• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭିକାରୀ ପାଇଲେ ଶିକ୍ଷକ ଚାକିରି । ହୁଏତ ଏହି ଘଟଣା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ଆଉ କହିବେ ଜଣେ ଭିକାରୀ କେମିତି ଚାକିରି ପାଇଲେ?  ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଯେ, ଜଣେ ଭିକାରୀ ଏବେ ଶିକ୍ଷକ ଚାକିରି ପାଇଛନ୍ତି । ଯାହାକୁ ନେଇ ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ଏତିକି ନୁହେଁ ବରଂ ଚାକିରି ପଛରେ ଯେଉଁ ସତ୍ୟତା ଲୁଚି ରହିଛି ତାହା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଆଲାକା କେଦାରଶ୍ୱର । ବୟସ ୫୫ ହେଲାଣି, ବିଇଡ଼ି ପାସ୍‌ କରିଥିବା କେଦାର ୧୯୯୬ରେ ଶିକ୍ଷକତା କରିବା ପାଇଁ ଆବେଦନ କରିଥିଲେ କିନ୍ତୁ ସଫଳ ହୋଇନଥିଲେ । ପରେ ପୁଣି ୨ ବର୍ଷ ପରେ ଅର୍ଥାତ୍‌ ୧୯୯୮ରେ ଶିକ୍ଷକତା ପାଇଁ ଆବେଦନ କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ। କିନ୍ତୁ ବିବାଦ ଘେରକୁ ଆସିବା ପରେ କୋର୍ଟରେ ଏନେଇ ମାମଲା ଦାୟର ହୋଇଥିଲା। ଆଉ ଶିକ୍ଷକତା କରିବା ଆଶା କେଦାରଙ୍କର ମୌଳି ଯାଇଥିଲା ।

ଶିକ୍ଷକତା ଚାକିରି କରିବା ଆଶା ରଖିଥିବା କେଦାର କିନ୍ତୁ ଅଦାଲତି ଧନ୍ଦାରେ ଛନ୍ଦି ହୋଇ ରହିଲେନି ବରଂ ପରିବାର ପ୍ରତିପୋଷଣ କରିବା ପାଇଁ ଶାଢୀ ବ୍ୟବସାୟ ଆରମ୍ଭ କରିଥିଲେ । ହେଲେ ଭାଗ୍ୟ କିନ୍ତୁ ଏଥିରେ ବି ତାଙ୍କର ସାଥ୍‌ ଦେଲାନି। ପରିବାର ଚଳାଇବା ଲାଗି ଶେଷରେ ଭିକ୍ଷାବୃତ୍ତି କରିବାକୁ ନିଷ୍ପତ୍ତି ନେଲେ କେଦାର । ଆଉ ସେଥିରୁ ଯେତିକି ଟଙ୍କା ରୋଜଗାର ହୁଏ ସେତିକିରେ ପୂରା ପରିବାର ଚଳେ ।

 

ହେଲେ ବର୍ତ୍ତମାନ ସମୟ ବଦଳିଛି, ୯୮ ମସିହାରେ କେଦାର ଦେଖିଥିବା ସ୍ୱପ୍ନ ୨୪ ବର୍ଷ ପରେ ପୂରଣ ହୋଇଛି । କାରଣ ଆନ୍ଧ୍ର କୋର୍ଟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ୯୮ ମସିହାରେ ଯେଉଁମାନେ ଶିକ୍ଷକତା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ, ସେମାନଙ୍କୁ ଏବେ ନିଯୁକ୍ତି ଦେବେ ସରକାର । ଆଉ ପ୍ରକାଶ ପାଇଥିବା ତାଲିକାରେ କେଦାରଙ୍କ ନାଁ ବି ସାମିଲ ଥିଲା । ହେଲେ ଏନେଇ କିନ୍ତୁ କେଦାନଙ୍କ ପାଖରେ କୌଣସି ଖବର ନଥିଲା।

କେଦାରଙ୍କ ନିଯୁକ୍ତି ସମ୍ପର୍କରେ ଗାଁର କିଛି ଯୁବକ ତାଙ୍କୁ ଜଣାଇଥିଲେ। ହେଲେ ୨୪ ବର୍ଷର ଏ ସତକୁ କିନ୍ତୁ ବିଶ୍ୱାସ କରିପାରିନଥିଲେ କେଦାର । ହେଲେ କେଦାରଙ୍କୁ କିନ୍ତୁ ଗାଁ ଯୁବକମାନେ ସମ୍ମାନିତ କରିବା ସହ ଏକ ସ୍ମାର୍ଟ ଫୋନ୍‌ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦେଇଛନ୍ତି । ହେଲେ ମୂଳରୁ ଚାକିରି କରିନଥିବା କେଦାର କିନ୍ତୁ ଆଉ ୬ ବର୍ଷ ପରେ ଅବସର ନେବେ।

ତେବେ କେଦାର ବର୍ତ୍ତମାନ ଚାକିରି ପାଇଥିବାରୁ ସେ ନିଜେ ଏବଂ ପୂରା ପରିବାର ବେଶ୍‌ ଖୁସିରେ ଅଛନ୍ତି । ସତରେ ଭାଗ୍ୟ ଯେ କେତେବଳେ ପରିବର୍ତ୍ତନ ହେବ ତାହା କହିହେବନି । ବୋଧହୁଏ ଏହା ହେଉଛି ତାହାର ଶ୍ରେଷ୍ଠ ଉଦାହରଣ ।

ନାରାୟଣପାଟଣାରୁ ଗୋବିନ୍ଦ ରାଜ ସୁବୁଦ୍ଧିଙ୍କ ରିପୋର୍ଟ, ଓଟିଭି