• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ନିର୍ବାଚନୀ ବୈତରଣୀ ପାର ହେବାକୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି ନେତା । ପୁଳା ପୁଳା ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାକୁ ଚେଷ୍ଟା ଚାଲିଛି । ତେବେ ​​ଜନସାଧାରଣଙ୍କୁ ମାଗଣା ଜିନିଷ ଉପଲବ୍ଧ କରାଇବାର ପ୍ରତିଶୃତି ମାମାଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏକ ପିଟିସନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗ (ECI) କୁ ନୋଟିସ ପଠାଇଛନ୍ତି । ଜନସାଧାରଣଙ୍କ ଟଙ୍କା ବ୍ୟବହାର କରି ମାଗଣା ଜିନିଷ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଉଥିବା ଦଳର ଚିହ୍ନକୁ ଜବତ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ କୁହାଯାଇଛି ।

ବାର ଏବଂ ବେଞ୍ଚ ଅନୁସାରେ ଭାରତୀୟ ଜନତା ପାର୍ଟିର ନେତା ଅଶ୍ୱିନୀ କୁମାର ଉପାଧ୍ୟାୟ ଏ ସମ୍ପର୍କରେ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ଭାରତର ପ୍ରଧାନ ବିଚାରପତି ଏନ.ଭି. ରମଣା, ଜଷ୍ଟିସ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ହିମା କୋହଲି ଏହି ପିଟିସନର ଶୁଣାଣି କରିଛନ୍ତି । ଏହି ଆବେଦନରେ ଏକ ଗୁରୁତର ପ୍ରସଙ୍ଗ ଉଠିଛି ବୋଲି ବିଚାରପତି ଖଣ୍ଡପୀଠ କହିଛନ୍ତି । ଅନ୍ୟପଟେ ଆବେଦନକାରୀ କେବଳ କିଛି ଦଳର ନାମ ଉଲ୍ଲେଖ କରିଥିବା କଥାକୁ ମଧ୍ୟ ଇସାରା କରିଛନ୍ତି ।

ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦେବା “ଏକ ଗମ୍ଭୀର ପ୍ରସଙ୍ଗ ଏବଂ ମାଗଣା ବଣ୍ଟନ ପାଇଁ ବଜେଟ୍ ନିୟମିତ ବଜେଟ୍ ଠାରୁ ଭିନ୍ନ ବୋଲି କହିଛନ୍ତି ସିଜେଆଇ । ଯଦିଓ ଏହା ଏକ ଦୁର୍ନୀତିଗ୍ରସ୍ତ କାର୍ଯ୍ୟ ନୁହେଁ କିନ୍ତୁ ଏହା ଅସମାନତା ସୃଷ୍ଟି କରୁଛି । ଏହା ବ୍ୟତୀତ ସିଜେଆଇ କହିଛନ୍ତି, ଆଫିଡେଭିଟ୍‌ରେ କେବଳ କିଛି ଦଳର ନାମ ସାମିଲ କରାଯାଇଛି । ଆମ୍ ଆଦମୀ ପାର୍ଟି, ଅକାଳି ଦଳ, କଂଗ୍ରେସ ଦଳ ବିରୋଧରେ ଏହି ଅଭିଯୋଗ ରହିଛି ।

ମାଗଣା ପ୍ରତିଶ୍ରୁତି ଉଦବେଗଜନକ ସ୍ତରରେ ପହଞ୍ଚିଛି ବୋଲି କହିଛନ୍ତି ଆବେଦନକାରୀ । ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ଟଙ୍କାରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଶ୍ରୁତି ଦେବା ସମ୍ବିଧାନର ଧାରା 14, 162, 266 (3) ଏବଂ 282ର ଉଲ୍ଲଂଘନ ବୋଲି ଘୋଷଣା କରିବାକୁ ଆବେଦନକାରୀ ନିବେଦନ କରିଛନ୍ତି ।

କିଛି ରାଜ୍ୟରେ ମୁଣ୍ଡପିଛା ଋଣ ୩ ଲକ୍ଷ ଥିବା ବେଳେ କିପରି ମାଗଣା ଘୋଷଣା ମଧ୍ୟ କରାଯାଉଛି ବୋଲି କହିଛନ୍ତି ଆବେଦନକାରୀଙ୍କ ପକ୍ଷରୁ କେସ୍‌ ଲଢ଼ୁଥିବା ବରିଷ୍ଠ ଆଡଭୋକେଟ୍ ବିକାଶ ସିଂ । ବେଞ୍ଚ ପକ୍ଷରୁ ଏହି ପ୍ରସଙ୍ଗରେ ବିଜ୍ଞପ୍ତି ଜାରି କରାଯାଇଛି। ଏଥି ସହିତ ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ ବୋଲି କୁହାଯାଇଛି ।