Advertisment

ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ହୋଇପାରେ ଲକଡାଉନ୍

କରୋନା ପରେ ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀରେ ଲାଗୁ ହୋଇପାରେ ଲକଡାଉନ୍ । ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ୍ କରିବାକୁ ଆଜି କେଜରିୱାଲ ସରକାର ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି ।

author-image
Otv Khabar Bureau
Delhi Air Pollution

Delhi Air Pollution

ଦିଲ୍ଲୀ: କରୋନା ପରେ ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀରେ ଲାଗୁ ହୋଇପାରେ ଲକଡାଉନ୍ । ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ୍ କରିବାକୁ ଆଜି କେଜରିୱାଲ ସରକାର ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ତେବେ ଏନସିଆର୍ ଅଂଚଳରେ ବି ଲକଡାଉନ୍ କରିବାକୁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି । ପ୍ରଦୂଷଣ ନିୟନ୍ତ୍ରଣରେ ବିଫଳତାକୁ ନେଇ ଦିଲ୍ଲୀ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ତାଗିଦ୍ କରିବା ସହ ଦୋଷାରୋପ ଛାଡି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଚାରି ରାଜ୍ୟକୁ ନେଇ ନେଇ ଆସନ୍ତାକାଲି ଜରୁରୀ ବୈଠକ ଡାକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ବାୟୁ ପ୍ରଦୂଷଣ ନେଇ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । ଆରୋପ-ପ୍ରତ୍ୟାରୋପ ବନ୍ଦ କରି କାମ କଣ କରିଛ, ପ୍ରଶ୍ନ ଉଠାଇଛି ସୁପ୍ରିମକୋର୍ଟ । ୨୪ ଘଣ୍ଟାରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଦେଶର ରାଜଧାନୀରେ ପ୍ରଦୂଷଣ ଅଣାୟତ୍ତ ହୋଇପଡୁଥିବା ବେଳେ ଏନେଇ ଏକ ମାମଲାର ଶୁଣାଣି କରି କେଜରିୱାଲ ସରକାରଙ୍କୁ ତାଗିଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସିଧା ସିଧା ପ୍ରଶ୍ନ କରିଛନ୍ତି ଯେ ପ୍ରଦୂଷଣ ରୋକିବାକୁ କଣ ପଦକ୍ଷେପ ନିଆଯାଇଛି? ରାସ୍ତାରୁ ଧୂଳି ସଫା କରିବାକୁ କେତେ ମେସିନ୍ ବ୍ୟବହାର କରୁଛନ୍ତି ଦିଲ୍ଲୀ ସରକାର? ଦିଲ୍ଲୀରେ ଶିଳ୍ପ, ନିର୍ମାଣ, ରାସ୍ତା କାମ ଏବଂ ନଡା ପୋଡି ବାବଦରେ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନା ।

ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ୍ ସୂଯର୍ୟକାନ୍ତଙ୍କ ୩ ଜଣିଆ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ତାଗିଦ କରି କହିଛନ୍ତି ଯେ, ପ୍ରଚାର ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଉଛି ଏବଂ ତାର ଅଡିଟ୍ କରିବା ନେଇ କୋର୍ଟକୁ ବାଧ୍ୟ ନକରିବା ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଏପଟେ ପ୍ରଦୂଷଣ ମାତ୍ରା କମାଇବାକୁ ସଂପୂର୍ଣ୍ଣ ଲକଡାଉନ୍ କରିବାକୁ ଅଂଟା ଭିଡିଛନ୍ତି କେଜରିୱାଲ ସରକାର । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଜଣାଇଛନ୍ତି ଯେ ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ରହିଛି । ତେବେ ଦିଲ୍ଲୀ NCR ସମେତ ପଡ଼ୋଶୀ ରାଜ୍ୟରେ ମଧ୍ୟ ଲକଡାଉନ୍ କରିବାକୁ ପ୍ରସ୍ତାବ ଦିଆଯାଇଛି । ନଚେତ୍ ପ୍ରଦୂଷଣ ନିୟନ୍ତ୍ରଣ ଫଳପ୍ରଦ ହେବନି ବୋଲି ଦିଲ୍ଲୀ ସରକାର ଯୁକ୍ତି ବାଢିଛନ୍ତି ।

ସେପଟେ କେନ୍ଦ୍ର ସରକାର ମଧ୍ୟ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଜଣାଇଛନ୍ତି ଯେ, ଦିଲ୍ଲୀରେ ଯେଉଁ ପ୍ରଦୂଷଣ ହୋଇଛି, ତାର ମାତ୍ର ୧୦ ପ୍ରତିଶତ ନଡ଼ା ପୋଡ଼ିବା ଯୋଗୁଁ ହୋଇଛି । ତେଣୁ ଅସଲ ପ୍ରଦୂଷଣ ଉପରେ ତୁରନ୍ତ ଲଗାମ ଲଗାଇବା ଜରୁରୀ ବୋଲି କୁହାଯାଇଛି । ଏସବୁ ଭିତରେ ପ୍ରଦୂଷଣ ନିୟନ୍ତ୍ରଣ ନେଇ ଆସନ୍ତାକାଲି ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ଦିଲ୍ଲୀକୁ ନେଇ ଜରୁରୀ ବୈଠକ ଡାକିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅତି ଜରୁରି ନଥିବା ନିର୍ମାଣ କାମ ଏବଂ ପାୱାର ପ୍ଲାଣ୍ଟ ସାମୟିକ ବନ୍ଦ ସହ କର୍ମଚାରୀଙ୍କ ଘରୁ କାମ କରିବା ଉପରେ ବୈଠକରେ ଗୁରୁତ୍ୱ ଦେବାକୁ କହିଛନ୍ତି କୋର୍ଟ ।

ଦିଲ୍ଲୀର ପ୍ରଦୂଷଣ ସୀମା ଟପିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ପ୍ରଦୂଷଣକୁ ନେଇ ମଧ୍ୟ ଚିନ୍ତା ବଢୁଛି । ୨୦୧୬ ରୁ ୨୦୨୧ ଭିତରେ ଭୁବନେଶ୍ୱରରେ ବଢିବାରେ ଲାଗିଛି । ବାୟୁ ପ୍ରଦୂଷଣ ପାଖାପାଖି ୩୦ରୁ ୪୦ ପ୍ରତିଶତ ଅଧିକ ପ୍ରଦୂଷିତ ହେବାରେ ଲାଗିଛି ରାଜଧାନୀ । ଦେଶର ଅନ୍ୟ ମେଟ୍ରୋ ସହର ତୁଳନାରେ ଭୁବନେଶ୍ୱରର ସ୍ଥିତି ବର୍ତ୍ତମାନ ଭଲ ଥିବା ବେଳେ ଆଗୁଆ ପଦକ୍ଷେପ ନନେଲେ ଆଗକୁ ସ୍ଥିତି ବିଗିଡିପାରେ ବୋଲି ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ ଆକଳନ କରିଛନ୍ତି ।

ରିପୋର୍ଟର- ଶିବାନନ୍ଦ ରାଉତ, କପିଳେନ୍ଦ୍ର ପ୍ରଧାନ

Supreme Court Delhi Air Pollution
Advertisment
Advertisment