୧୭ ମାସ ପରେ ଜେଲରୁ ମୁକୁଳିବେ ମନୀଷ ସିସୋଦିଆ, ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ତିନୋଟି ସର୍ତ୍ତରେ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

Manish Sisodia

ଅବକାରୀ ନୀତି ମାମଲାରେ ଗତ ୧୭ ମାସ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଦୀର୍ଘ ୧୭ ମାସ ପରେ ଶେଷରେ ସିସୋଦିଆଙ୍କୁ ମିଳିଛି ବେଲ୍‌ । ସୂଚନା ଅନୁସାରେ ୩ ଦିନ ପୂର୍ବେ ଶୁଣାଣି ହୋଇଥିବାବେଳେ ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।

ଆଜି ମନୀଷ ସିସୋଦିଆଙ୍କୁ ଜାମିନ୍ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ବେଲ୍‌ ମାମଲାରେ ହାଇକୋର୍ଟ ଏବଂ ଟ୍ରାଏଲ କୋର୍ଟ ଏକ ସୁରକ୍ଷିତ ଖେଳ ଖେଳୁଛନ୍ତି । ଦଣ୍ଡ ଦେବା ପାଇଁ ଜାମିନ ନାମଞ୍ଜୁର ହୋଇପାରିବ ନାହିଁ। ବର୍ତ୍ତମାନ ସମୟ ଆସିଛି କୋର୍ଟ ବୁଝିବା ଉଚିତ ଯେ, ଜାମିନ ଏକ ନିୟମ ଏବଂ ଜେଲ ଏକ ଅପବାଦ ।

ଅଧିକ ପଢ଼ନ୍ତୁ: ଭିନେଶ ପାଇବେ କି ରୌପ୍ୟ ପଦକ, କୋର୍ଟ କରିବେ ଫୈସଲା..!

ତିନୋଟି ସର୍ତ୍ତରେ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପ୍ରଥମଟି ହେଉଛି ତାଙ୍କୁ ୧୦ ଲକ୍ଷ ଟଙ୍କା ବଣ୍ଡ ଦେବାକୁ ପଡିବ । ଏହା ବ୍ୟତୀତ ସେମାନଙ୍କୁ ଦୁଇଟି ଜାମିନଦାର ଉପସ୍ଥାପନ କରିବାକୁ ପଡିବ । ତେବେ ତୃତୀୟ ସର୍ତ୍ତ ହେଉଛି ସେ ନିଜ ପାସପୋର୍ଟ କୋର୍ଟ ପାଖରେ ସରେଣ୍ଡର କରିବେ ।

ସୂଚନା ଅନୁସାରେ, ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଅଭିଯୋଗରେ ୨୦୨୩ ଫେବ୍ରୁଆରି ୨୬ରେ ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । CBI ୭ରୁ ୮ ଘଣ୍ଟା ଜେରା କରିବା ପରେ ତାଙ୍କୁ ଗିରଫ କରିଥିଲା ।

ପୂର୍ବରୁ ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମ୍ପତ୍ତି ଆଟାଚ୍‌ ହୋଇଥିଲା । ଗତ ୨୦୨୩ ଜୁଲାଇ ୭ରେ ସିସୋଦିଆଙ୍କ ସମ୍ପତ୍ତି ଆଟାଚ୍‌ କରିଥିଲା ଇଡି । ଏଥି ସହ ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟିର ସମ୍ପତ୍ତି ଆଟାଚ୍‌ କରିଥିଲା ଇଡି । ସିସୋଦିଆ ଓ ତାଙ୍କ ପତ୍ନୀ ସୀମାଙ୍କ ୨ଟି ବିଲ୍ଡିଂ ଆଟାଚ ହୋଇଥିବା ବେଳେ ଉଭୟଙ୍କ ୧୧ ଲକ୍ଷର ବ୍ୟାଙ୍କ ଜମା ମଧ୍ୟ ସିଜ୍‌ କରାଯାଇଥିଲା ।

ସେହିପରି ଏହି ମାମଲାରେ ଅମନଦୀପ ସିଂ ଧଲ, ରାଜେଶ ଯୋଶୀ, ଗୌତମ ମଲହୋତ୍ରା ଏବଂ ଅନ୍ୟ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ୫୨.୨୪ କୋଟି ଟଙ୍କା ସମ୍ପତ୍ତି ଇଡି ଆଟାଚ୍‌ କରିଥିଲା । ଖାଲି ସେତିକି ନୁହେଁ, ମନୀଷ ସିସୋଦିଆ ଏବଂ ତାଙ୍କ ପତ୍ନୀ ସୀମା ସିସୋଦିଆଙ୍କ ସମ୍ପତ୍ତି ଢ଼େର ଅଧିକ ରହିଥିବା ଇଡି ସୂଚନା ଦେଇଥିଲା ।