• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଲଗାଣ ବର୍ଷା ଯୋଗୁଁ ଆସାମ, ମେଘାଳୟ ଓ ତ୍ରିପୁରାରେ ବନ୍ୟାସ୍ଥିତି । ସେଭଳି ବିଶେଷ ସୁଧୁରିନଥିବା ବେଳେ, ଅନ୍ୟ ଏକ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଦୈବୀ ଦୁର୍ବିପାକର କରାଳ ରୂପ । ମଣିପୁର ଭୂସ୍ଖଳନ ଘଟଣାରେ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ମାତ୍ର ୧୮ ବିପନ୍ନଙ୍କୁ ମାଟି ତଳୁ ଉଦ୍ଧାର କରାଯାଇଥିବା ବେଳେ, ୨୫ ଜଣଙ୍କ ଜୀବନ ଯାଇଛି ଏବଂ ଏବେବି ୩୮ ଜଣ ନିଖୋଜ ଅଛନ୍ତି । ସେନା ଶିବିରରେ ଏହି ଭୂସ୍ଖଳନ ହୋଇଥିବାରୁ ଅଧିକାଂଶ ମୃତକ ଯବାନ ବୋଲି ସୂଚନା ମିଳିଛି ।

ଘଣ୍ଟା ପରେ ଘଣ୍ଟା ବିତୁଛି । ଦିନ ପରେ ଦିନ ବିତୁଛି । ଉଦ୍ଧାର କାର୍ଯ୍ୟ ଯେତେ ଆଗକୁ ବଢ଼ୁଛି, ପଥର ଓ ମାଟି କାଦୁଅ ଭିତରୁ ମିଳୁଛି ଗୋଟିକ ପରେ ଗୋଟିଏ ଶରୀର । କାହା ଦେହରେ ପ୍ରାଣ ଅଛି, ତ ଆଉ କିଏ ନିସ୍ପନ୍ଦ । ମଣିପୁର ନୋନେ ଜିଲ୍ଲା ତୁପୁଲ ରେଳ ଷ୍ଟେସନ୍ ନିକଟରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଚିତ୍ର ବେଶ୍‌ ହୃଦୟବିଦାରକ । 

ବୁଧବାର ବିଳମ୍ବିତ ରାତିରେ ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟିଥିବା ବେଳେ, ୩ ଦିନ ହେଲାଣି ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଭାରତୀୟ ସେନା, ଆସାମ ରାଇଫଲ୍ସ, ଟେରିଟୋରିଆଲ୍ ଆର୍ମି, ଏସ୍ଡିଆର୍‌ଏଫ୍‌ ଓ ଏନ୍ଡିଆର୍‌ଏଫ୍‌ ଟିମ୍‌ର ପ୍ରାୟ ୨ଶହ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମାଟି ଅତଡ଼ା ତଳେ ଫସିଥିବା ବିପନ୍ନଙ୍କୁ ଠାବ ପାଇଁ  ଡଗ୍ ସ୍କ୍ୱାଡ୍ ସହିତ ୫ରୁ ଅଧିକ ଜେସିବି ମେସିନ୍ ଏବଂ ଥ୍ରୁ ଓ୍ୱାଲ୍ ଇମେଜିଂ ରାଡାର୍ ନିୟୋଜିତ ହୋଇଛି । ଅପରେସନ୍‌କୁ ତ୍ୱରାଲ୍ୱିତ କରିବା ପାଇଁ ଅଧିକ ଟିମ୍ ମୁତୟନ କରାଯାଉଛି । ହେଲେ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳକୁ ଭାରି ଉପକରଣ ଆଣିବା ସମ୍ଭବ ହେଉନଥିବା ସ୍ଥାନୀୟ ପ୍ରଶାସନ କହିଛି ।

 

ତୁପୁଲ ରେଳ ଷ୍ଟେସନ୍ ନିକଟରେ ତିଆରି ହେଉଥିଲା ଜିରିବାମରୁ ରାଜଧାନୀ ଇମ୍ଫାଲକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ ରେଳପଥ । ନିର୍ମାଣାଧୀନ ରେଳପଥ ଓ ନିର୍ମାଣକାର୍ଯ୍ୟରେ ଲାଗିଥିବା କର୍ମଚାରୀଙ୍କ ସୁରକ୍ଷା ପାଇଁ ୧୦୭ ଟେରିଟୋରିଆଲ୍ ଆର୍ମି ଓ ଭାରତୀୟ ସେନା ମୁତୟନ ହୋଇଥିଲେ । ହେଲେ ବୁଧବାର ମଧ୍ୟରାତ୍ରରେ କ୍ୟାମ୍ପରେ ସମସ୍ତେ ଶୋଇଥିବା ବେଳେ, ଅଚାନକ ଘଟିଥିଲା ଭୟଙ୍କର ଭୂସ୍ଖଳନ, ଲଗାଣ ବର୍ଷା ଯୋଗୁଁ ହୋଇଥିବା ଦୁର୍ବିପାକ, କେହି କିଛି ବୁଝିବା ଆଗରୁ ନିଜ କବଳକୁ ନେଇସାରିଥିଲା ୮୦ରୁ ଅଧିକ ଯବାନ ଓ ସ୍ଥାନୀୟ ଲୋକଙ୍କୁ ।

ମୃତକଙ୍କ ମଧ୍ୟରେ ଅଧିକାଂଶ ଟେରିଟୋରିଆଲ୍ ଆର୍ମିର ଯବାନ ଥିବା ବେଳେ, ଜଣେ ଜେସିଓ ମଧ୍ୟ ଅଛନ୍ତି । ସେମାନଙ୍କ ମରଶରୀରକୁ ୨ଟି ବାୟୁସେନା ବିମାନ ଓ ଗୋଟିଏ ଆର୍ମି ହେଲିକପ୍ଟର ଯୋଗେ ନିଜନିଜ ହୋମ୍‌ଷ୍ଟେସନକୁ ପଠାଯାଇଥିବା ସୂଚନା ମିଳିଛି । ତେଣେ ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କ ଲାଗି ୫୦ ହଜାର ଟଙ୍କାର ଅନୁକଂପାରାଶି ଘୋଷଣା କରିଛନ୍ତି ମଣିପୁର ସରକାର । ଏକାଧିକ ଥର ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଏହା ରାଜ୍ୟ ଇତିହାସରେ ସବୁଠୁ ବଡ଼ ଦୁର୍ବିପାକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂ ।

ଏହି ଭୂସ୍ଖଳନ ଫଳରେ ତୁପୁଲ ରେଳଷ୍ଟେସନ କୋଠା ଓ ନବନିର୍ମିତ ରେଳପଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେଣେ ଆଜି ସେହି ନୋନେ ଜିଲ୍ଲା ମାରାଙ୍ଗ୍ଚିଙ୍ଗ୍‌ରେ ଆଜି ଆଉ ଏକ ଭୂସ୍ଖଳନ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଏବେବି ରାଜ୍ୟର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି ।