ଚର୍ଚ୍ଚାରେ 3 Idiotsର ଫୁନ୍‌ସୁକ୍ ୱାଙ୍ଗଡୁ ! ମାଇନସ ୪୦ ଡିଗ୍ରୀରେ କରୁଛନ୍ତି ଆମରଣ ଅନଶନ...

ଲଦାଖକୁ ବଞ୍ଚାଇବା ପାଇଁ ଅପିଲ୍ କରିଛନ୍ତି ।

Sonam Wangchuk

ପୁଣି ଚର୍ଚ୍ଚାରେ ଥ୍ରୀ ଇଡିଅଟ୍‌ସର ମୁଖ୍ୟ ଚରିତ୍ର ଫୁନସୁକ୍ ୱାଙ୍ଗଡୁ ବା ସୋନମ୍ ୱାଙ୍ଗଚୁକ୍ । ଲଦାଖରେ ଏବେ ମାଇନସ ୪୦ ଡିଗ୍ରୀରେ ଅନଶନ କରୁଛନ୍ତି । ALL IS NOT WELL in ଲଦାଖ । ହଁ, ବିପଦରେ ପଡ଼ିଛି ଲଦାଖ । ବଦଳୁଥିବା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ବିପଦ ମୁହାଁ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ । ଏଣୁ ଲଦାଖକୁ ବଞ୍ଚାଇବା ପାଇଁ ମାଇନସ ୪୦ ଡିଗ୍ରୀରେ ନିଜ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ସୋନମ୍ ୱାଙ୍ଗଚୁକ୍ ।

ସୋନମ୍ ୱାଙ୍ଗଚୁକ୍ ଏବେ ନିଜର ପୂର୍ବ ଘୋଷିତ ୫ ଦିନିଆ ଅନଶନ ଆରମ୍ଭ କରିଛନ୍ତି । ବିଶିଷ୍ଟ ସମାଜ ସଂସ୍କାରକ, ଶିକ୍ଷାବିତ ତଥା ଯାହାଙ୍କ ଚରିତ୍ରକୁ ନେଇ ନିର୍ମାଣ ହୋଇଥିଲା ଥ୍ରୀ ଇଡିୟଟ୍‌ସ ଫିଲ୍ମ, ସେହି ସୋନମ୍ ୱାଙ୍ଗଚୁକଙ୍କ ଅନଶନକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଚର୍ଚ୍ଚା ଏଇଥି ପାଇଁ  ପ୍ରକୃତିରାଣୀର ଶୋଭା ବଢ଼ାଉଥିବା ଲଦାଖର ସବୁଠାରୁ ବିପଦ ପୂର୍ଣ୍ଣ ସ୍ଥାନ ଖରଦୁଙ୍ଗଲାରେ ଅନଶନ କରି ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଲଦାଖକୁ ବଞ୍ଚାଇବା ପାଇଁ ଅପିଲ୍ କରିଛନ୍ତି ।

କେବଳ ବିଗୁଡିଥିବା ଜଳବାୟୁ ପରିବର୍ତ୍ତନରୁ ଲଦାଖକୁ ବଞ୍ଚାଇବା ପାଇଁ ନୁହେଁ । ସମ୍ବିଧାନର ଧାରା ୩୭୦ ଉଠିବା ପରେ ଲଦାଖକୁ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ମିଳିଛି । ହେଲେ ଏଠାରେ ଏବେ ବି ସମ୍ବିଧାନଗତ ସୁରକ୍ଷା ପ୍ରଦାନ କରାଯାଇନଥିବା କ୍ଷୋଭର ସହ କହିଛନ୍ତି ସୋନମ୍ ୱାଙ୍ଗଚୁକ୍ । ଏମିତି କି ଅନେକ ସଂସ୍ଥା ଲଦାଖର ଯୁବକ ଯୁବତୀଙ୍କ ନିଯୁକ୍ତିର ସଂରକ୍ଷଣ ଲାଗି ଆଗେଇ ଆସିଲେଣି । ତେଣୁ ଲଦାଖ ବଞ୍ଚାଓ ନାରା ଦେଇ ସୋନମ୍ ୱାଙ୍ଗଚୁକ୍ ଏହି ଅନଶନ ଆରମ୍ଭ କରିଛନ୍ତି ।

 

ମାଗାସେସ ପୁରସ୍କାର ପ୍ରାସ୍ତ ଏବଂ ଥ୍ରୀ ଇଡିଏଟ୍ସର ଫୁନସୁକ୍ ୱାଙ୍ଗଡୁର ରିଅଲ ଚରିତ୍ର ସୋନମ୍ ୱାଙ୍ଗଚୁକ୍ ଲଦାଖର ସୁରକ୍ଷା ଓ ବିକାଶ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଆଉ ନିଜ ଭିଡିଓ ବାର୍ତ୍ତାରେ ସୋନମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରି ଲଦାଖର ସ୍ଥିତି ସମ୍ପର୍କରେ ଚିନ୍ତା ବ୍ୟକ୍ତ କରିଛନ୍ତି । କାହିଁକିନା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଲଦାଖ ଅଞ୍ଚଳରେ ଥିବା ଦୁଇ ତୃତୀୟାଂଶ ଗ୍ଲାସିୟର ଏବେ ବିଲୁପ୍ତ ହେବାକୁ ବସିଲାଣି । ଏଣୁ ଏହା ଆଗକୁ ଲଦାଖର ଜନଜାତିଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କହିଛନ୍ତି ସୋନମ୍ ।

ଜୀବନକୁ ବାଜିରେ ଲଗାଇ ମାଇନସ୍ ୪୦ ଡିଗ୍ରୀ ତଳେ ଅନଶନ କରୁଥିବା ସୋନମ୍ ଭିଡିଓ ବାର୍ତ୍ତାରେ ଆହୁରି କହିଛନ୍ତି ଯେ, ଅନଶନ ପରେ ଯଦି ସେ ବଞ୍ଚିଥାନ୍ତି ତେବେ ପୁଣି ଦେଖାହେବ ।