/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663827917.jpg)
Special story
ରାସ୍ତା ଉପରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ । କେହି କାହାର ମୁହଁ ଚାହିଁଲେନି, ଯିଏ ଯାହାକୁ ପାରିଲା ମାରିଲା । ଗାଜିଆବାଦରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଝଗଡ଼ାର ଏପରି ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଆଶ୍ଚର୍ଯ୍ୟଜନକ ଘଟଣା କଏଦ୍ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ଚାଲିଥିବା ବେଳେ ଏକ ଧଳା ରଙ୍ଗର କାର ଦ୍ରୁତ ଗତିରେ ଆସି ଦୁଇ ଜଣ ଛାତ୍ରଙ୍କୁ ଜୋରରେ ଧକ୍କା ଦଉଛି, ଫଳରେ ଦୁଇ ଜଣ ଛିଟିକି ପଡ଼ନ୍ତି । ହେଲେ ଦୁର୍ଘଟଣା ପରେ ମଧ୍ୟ ଗଣ୍ଡଗୋଳ କମେନି, ଅନ୍ୟ ଛାତ୍ରମାନେ ଦୁଇ ଛାତ୍ରଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳୁଛି ।
ବୁଧବାର ଅପରାହ୍ନରେ ଗାଜିଆବାଦର ମସୁରୀ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ସହରର ଏକ ଘରୋଇ କଲେଜର ବିବିଏ ଏବଂ ବିସିଏ ଛାତ୍ରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ରାସ୍ତାରେ ମାରପିଟ୍ ହୋଇଥିଲା, ଯାହା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି, କଲେଜ ଛାତ୍ରମାନେ ପରସ୍ପରକୁ ମାଡ ମାରିବା ସହ ଟଣାଘୋଷରା ହେଉଛନ୍ତି ।
ତେବେ ଦୁଇ ଗୋଷ୍ଠୀ ମଧ୍ୟରେ ତୁତୁ ମେଁ ମେଁ ଚାଲିଥିବାବେଳେ ଦ୍ରୁତ ଗତିରେ ଏକ ଧଳା ରଙ୍ଗର କାର ଛାତ୍ରମାନଙ୍କୁ ଆଡ଼କୁ ମାଡ଼ିଆସେ । କିଛି ଛାତ୍ର କାର ଆସୁଥିବା ଦେଖି ସ୍ଥାନ ଛାଡ଼ି ପଳାଇ ଯାଆନ୍ତି । ହେଲେ ଦୁଇଜଣ ଛାତ୍ର ଗାଡ଼ି ସାମ୍ନାକୁ ଆସିଯାଆନ୍ତି । ଆଉ କାର୍ଟି ଏତେ ଜୋରରେ ସେମାନଙ୍କୁ ଧକ୍କା ଦିଏ ଯେ ଦୁଇ ଜଣ ପବନକୁ ଉଠି ପୁଣି ତଳେ ପଡ଼ିଯାଆନ୍ତି । ତେବେ ଏହି ଘଟଣା ପରେ କାର୍ ଡ୍ରାଇଭର ଜଣକ ନଅଟକି ଅନ୍ୟ ଛାତ୍ରମାନଙ୍କ ଉପରେ କାର୍ ମଡ଼ାଇବାକୁ ଚେଷ୍ଟା କରନ୍ତି । ଅନ୍ୟପଟେ ତଳେ ପଡ଼ିଥିବା ଛାତ୍ରଙ୍କୁ ରକ୍ଷା କରିବା ବଦଳରେ ମାଡ଼ ମାରନ୍ତି ବିରୋଧୀ ଗୋଷ୍ଠୀ ।
ବର୍ତ୍ତମାନ ଭାଇରାଲ୍ ଭିଡିଓ ଆଧାରରେ ମସୁରୀ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । କାର ଜବତ କରିବା ସହ ମାମଲା ରୁଜୁ କରିଛି । ପରସ୍ପରକୁ ମାଡ ମାରିଥିବା ଛାତ୍ରମାନେ ସମାନ କଲେଜର ଅଟନ୍ତି ବୋଲ ପୋଲିସ୍ କହିଛି । ସିନିୟର ଏବଂ ଜୁନିଅର ଛାତ୍ରମାନଙ୍କ ମଧ୍ୟରେ ଝଗଡା ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଉଭୟ ଗୋଷ୍ଠୀର କିଛି ଛାତ୍ରଙ୍କୁ ଅଟକ ରଖାଯାଇଛି । ମାମଲାର ତଦନ୍ତ ଚାଲିଥିବା ବେଳେ ପଳାତକ ଛାତ୍ରଙ୍କୁ ଖୋଜୁଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)