• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଜଣେ ସଚ୍ଚା ଦେଶପ୍ରେମୀ ।  ଭାରତର ଏପିର ଜଣେ ଗୁପ୍ତଚର, ଯିଏ ପାକିସ୍ତାନ ଆର୍ମିରେ ମେଜର ଥିଲେ । ଦେଶ ପାଇଁ ଶତ୍ରୁ ଦେଶରେ ବିବାହ ମଧ୍ୟ କଲେ । ପାକିସ୍ତାନର ସବୁ ସିକ୍ରେଟ୍ ଦେଶକୁ ପଠାଉଥିଲେ । ଆଉ ତାଙ୍କ ଠାରୁ ସୂଚନା ପାଇଁ ଭାରତୀୟ ସେନା ସାମ୍ନାରେ ମାତ୍ ଖାଉଥିଲା ପାକିସ୍ତାନ।  ତାଙ୍କ ପାଇଁ ୨୦ ହଜାର ଭାରତୀୟ ସୈନିକଙ୍କ ଜୀବନ ବଞ୍ଚି ଯାଇଥିଲା । ହେଲେ ଅନ୍ୟ ଜଣେ ଗୁପ୍ତଚରଙ୍କ ଭୁଲ ପାଇଁ ଧରାପଡ଼ି ଗଲେ । ଧରାପଡ଼ିବା ପରେ ଅକଥନୀୟ ଯାତନା ଦେଉଥିଲା ପାକିସ୍ତାନ୍ ଆର୍ମି ।  ତଥାପି ଦେଶ ମାତୃକାର ଟେକ ରଖିଥିଲେ । ମୁହଁରୁ ପଦୁଟିଏ ଶଦ୍ଦ ବାହାର କରିପାରି ନଥିଲା କ୍ରୁର ପାକ ସେନା ।   ଦେଶ ଲାଗି ସବୁକିଛି ଉତ୍ସର୍ଗ କରିଦେଇଥିଲେ । ଆଉ ଶେଷରେ ହସି ହସି ଦେଶ ପାଇଁ ଜୀବନ ଦେଇଦେଲେ । 

ରବିନ୍ଦ୍ର କୌଶିକ । ଗୁପ୍ତଚର ଦୁନିଆରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ତାଙ୍କ ନାଁ । ଏହି କାହାଣୀ ଭାରତର ବ୍ଲାକ୍ ଟାଇଗରଙ୍କର । ରାଜସ୍ଥାନର ଶ୍ରୀଗଙ୍ଗନଗରରେ ୧୧ ଏପ୍ରିଲ ୧୯୫୨ରେ ଭାରତ ମାତାର ସୁଯୋଗ୍ୟ ସନ୍ତାନ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ଅଭିନୟ ପ୍ରତି ଥିଲା ଅହେତୁକ ଦୁର୍ବଳତା । ସେ ଥିଏଟର କରିବାକୁ ବହୁତ ଭଲ ପାଉଥିଲେ ।  ୧୯୭୨ ର ରବିନ୍ଦ୍ର କୋଶିକ ଲକ୍ଷ୍ନୌର ଏକ ୟୁଥ୍ ଫେଷ୍ଟିଭାଲରେ ଅଂଶଗ୍ରହଣ କରିଥିଲେ । ଭାରତୀୟ ଗୁପ୍ତଚର ଭୂମିକାରେ ତାଙ୍କର ନିଖୁଣ ଅଭିନୟ ସେଠାରେ ଉପସ୍ଥିତ ର’ ଅଧିକାରୀଙ୍କୁ ପ୍ରଭାବିତ କରିଥିଲା । 

ଆଉ ତାଙ୍କୁ ଭାରତର ଗୁପ୍ତଚର ହେବା ପାଇଁ  ଦିଲ୍ଲୀରେ ୨ ବର୍ଷ ବର୍ଷ ଟ୍ରେନିଂ ଦିଆଗଲା । ଟ୍ରେନିଂ ସମୟରେ ଉର୍ଦ୍ଦୁ ଠାରୁ ଆରମ୍ଭ କରି ଧାର୍ମିକ ଶିକ୍ଷା ଗ୍ରହଣ କରିଥିଲେ ରବିନ୍ଦ୍ର । ୧୯୭୫ରେ ରବିନ୍ଦ୍ରଙ୍କୁ ଜଣେ ଏଜେଣ୍ଟ୍ ଭାବେ ଶତ୍ରୁ ଦେଶକୁ ପଠାଇ ଦିଆଗଲା । ପାକିସ୍ତାନ ପହଞ୍ଚିଗଲା ପରେ ତାଙ୍କର ନୂଆ ନାମ ହେଲା ନବି ଅହମ୍ମଦ ସାକିର । କରାଚି ୟୁନିଭରସିଟିରେ ନାମ ଲେଖାଇ ଏଏଲବି ଡିଗ୍ରି ହାସଲ କରିଥିଲେ । ଆଉ ତା’ ରି ଭିତରେ ଆରମ୍ଭ ହୋଇଗଲା ମିଶନ୍ । ଶତ୍ରୁ ଦେଶ ଆଖିରେ ଧୂଳି ପାକିସ୍ତାନ ସେନାରେ ଭର୍ତ୍ତି ହେଲେ ରବିନ୍ଦ୍ର । କେବଳ ଏତିକି ନୁହେଁ ପାକିସ୍ତାନ ସେନାରେ ପ୍ରମୋସନ ପାଇ ମେଜର ପଦବୀରେ ରହିଥିଲେ । ଆଉ ତା’ପରେ ପାକିସ୍ତାନୀ ସେନାର ଜଣେ ଅଧିକାରୀଙ୍କ ଝିଅଙ୍କୁ ବିବାହ କରିଥିଲେ । ୧୯୭୯ରୁ ୧୯୮୩ ମଧ୍ୟରେ ସେ ଅନକେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲେ ଓ ଭାରତୀୟ ସେନା ପର‌୍ୟ୍ୟନ୍ତ ପହଞ୍ଚାଉ ଥିଲେ । 

ରବିନ୍ଦ୍ରଙ୍କ ଠାରୁ ସୂଚନା ପାଇଁ ଯୁଦ୍ଧ ରଣନୀତି ପ୍ରସ୍ତୁତ କରୁଥିଲା ଭାରତ । ପାକ୍ ସେନା ଅନେକ ଥର ଯୁଦ୍ଧ ଲାଗି ଉଦ୍ୟମ କରୁଥିଲେ ସୁଦ୍ଧା ରବିନ୍ଦ୍ରଙ୍କ ପାଇଁ ଉଦ୍ୟମ ବିଫଳ କରି ଦେଉଥିଲା ଭାରତ । ତେବେ ୧୯୮୩ ମସିହା ରବିନ୍ଦ୍ର ପାଇଁ କଳା ବର୍ଷ ସାଜିଥିଲା । ପାକିସ୍ତାନରେ ରବିନ୍ଦ୍ରଙ୍କୁ ସାହାଯ୍ୟ କରିବାକୁ ଭାରତ ଇନାୟତ ମସିହା ନାମକ ଅନ୍ୟ ଜଣେ ଗୁପ୍ତଚରକୁ ପାକିସ୍ତାନ ପଠାଇଥିଲା । ଆଉ ଇନାୟତଙ୍କ ଭୁଲ ପାଇଁ ଧରା ପଡ଼ିଯାଇଥିଲେ ରବିନ୍ଦ୍ର । 

କ୍ରୁର ପାର୍କ ଆର୍ମିର ଅକଥନୀୟ ନିର‌୍ୟାତନା ପରେ ମଧ୍ୟ ମାତୃଭୂମି ବିରୋଧରେ ମୁହଁ ଖୋଲିନଥିଲେ ରବିନ୍ଦ୍ର । ଆଉ ପାକିସ୍ତାନ ଜେଲରେ ତାଙ୍କୁ  ଦୀର୍ଘ ୧୬ ବର୍ଷ ବନ୍ଦୀ ଜୀବନ ବିତାଇବାକୁ ପଡ଼ିଥିଲା ।  ୨୦୦୧ ମସିହାରେ ରବିନ୍ଦ୍ର ମୁଲତାନ କେନ୍ଦ୍ରୀୟ କାରାଗାରେ ବନ୍ଦୀ ଥିବା ବେଳେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁପରେ ବି ମାତୃଭୂମି ମାଟି ଜୁଟିନଥିଲା । ଏହି ଗୁପ୍ତଚରଙ୍କ ଭାଗ୍ୟରେ ମୁଲତାନ ଜେଲ ପଛପଟେ କେଉଁଠି ତାଙ୍କୁ କବର ଦିଆଯାଇଥିଲା ।