ଚଳଚ୍ଚିତ୍ର ‘ଥଗ୍ ଲାଇଫ୍’କୁ ନେଇ ବଡ଼ କଥା କହିଲେ ସୁପ୍ରିମକୋର୍ଟ । ସ୍ପଷ୍ଟ ଭାବେ କହିଲେ, ଆନ୍ଦୋଳନକାରୀଙ୍କ ହାତରେ ଆଇନକୁ ଛାଡି ଦିଆଯିବ ନାହିଁ । କହିଲେ, କର୍ଣ୍ଣାଟକରେ ରିଲିଜ୍ ହେବ କମଳ ହାସନଙ୍କ ‘ଥଗ୍ ଲାଇଫ୍’ । କର୍ଣ୍ଣାଟକରେ ଏହି ଫିଲ୍ମର ବ୍ୟାନ ସଂପର୍କିତ ମାମଲାରେ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ଅଭିନେତା କମଲ ହାସନଙ୍କ ବିବାଦୀୟ ବୟାନକୁ ନେଇ କିଛି ଗୋଷ୍ଠୀ ତାଙ୍କୁ ସମାଲୋଚନା କରିଥିଲେ । ତାଙ୍କର ଏହି ଫିଲ୍ମ କର୍ଣ୍ଣାଟକ ମାଟିରେ ରିଲିଜ୍ କରାଇ ଦିଆଯିବନି ବୋଲି ଖୋଲାଖୋଲି ଧମକ ଦେଇଥିଲେ ।
ସୁପ୍ରିମକୋର୍ଟ କହିଛନ୍ତି, କିଛି ଆନ୍ଦୋଳନକାରୀଙ୍କ ଧମକରେ ଆଇନକୁ ପଣବନ୍ଦୀ କରାଯାଇ ରଖାଯାଇପାରିବ ନାହିଁ । ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି, ଥିଏଟରରେ କଣ ରିଲିଜ୍ ହେବ, ତାହା ଗୁଣ୍ଡା ଗୋଷ୍ଠୀଙ୍କୁ ନିଷ୍ପତ୍ତି ନେବାକୁ ଅନୁମତି ଦିଆଯାଇପାରିବ ନାହିଁ । ଯଦି କେହି କିଛି ମନ୍ତବ୍ୟ ରଖିଛନ୍ତି, ତାହାକୁ ଆଉ ଏକ ମନ୍ତବ୍ୟ ଜରିଆରେ କାଉଣ୍ଟର କର । ଆମେ ଥିଏଟର ଜାଳିଦେବୁ ବୋଲି କହିପାରିବ ନାହିଁ ।
Also Read
ସୁପ୍ରିମକୋର୍ଟ ଡିଭିଜନ୍ ବେଞ୍ଚ ଏହା ମଧ୍ୟ କହିଛନ୍ତି, କମଲ ହାସନଙ୍କ ମନ୍ତବ୍ୟ ଉପରେ କର୍ଣ୍ଣାଟକ ଲୋକମାନେ ଅରାଜି ହୋଇପାରିବେ । ଏହାକୁ ଗ୍ରହଣ କରିନପାରନ୍ତି କିନ୍ତୁ ଜଣକର ମୌଳିକ ଅଧିକାର ସୁରକ୍ଷିତ ରହିବା ଦରକାର । ଯଦି ଲୋକମାନେ ଭାବୁଛନ୍ତି କମଲ ହାସନଙ୍କ ମନ୍ତବ୍ୟ ଭୁଲ୍ ଅଛି, ସେମାନେ ଏହା ଉପରେ ମନ୍ତବ୍ୟ ଦେଇପାରିବେ । ସିନେମା ହଲ୍ ଜାଳିବାକୁ କାହିଁକି ଧମକ ଦେଉଛନ୍ତି ।
ଅଧିକ ପଢ଼ନ୍ତୁ: କନ୍ନଡ -ତାମିଲ୍ ବିବାଦ ପରେ ‘ହିନ୍ଦୀ’କୁ ନେଇ ବିବାଦୀୟ ମତ ଦେଲେ କମଲ ହାସନ
ଚଳଚ୍ଚିତ୍ର ପ୍ରଯୋଜକ କର୍ଣ୍ଣାଟକ ହାଇକୋର୍ଟରେ ରୁଜୁ କରିଥିବା ମାମଲାକୁ ସୁପ୍ରିମକୋର୍ଟ ନିଜ ପାଖକୁ ସ୍ଥାନାନ୍ତର କରିଛନ୍ତି । କର୍ଣ୍ଣାଟକ ସରକାର ଏହା ଉପରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ଣ୍ଣାଟକ ହାଇକୋର୍ଟଙ୍କ ଭୂମିକା ନେଇ ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଏହି ପ୍ରସଙ୍ଗରେ ପ୍ରଯୋଜକ ଭୁଲ୍ ମାଗିଲେ ସମାଧାନ ହୋଇଯିବ ବୋଲି ଦିଆଯାଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି । ହାଇକୋର୍ଟ କେମିତି ଜଣକୁ କ୍ଷମାପ୍ରାର୍ଥନା କରିବାକୁ କହିପାରିବ ? ଏହା ହାଇକୋର୍ଟର କାମ ନୁହେଁ । ଗୋଟିଏ ଫିଲ୍ମ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ଦ୍ୱାରା ଅନୁମୋଦିତ ହେଲା ପରେ ଏହାକୁ ନିଶ୍ଚିତ ଭାବେ ରିଲିଜ୍ ପାଇଁ ଅନୁମତି ମିଳିବ । ଲୋକ ଦେଖିବେ ନଦେଖିବେ, ତାହା ସେମାନଙ୍କ ଇଚ୍ଛା । ଲୋକମାନେ ଇଚ୍ଛା ନକଲେ ଦେଖିବେନି । କିନ୍ତୁ ଧମକ ଦେଇ କି ଭୟ ଦେଖାଇ କେହି କହିପାରିବେ ନାହିଁ , ଫିଲ୍ମ ରିଲିଜ୍ ହୋଇପାରିବ ନାହିଁ ।
ଏହି କଥା କହିବା ସହ ସୁପ୍ରିମକୋର୍ଟ ବମ୍ୱେ ହାଇକୋର୍ଟର ‘ମୁଁ ନାଥୁରାମ ବୋଲତୋଁ’ ମାମଲା ଓ ଇମ୍ରାନ ପ୍ରତାପଗଡି ରୁଲିଂ ବିଷୟ ମଧ୍ୟ ଦର୍ଶାଇଛନ୍ତି । ଗଣତନ୍ତ୍ରରେ ଭିନ୍ନ ମତ ରହିବ । କିନ୍ତୁ ଆଇନକୁ ସୁରକ୍ଷା ଦେବାର କାମ ସୁପ୍ରିମକୋର୍ଟର ବୋଲି କହିଛନ୍ତି ସୁପ୍ରିମକୋର୍ଟ ।