• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜୁନ୍ ପହିଲାରୁ ଦେଶରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲ୍‌ମାର୍କିଂ । ଓଡ଼ିଶାର ପୁରୀ ସମେତ ଦେଶର ମୋଟ ୩୨ ଜିଲ୍ଲାରେ କେବଳ ହଲ୍‌ମାର୍କିଂ ସୁନା ବିକିବାକୁ ବାଧ୍ୟହେବେ ଗହଣା ବ୍ୟବସାୟୀ । ଏହାସହ ଦ୍ୱିତୀୟ ପର୍ଯ୍ୟାୟରେ ୩ଟି ନୂଆ ବର୍ଗ ଅର୍ଥାତ୍ ୨୦, ୨୩ ଓ ୨୪ କ୍ୟାରେଟ୍ ସୁନାର ହଲ୍‌ମାର୍କିଂ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

୨୦୨୧ ଜୁନ୍ ୨୩ରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ- BIS, ଓଡ଼ିଶାର ୮ ଜିଲ୍ଲା- ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ବ୍ରହ୍ମପୁର, ସମ୍ବଲପୁର ଓ ଭଦ୍ରକ ସମେତ ଦେଶର ମୋଟ ୨୫୬ଟି ଜିଲ୍ଲାରେ ହଲ୍‌ମାର୍କିଂ ବାଧ୍ୟତାମୂଳକ ନିୟମ ଲାଗୁ କରିଥିଲା । ଫଳରେ ଏସବୁ ଜିଲ୍ଲାର ଗହଣା ଦୋକାନରେ କେବଳ ହଲ୍‌ମାର୍କିଂ ସୁନା ବିକ୍ରି ହେଉଛି ।

ବର୍ତ୍ତମାନ ଦେଶରେ ୨୨ ଓ ୧୮ କ୍ୟାରେଟ୍ ସୁନାର ହଲ୍‌ମାର୍କିଂ ହେଉଛି । ବିଭିନ୍ନ BIS ସ୍ୱୀକୃତିପ୍ରାପ୍ତ ହଲ୍‌ମାର୍କିଂ ସଂସ୍ଥା ପ୍ରତିଦିନ ଦେଶରେ ପାଖାପାଖି ୩ ଲକ୍ଷରୁ ଅଧିକ ସୁନା ଅଳଙ୍କାରର ହଲ୍‌ମାର୍କିଂ କରୁଛନ୍ତି । ସୁନା ଗହଣାର ହଲ୍‌ମାର୍କିଂ ବାଧ୍ୟତାମୂଳକ ଲାଗି ସରକାରଙ୍କ ନିଷ୍ପତ୍ତିକୁ ଗ୍ରାହକ ଓ ଗହଣା ବ୍ୟବସାୟୀ ସ୍ୱାଗତ କରିଛନ୍ତି ।

ଏବେ ମନରେ ପ୍ରଶ୍ନ ଉଠୁଛି କଣ ଏ ହଲ୍‌ମାର୍କିଂ ? କେମିତି କରାଯାଏ ସୁନା ଗହଣାର ହଲ୍‌ମାର୍କିଂ ? ହଲ୍‌ମାର୍କିଂ ହେଲେ କଣ ଫାଇଦା ମିଳିବ ? BIS ଦ୍ୱାରା ସ୍ୱୀକୃତିପ୍ରାପ୍ତ ହଲ୍‌ମାର୍କିଂ ସଂସ୍ଥା ହିଁ ସୁନା ଗହଣାର ହଲ୍‌ମାର୍କିଂ କରିଥାନ୍ତି । ହଲ୍‌ମାର୍କିଂ ସଂସ୍ଥାଙ୍କ କହିବା ଅନୁସାରେ, ଗହଣା ଦୋକାନୀ ସୁନା ଗହଣା ବିକିବା ପୂର୍ବରୁ ସେମାନଙ୍କ ନିକଟକୁ ହଲ୍‌ମାର୍କିଂ ଲାଗି ଆଣିଥାନ୍ତି । ସେମାନେ ପ୍ରତି ଗହଣା ଲଟ୍‌ରୁ ନମୁନା ନେଇ ତାର ପରୀକ୍ଷା କରିଥାନ୍ତି ।

ଗହଣା ବ୍ୟବସାୟୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଗୁଣବତ୍ତା ଅନୁସାରେ, ପରୀକ୍ଷା ହୋଇଥିବା ସୁନାର ମାନ ମିଶିଲେ, ତାକୁ ହଲ୍‌ମାର୍କିଂ କରାଯାଇଥାଏ । ଗହଣାରେ ସୁନାର ଗୁଣବତ୍ତା ସହ BIS ହଲ୍‌ମାର୍କ ଚିହ୍ନ ଲଗାଯାଏ । ଏହାସହ ଏଥିରେ ଏକ ୬ ଅଙ୍କ ବିଶିଷ୍ଟ ୟୁନିକ୍ କୋଡ୍ ଦିଆଯାଉଛି । ସେପାଖେ ଗହଣା ବିକ୍ରି ବେଳେ ଗହଣା ଦୋକାନୀ କ୍ରେତାଙ୍କୁ ଗହଣାରେ ଥିବା କୋଡ୍ ସହ ସମାନ ଥିବା ଏହି ହଲ୍‌ମାର୍କିଂ ୟୁନିକ୍ ଆଇଡି ପ୍ରଦାନ କରିବେ ।

ଗ୍ରାହକମାନେ BIS କେୟାର ଆପ୍ ମାଧ୍ୟମରେ ଗହଣାର ୟୁନିକ୍ ଆଇଡି ଦେଇ ସେମାନେ କିଣିଥିବା ସୁନା ଗହଣା, ଏହାର ନିର୍ମାତା ଓ ହଲ୍‌ମାର୍କିଂ କରିଥିବା ସଂସ୍ଥା ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ । ଫଳରେ ଗ୍ରାହକ ଆଉ ସୁନାର ଗୁଣବତ୍ତା ନେଇ ଠକାମୀର ସମ୍ମୁଖୀନ ହେବେନି ।

ସାରା ଦେଶରେ ହଲ୍‌ମାର୍କିଂ ବାଧ୍ୟତାମୂଳକ ହେବା ଦ୍ୱାରା ସୁନା ଗହଣା ଠକାମୀକୁ ସମ୍ପୂର୍ଣ୍ଣ ରୋକାଯାଇପାରିବ ବୋଲି ଲକ୍ଷ୍ୟ ରଖିଛନ୍ତି ସରକାର ।