• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସନ୍ତାକାଲି ସେୟାର ବଜାରକୁ ଆସିବ ଏଲ୍ଆଇସିର ଷ୍ଟକ୍ । ଏହାକୁ ନେଇ ନିବେଶକ ଯେତିକି ଉତ୍ସାହୀ, ସେତିକି ଆଶଙ୍କାରେ । କାରଣ ପହିଲି ନାଚରୁ ଗୋଡ଼ ଫରକା ଭଳି ଗ୍ରେ ମାର୍କେଟ୍‌ରେ ଏଲ୍ଆଇସି ସେୟାରର ମୂଲ୍ୟ ଖସିଛି । ଏଥିପାଇଁ ବିଶ୍ୱ ବଜାରରେ ଅସ୍ଥିରତା ଓ ଉଚ୍ଚ ମୁଦ୍ରାସ୍ଫୀତିକୁ ଦାୟୀ କରାଯାଉଛି । ତେବେ ଦୀର୍ଘମିଆଦୀ ଭିତ୍ତିରେ ଏହା ଉତ୍ତମ ରିଟର୍ଣ୍ଣ ଦେବ ବୋଲି କହିଛନ୍ତି ବଜାର ସମୀକ୍ଷକ ।

ଆସନ୍ତାକାଲି ଷ୍ଟକ୍ ମାର୍କେଟରେ ଏଲ୍ଆଇସି ଷ୍ଟକ୍ ଏଣ୍ଟ୍ରି ମାରିବ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ । ମେ ୪ରୁ ୬ ଦିନ ପାଇଁ ଖୋଲାଥିବା ଦେଶର ସର୍ବବୃହତ ଆଇପିଓ । ୨.୯ ଗୁଣା ସବ୍‌ସ୍କ୍ରିପସନ୍‌ ଦେଖିବାକୁ ମିଲିଥିଲା । ପଲିସିଧାରୀଙ୍କ ଲାଗି ଥିବା ଏଲ୍ଆଇସି ସେୟାର ୬.୧ ଗୁଣା ସବ୍‌ସ୍କ୍ରାଇବ୍‌ ହୋଇଥିବା ବେଳେ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ସେୟାର ୪.୪ ଗୁଣା, ଖୁଚୁରା ନିବେଶକଙ୍କ ସେୟାର ୧.୯ ଗୁଣା ଆବେଦନ ପାଇଥିଲା ।

ମେ ୧୨ରେ ଏଲ୍ଆଇସି ଷ୍ଟକ୍ ଆଲଟ୍‌ମେଣ୍ଟ ମଧ୍ୟ ସରିଯାଇଛି । କେବଳ ଗୋଟିଏ ଲଟ୍ ବା ୧୫ଟି ସେୟାର ପାଇଁ ଆବେଦନ କରିଥିବା କ୍ଷୁଦ୍ର ନିବେଶକଙ୍କୁ ମିଳିଛି ଆବେଦନ ମୁତାବକ ପୂର୍ଣ୍ଣ ଆଲଟ୍‌ମେଣ୍ଟ । ବଳକା ନିବେଶକଙ୍କୁ ସେମାନଙ୍କ ଆବେଦନ ହାର ଆଧାରରେ ସେୟାର ପ୍ରଦାନ କରାଯାଇଛି, ଯାହାକୁ ନେଇ ସାମାନ୍ୟ ଅସନ୍ତୁଷ୍ଟ ରହିଛନ୍ତି ନିବେଶକ ।

 

ତେବେ ଏସବୁ ଭିତରେ ଅନଧିକୃତ ବା ଗ୍ରେ ମାର୍କେଟ୍‌ରେ ଖସିଛି । ଏଲ୍ଆଇସି ସେୟାର ମୂଲ୍ୟ ନିବେଶକଙ୍କ ଲାଗି ସର୍ବୋଚ୍ଚ ୯୪୯ ଟଙ୍କା ଥିବା ଏଲ୍ଆଇସି ସେୟାର ମୂଲ୍ୟ ୨୦ ଟଙ୍କା କମ୍ । ଅର୍ଥାତ୍ ୯୨୯ରୁ ୯୩୦ ଟଙ୍କାରେ କାରବାର ହେଉଛି । ଏ ଭିତରେ ମୂଲ୍ୟ ସର୍ବାଧିକ ୩୦ରୁ ୩୫ ଟଙ୍କା ମଧ୍ୟ ଖସିଥିଲା । ଷ୍ଟକ୍ ବଜାର ସମୀକ୍ଷକଙ୍କ କହିବା କଥା, ୟୁକ୍ରେନ୍-ରୁଷିଆ ଯୁଦ୍ଧ ଯୋଗୁ ବିଶ୍ୱ ବଜାର ଅସ୍ଥିରତା ଲାଗି ରହିଛି।

ମୁଦ୍ରାସ୍ଫୀତି ଉପରମୁହାଁ ହୋଇଥିବାରୁ ଏହାକୁ ନିୟନ୍ତ୍ରଣ ଲାଗି ସୁଧହାର ବଢ଼ାଯାଇଛି । ଯେଉଁଥିପାଇଁ ଅସ୍ଥିର ହୋଇଛି ଷ୍ଟକ୍ ମାର୍କେଟ୍ । ଏହି କାରଣରୁ ତାଲିକାଭୁକ୍ତ ହେବା ପୂର୍ବରୁ ଗ୍ରେ ମାର୍କେଟ୍‌ରେ ଏଲ୍ଆଇସି ସେୟାର ମୂଲ୍ୟ ସାମାନ୍ୟ କମିଛି । ମଙ୍ଗଳବାର ଷ୍ଟକ୍ ମାର୍କେଟ୍‌ରେ ତାଲିକାଭୁକ୍ତ ହେବାଯାଏଁ ସେୟାର ମୂଲ୍ୟ ସାମାନ୍ୟ କମ୍ ରହିପାରେ ।

ଏପଟେ ଏଲ୍ଆଇସି ଷ୍ଟକ୍ ନେଇ ଫାଇନାନ୍ସିଆଲ ଏକ୍ସପର୍ଟଙ୍କ ଆକଳନ, ସରକାର ଏଲ୍ଆଇସିରୁ ୩.୫ ପ୍ରତିଶତ ବା ୨୧ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିବା ପରେ ସାଧାରଣ ଜନତା, ଅନୁଷ୍ଠାନ ଓ ନିବେଶକ ଏହାର ଅଂଶୀଦାର ବନିଛନ୍ତି । ଏଣୁ ଏଲ୍ଆଇସି ଆଗାମୀ ଦିନରେ ସେମାନଙ୍କ ନିକଟରେ ଉତ୍ତରଦାୟୀ ରହିବ ।

ଦ୍ୱିତୀୟତଃ କୌଣସି ବ୍ୟବସାୟ ରାତାରାତି ଲାଭ ଦିଏନି । ସାଧାରଣତଃ ଭାବେ କୌଣସି ବ୍ୟବସାୟକୁ ଲାଭଜନକ ସ୍ଥିତିକୁ ଆସିବାକୁ ସମୟ ଲାଗେ । ତେଣୁ ଯେଉଁମାନେ ନିବେଶ କରିଛନ୍ତି, ସେମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । ଦୀର୍ଘମିଆଦୀ ଭିତ୍ତିରେ ଏଲ୍ଆଇସି ସେୟାର ନିଶ୍ଚିତ ଭଲ ରିଟର୍ଣ୍ଣ ଦେବ ବୋଲି କହିଛନ୍ତି ବଜାର ସମୀକ୍ଷକ ।

ଅପେକ୍ଷା ଆସନ୍ତାକାଲିକୁ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହେବା ପରେ ପ୍ରଥମ ଦିନରେ କଣ ରହୁଛି ଏଲ୍ଆଇସି ସେୟାରର ସ୍ଥିତି, ତାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ନିବେଶକ ।