• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁରୁଙ୍କୁ ଅସମ୍ମାନ । ଶିକ୍ଷାର ଆଲୋକ ପ୍ରଦାନ କରୁଥିବା ଶିକ୍ଷକଙ୍କୁ ଶ୍ରେଣୀଗୃହରେ ଦୁର୍ବ୍ୟବହାର । କର୍ଣ୍ଣାଟକର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସରକାରୀ ଉଚ୍ଚ ବିଦ୍ୟାଳୟର ପାଞ୍ଚ ଜଣ ଛାତ୍ର ଶିକ୍ଷକଙ୍କ ସହ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଶିକ୍ଷକ ଜଣକ ଶ୍ରେଣୀଗୃହରେ ଏକ ଚେୟାରରେ ବସିଛନ୍ତି । ଆଉ ତାଙ୍କ ମୁଣ୍ଡରେ ମଇଳା ଢ଼ାଳିବା ସହ ଛାତ୍ରମାନେ ହସୁଛନ୍ତି । ଏଥି ଭିଡିଓ ଭାଇରାଲ ହେବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଗୁରୁ ରୂପୀ ଭଗବାନଙ୍କ ସହ ଛାତ୍ରଛାତ୍ରୀଙ୍କ ଏହି ଦୁର୍ବ୍ୟବହାରକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ । ଶିକ୍ଷା ବିଭାଗ ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି। ଏଥିସହ ଏହି ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ବ୍ୟବହାରର ଶିକାର ହୋଇଥିବା ଶିକ୍ଷକମାନଙ୍କ ସହ ଆମେ ଅଛୁ, ଏହି ପ୍ରକାର ଆଚରଣ ପାଇଁ ଆଦୌ କ୍ଷମା ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ତେବେ ଛାତ୍ରମାନଙ୍କ ଏତାଦୃଶ କାର୍ଯ୍ୟ ପାଇଁ ସାଧାରଣରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି ।

ଭାଇରାଲ୍ ଭିଡିଓରେ ଛାତ୍ରମାନେ ଶ୍ରେଣୀଗୃହକୁ ପ୍ରବେଶ କରିବା ମାତ୍ରେ ଏକ ଚେୟାରରେ ବସିଥିବା ଜଣେ ହିନ୍ଦୀ ଶିକ୍ଷକଙ୍କ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏହି ପାଞ୍ଚ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ର ଡଷ୍ଟବିନ ଉଠାଇ ଶିକ୍ଷକଙ୍କୁ ମାଡପିଟ୍ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ପରେ ଯେତେବେଳେ ଶିକ୍ଷକ ଶ୍ରେଣୀରେ ପଢ଼ାଇବା ଆରମ୍ଭ କରନ୍ତି ପାଞ୍ଚ ଜଣ ଛାତ୍ର ତାଙ୍କ ମୁଣ୍ଡରେ ଡଷ୍ଟବିନ ଆଣି ମଇଳା ପକାଇ ଦିଅନ୍ତି ।

ଏହି ପୁରା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ବିଧାୟକ ମଦଲ ବିରୁକ୍ଷପା, ଲୋକ ଶିକ୍ଷଣ ବିଭାଗର ଉପନିର୍ଦ୍ଦେଶକ ବିଦ୍ୟାଳୟରେ ପହଞ୍ଚି କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଭବିଷ୍ୟତରେ ଆଉ ଏପରି କାର୍ଯ୍ୟ କରିବେ ନାହିଁ ବୋଲି ଛାତ୍ରମାନଙ୍କ ଠାରୁ ସେ ଏକ ଲିଖିତ ବିବୃତ୍ତି ନେଇଥିବା କୁହାଯାଉଛି । ଏଥି ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନୁଧ୍ୟାନ କରି ଶିକ୍ଷକ ମଧ୍ୟ ପୋଲିସ ନିକଟରେ ଅଭିଯୋଗ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।