ରାମଲୀଳାରେ କଏଦୀ କରୁଥିଲା ଅଭିନୟ, ସୀତାଙ୍କୁ ଖୋଜିବାକୁ ଯାଇ ମାରିଲା ଛୁ

ଜେଲରେ ଚାଲିଥିଲା ରାମଲୀଳା... ବାନର ଭୂମିକାରେ ଅଭିନୟ କରୁଥିଲେ କଏଦୀ । ନାଟକରେ ସୀତା ମାତାଙ୍କ ହରଣ ହେବା ପରେ ବାନର ସୀତା ମାତାଙ୍କୁ ଖୋଜିବାକୁ ଗଲେ ଯେ ଆଉ ଫେରିଲେନି । ପାଚେରି ଡେଇଁ ମାରିଲେ ଚମ୍ପଟ ।

Special Story

ଜେଲ୍‌ରେ ଚାଲିଥିଲା ରାମଲୀଳା... ବାନର ଭୂମିକାରେ ଅଭିନୟ କରୁଥିଲେ କଏଦୀ । ନାଟକରେ ସୀତା ମାତାଙ୍କ ହରଣ ହେବା ପରେ ବାନର ସୀତା ମାତାଙ୍କୁ ଖୋଜିବାକୁ ଗଲେ ଯେ ଆଉ ଫେରିଲେନି । ନାଟକ ସରିଗଲା ହେଲେ ଦୁଇ କଏଦୀଙ୍କ ଦେଖାମିଳିଲାନି । 

ଦୂର୍ଗା ପୂଜା ଅବସରରେ ଜେଲ୍ ପରିସରେ ଚାଲିଥିଲା ରାମଲୀଳା ପ୍ରଦର୍ଶନ। ସମସ୍ତ କର୍ମଚାରୀ ଏବଂ ଅଧିକାରୀ ଯାତ୍ରା ଦେଖିବାରେ ବ୍ୟସ୍ତ ଥିଲେ । ଆଉ କିଛି କଏଦୀ ଏହି ନାଟକରେ ଅଭିନୟ କରିଥିଲେ । ହେଲେ ଠିକ୍ ମାତା ସୀତାଙ୍କର ହରଣ ହେବା ପରେ ପଡ଼ିଥିଲା ବାନରଙ୍କ ଖୋଜା । ଏତିକି ବେଳେ ବାନର ଭୂମିକାରେ ଥିବା ଦୁଇଜଣ କଏଦୀ ଜେଲ୍‌ରେ ନିର୍ମାଣ କାର୍ଯ୍ୟ ଚାଲୁଥିବାର ସୁଯୋଗ ନେଇ ଖସିଯାଇଥିଲେ । ପାଚେରୀ ଡେଇଁ ଚତୁରତାର ସହ ଚମ୍ପଟ ମାରିଥିଲେ ।

ଏହି ଘଟଣା ହରିଦ୍ୱାର ଜେଲ୍‌ରେ ଘଟିଛି । ଦୁଇ କଏଦୀଙ୍କ ନାଁ ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜଣଙ୍କ ନାଁ ପଙ୍କଜ ହୋଇଥିବାବେଳେ ଅନ୍ୟ ଜଣଙ୍କ ନାଁ ରାଜକୁମାର ବୋଲି କୁହାଯାଇଛି । ଜଣେ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ରହୁଥିଲା । ଆଉ ଅନ୍ୟ ଜଣଙ୍କ ନାଁରେ କିଡନାପ୍ ଭଳି ସଙ୍ଗୀନ ଅଭିଯୋଗ ରହିଛି । ତେବେ ପୋଲିସ ଗତକାଲି ରାତିରେ କଏଦୀଙ୍କ ଗଣନା ପରେ ଏହି ଖବର ସାମ୍ନାକୁ ଆସିଛି ।

କଏଦୀ ଦୁଇଜଣ ଜେଲ୍ ପରିସରରେ ପଡ଼ି ରହିଥିବା ବାଉଁଶ ସାହାଯ୍ୟରେ ପାଚେରି ଡେଇଁ ଚାଲିଯାଇଥିବା ଅନୁମାନ କରାଯାଉଛି । ଜେଲ୍ ପରିସରରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ପୋଲିସ ତଦନ୍ତ କରୁଛି । ଏହା ବ୍ୟତୀତ କଏଦୀମାନେ ଜେଲ୍‌ରୁ ଖସିଯିବା ପଛରେ କୌଣସି କର୍ମଚାରୀଙ୍କ ଭୂମିକା ରହିଛି କି ନାହିଁ ତାହା ଜଣାପଡ଼ିନାହିଁ । ଏହି ଘଟଣା ରାତି ପ୍ରାୟ ୮ଟା ବେଳେ ଘଟିଥିବା ଅନୁମାନ କରାଯାଉଛି ।