• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହୃଦଘାତ ନୁହେଁ ହରିୟାଣାର ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗଟଙ୍କୁ କରାଯାଇଛି ହତ୍ୟା । ତାଙ୍କର ପରିବାର ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଅନେକାଂଶରେ ସତ ସାବ୍ୟସ୍ତ କରିଛି ପୋଷ୍ଟମର୍ଟମ ରିପୋର୍ଟ । ସୋନାଲିଙ୍କ ଶରୀରରେ ଅନେକଗୁଡିଏ କ୍ଷତ ଚିହ୍ନ ଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଥିଲା । ଅନ୍ୟପକ୍ଷରେ ମାମଲାକୁ ବଳ ଦେଇଛି ଘଟଣା ଘଟିଥିବା ରାତିର ସିସିଟିଭି ଫୁଟେଜ୍ ।

ଜଣେ ଅଭିଯୁକ୍ତ ବଳପୂର୍ବକ ସୋନାଲିଙ୍କୁ ଏକ ଉତ୍କଟ ନିଶା ଦ୍ରବ୍ୟ ପିଆଉଥିବା ଦେଖିବାକୁ ମିଳିଛି । ଅଭିଯୁକ୍ତ ଏହା ସ୍ୱୀକାର କରିଥିବା ମାମଲାର ତଦନ୍ତ କରୁଥିବା ଗୋଆ ପୋଲିସ ସୂଚନା ଦେଇଛି । ଭୋର ପ୍ରାୟ ସାଢେ ୪ଟା ବେଳେ ଟଳମଳ ଅବସ୍ଥାରେ ସୋନାଲିଙ୍କୁ ତାଙ୍କର ଦୁଇ ସହଯୋଗୀ ଟଏଲଟ୍ ଯିବାରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।

ଦୁଇ ଘଣ୍ଟା ଧରି ସୋନାଲି ଟଏଲଟ୍ ମଧ୍ୟରେ ରହିଥିବା ଗୋଆ ପୋଲିସ ଆଇଜି ଓାମବୀର ସିଂହ ବିଷ୍ଣୋଇ ସୂଚନା ଦେଇଛନ୍ତି । ତେବେ ହିଷ୍ଟୋପାଥୋଲୋଜିକାଲ, ସେରୋଲୋଜିକାଲ ସହ ଭିସେରା ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଗୋଆ ପୋଲିସ ଡିଜି ଜସପାଲ ସିଂହ କହିଛନ୍ତି ।

ନିଜର ଦୁଇ ସହଯୋଗୀ ସୁଧୀର ଅଓ ସୁଖିନ୍ଦର ଓ୍ୱାସିଙ୍କ ସହ ସୋନାଲି ଗତ ୨୨ ତାରିଖରେ ଗୋଆରେ ପହଞ୍ଚିଥିଲେ । ଘଟଣା ଦିନ ରାତିରେ ତିନି ଜଣ ଯାଜ ଏକ ଟ୍ୟାକ୍ସିରେ ହୋଟେଲ ରୁମରୁ ଅଞ୍ଜୁନା ସ୍ଥିତ କ୍ଲବକୁ ପାର୍ଟି କରିବାକୁ ଯାଇଥିଲେ । ତେବେ ସୋନାଲିଙ୍କ ଅବସ୍ଥା ଗୁରୁତର ହେବା ପରେ ସୁଧୀର ଓ ସୁଖିନ୍ଦର ତାଙ୍କୁ ହୋଟେଲକୁ ନେଇ ଆସିଥିଲେ । ପରେ ହସ୍ପିଟାଲକୁ ନେଇ ଥିଲେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ହସପିଟାଲ କର୍ତ୍ତୃପକ୍ଷ କହିଥିଲେ ।

ତେବେ ସୁଧୀର ଓ ସୁଖିନ୍ଦର ସୋନାଲିଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା କରିଥିବା ଭାଇ ରିଙ୍କୁ ଢାକା ଅଞ୍ଜୁନା ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ସୋନାଲିଙ୍କୁ କ୍ଲବରୁ ହୋଟେଲ ଆଣିଥିବା କାର୍ ଡ୍ରାଇଭରକୁ ବି ପଚରାଉଚରା କରୁଛି । ଅନ୍ୟପକ୍ଷରେ ସୋନାଲିଙ୍କ ଭାଇଙ୍କ ଅଭିଯୋଗ ଓ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଗୋଆ ପୋଲିସ ସୁଧୀର ଓ ସୁଖିନ୍ଦରଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିଛି । ତେବେ କଣ ପାଇଁ ଏମାନେ ସୋନାଲିଙ୍କୁ ହତ୍ୟା କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସବୁ ଦିଗରୁ ତଦନ୍ତ ଓ ଅଭିଯୁକ୍ତଙ୍କୁ ଜେରା ସରିବା ପରେ ସତ ପଦାକୁ ଆସିବା ବୋଲି ଆଶା କରାଯାଉଛି ।