କହିଛନ୍ତି ଯେ, ପ୍ରଥମେ ବୈଷମ୍ୟ ବିରୋଧୀ ଆଇନ ବା ଆଣ୍ଟି ଡିସ୍ କ୍ରିମିନେସନ ଲ’ ଅଣାଯାଉ । ବୈଷମ୍ୟ ବିରୋଧୀ ଆଇନ ଆଣିବାକୁ ମତଦେଲେ ପ୍ରଧାନ ବିଚାରପତି । ପ୍ରଧାନ ବିଚାରପତିଙ୍କ ମତକୁ ମୁଁ ବି ଗ୍ରହଣ କରୁଛି କହିଲେ ଜଷ୍ଟିସ କୌଲ । LGBT ବର୍ଗଙ୍କୁ ମୌଳିକ ସୁବିଧା ଦେବାକୁ କମିଟି ଗଠନ ପାଇଁ ନିର୍ଦ୍ଦେଶ ହୋଇଛି । ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଂପୃକ୍ତ ବର୍ଗଙ୍କୁ ରାସନ, ପେନ୍‌ସନ୍‌ ଆଦି ସୁବିଧା ପାଇଁ କମିଟି ହେବ ।

ଗତ ଏପ୍ରିଲ ୧୧ ତାରିଖରେ ସାମ୍ବିଧାନିକ ବେଞ୍ଚ ଏହା ଉପରେ ହୋଇଥିବା ଆବେଦନର ଶୁଣାଣି ଆରମ୍ଭ କରିଥିଲେ ଓ ଗତ ମେ ୧୧ ତାରିଖରେ ରାୟ  ସଂରକ୍ଷିତ ରଖିଥିଲେ । ସୁପ୍ରିମକୋର୍ଟ ଏନେଇ ଆଗତ ପ୍ରାୟ ୨୧ଟି ପିଟିସନର ଏକାଠି ଶୁଣାଣି କରିଥିଲେ । ଆବେଦନକାରୀ ଏହାକୁ ସ୍ୱତନ୍ତ୍ର ବିବାହ ଆଇନରେ ପଞ୍ଜୀକରଣ କରିବାକୁ ଦାବି କରିଛନ୍ତି ।

୨୦୧୮ରେ ସୁପ୍ରିମକୋର୍ଟଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ଆଇପିସିର ଧାରା ୩୭୭କୁ ରଦ୍ଦ କରିଦେଇଥିଲେ । ଯାହା ଫଳରେ ସହମତିରେ ଦୁଇ ପ୍ରାପ୍ତ ବୟସ୍କ ସମଲିଙ୍ଗୀ ନିଜ ଭିତରେ ସମ୍ପର୍କ ରଖିଲେ ତାକୁ ଅପରାଧ କୁହାଯିବ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏଭଳି ସ୍ଥିତିରେ ସମଲିଙ୍ଗୀ ବିବାହକୁ ମଧ୍ୟ ଆଇନଗତ ମାନ୍ୟତା ମିଳିବା ଦରକାର ବୋଲି ସେମାନେ ଦାବି କରୁଛନ୍ତି ।