ଟ୍ରାକ୍ଟର-ମର୍ସିଡିଜ ଧକ୍କା ! ହେଲେ ଦୁଇ ଫାଳ ହୋଇଗଲା ଟ୍ରାକ୍ଟର, ଦେଖନ୍ତୁ ଭିଡିଓ..

ଟ୍ରାକ୍ଟର ଏବଂ ମର୍ସିଡିଜ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରାକ୍ଟର ଭାଙ୍ଗିଯାଇ ଦୁଇ ଫାଳ ହୋଇଯାଇଥିଲା ।

Accident

ପୁଣି ଚର୍ଚ୍ଚାରେ ମର୍ସିଡିଜ କାର । ରାସ୍ତାରେ ଯାଉ ଯାଉ ଟ୍ରାକ୍ଟରକୁ ଦେଲା ଧକ୍କା । ହେଲେ କାର୍‌ ତ ଭାଙ୍ଗିଲାନି ବରଂ ଟ୍ରାକ୍ଟର ଭାଙ୍ଗି ଦୁଇ ଫାଳ ହୋଇଗଲା । ଏମିତି ଫାଳ ହେଲା ଯେ ନଦେଖିଲେ ଆପଣ ବି ବିଶ୍ୱାସ କରିପାରିବେନି । ଏହି ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ସୋମବାର.. ଅପରାହ୍ନ ପ୍ରାୟ ୧.୩୦ । ବିଚ୍‌ ରାସ୍ତାରେ ଟ୍ରାକ୍ଟରକୁ ସାମ୍ନାରୁ ଧକ୍କା ଦେଇଥିଲା ମର୍ସିଡିଜ୍‌ କାର । ଆନ୍ଧ୍ରପ୍ରଦେଶର ତିରୁପତି ନିକଟ ଚନ୍ଦ୍ରଗିରି ବାଇପାସ୍ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । କର୍ଣ୍ଣାଟକର ଏହି ମର୍ସିଡିଜ୍ ଜିଏଲଇ ୪୫୦ କାର୍ ଦ୍ରୁତଗତିରେ ଯାଉଥିବାବେଳେ ହଠାତ୍ ରଙ୍ଗ ରୁଟ୍‌ରେ ଚାଲୁଥିବା ଏକ ଟ୍ରାକ୍ଟର ଏହି କାର ସାମ୍ନାକୁ ଆସିଯାଇଥିଲା । ଏଭଳି ପରିସ୍ଥିତିରେ ଟ୍ରାକ୍ଟର ଏବଂ ମର୍ସିଡିଜ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରାକ୍ଟର ଭାଙ୍ଗିଯାଇ ଦୁଇ ଫାଳ ହୋଇଯାଇଥିଲା ।

ଏହି ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭର ଆହତ ମଧ୍ୟ ହୋଇଛନ୍ତି । ସେମିତି ମର୍ସିଡିଜ୍ ଭିତରେ ବସିଥିବା ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିଲେ । ତେବେ ଦୁର୍ଘଟଣାର ୩୮ ସେକେଣ୍ଡ ଭିଡିଓ ଏବେ ଭାଇରାଲ ହୋଇଥିବାବେଳେ ଭିଡିଓରେ ଆପଣ ଦେଖିପାରିବେ ଯେ ମର୍ସିଡିଜ୍ ବେଞ୍ଜ୍ କାରର ଆଗ ଭାଗ ଅଳ୍ପ ନଷ୍ଟ ହୋଇଛି । କିନ୍ତୁ ଟ୍ରାକ୍ଟରଟି ସମ୍ପୂର୍ଣ୍ଣ ଦୁଇ ଖଣ୍ଡରେ ଭାଙ୍ଗିଯାଇଛି। ଟ୍ରାକ୍ଟରର ଇଞ୍ଜିନ ଅଂଶ ଗୋଟିଏ ପଟେ ପଡିଥିବାବେଳେ ଡ୍ରାଇଭର ସିଟ୍ ଅଂଶ ଅନ୍ୟ ପଟେ ପଡିଛି । ଯାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା ଚାଲିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚଳିତ ମାସ ୪ ତାରିଖରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ବେଳେ ସେ ଏକ ମର୍ସିଡିଜ୍ ଜିଏଲସି ୨୦୦ଡି କାରରେ ଥିଲେ । ୬୨ ଲକ୍ଷ ଟଙ୍କା ମୂଲ୍ୟର ଏହି କାରରେ ୭ଟି ଏୟାରବ୍ୟାଗ ଥିଲା । ଏହି ଦୁର୍ଘଟଣା ପରେ ମର୍ସିଡିଜ କାରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ବର୍ତ୍ତମାନ ପୁଣି ଏକ ଦୁର୍ଘଟଣାକୁ ନେଇ ଏହି କାର୍‌ କମ୍ପାନି ଚର୍ଚ୍ଚାର ପରିସରକୁ ଆସିଛି । ସେତେବେଳେ ଏହି କାରରେ ଥିବା ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେର ଦୁର୍ଘଟଣାରେ କିନ୍ତୁ ପୂରା ସୁରକ୍ଷିତ ଅଛନ୍ତି ଯାତ୍ରୀ ।