• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁଃଖଦ ଘଟଣା । ଗୋଟିଏ ପରିବାରର ୫ ଜଣଙ୍କ କଙ୍କାଳ ଉଦ୍ଧାର । ୨୦୧୯ରେ ଶେଷଥର ପାଇଁ ତାଙ୍କୁ ଦେଖିବାକୁ ମିଳିଥିଲା । ତାପରେ ଉଭାନ୍‌ ଥିଲେ ପୁରା ପରିବାର । ଏବେ ୨୦୨୩ ଶେଷ ବେଳକୁ ଉଦ୍ଧାର ହେଲା ସେମାନଙ୍କ କଙ୍କାଳ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକର ଚିତ୍ରଦୁର୍ଗା ଜିଲ୍ଲାରେ । ଏକ ଘର ଭିତରୁ ଏହି କଙ୍କାଳଗୁଡ଼ିକୁ ଉଦ୍ଧାର କରାଯାଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ତାଙ୍କର ମୃତ୍ୟୁ ହେଲା କେମିତି ? କିଏ ହତ୍ୟା କରିଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି ? ଯଦି ଆତ୍ମହତ୍ୟା କରିଛନ୍ତି ତେବେ ପୁରା ପରିବାର ଏକା ସାଙ୍ଗେ କାହିଁକି କଲେ ଆତ୍ମହତ୍ୟା ? କ’ଣ ଥିଲା କାରଣ ? ଆଉ ଯଦି ସେମାନଙ୍କୁ ହତ୍ୟା କରାଯାଇଛି ତେବେ କ’ଣ ରହିଛି କାରଣ ? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ସ୍ଥାନୀୟ ଲୋକଙ୍କ ମୁହଁରେ । ବନ୍ଧୁ ବାନ୍ଧବ ବି ଏକଥା ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି । 

ତେବେ ବନ୍ଧୁ ବାନ୍ଧବଙ୍କ କହିବା କଥା, ପୁରା ପରିବାର ଏକ ରୁଟିନ ଲାଇଫ୍‌ ମେଣ୍ଟେନ୍‌ କରୁଥିଲେ । ସେମାନଙ୍କର ଗମ୍ଭୀର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲା । ଶେଷ ଥର ପାଇଁ ସେମାନଙ୍କୁ ୨୦୧୯ରେ ଦେଖିବାକୁ ମିଳିଥିଲା । ତା’ପରଠାରୁ ତାଙ୍କ ଘର ତାଲା ପଡ଼ିଛି ।

ପାଖାପାଖି ଦୁଇ ମାସ ହେବ । ଦିନେ ସକାଳୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଲେ ଯେ ତାଙ୍କ ଘରର କବାଟ ଭାଙ୍ଗିଯାଇଛି । ସେତେବେଳ ପର୍ଯ୍ୟନ୍ତ ପୋଲିସ ପାଖରେ ମଧ୍ୟ ଖବର ପହଞ୍ଚି ନଥିଲା । ତାପରେ ସେହି ଲୋକମାନେ ଘର ଭିତରକୁ ଦେଖିବାକୁ ଚାହିଁଥିଲେ । ସେତେବେଳେ ସେମାନେ ଜାଣିଲେ ଯେ, କେବଳ କବାଟ ନୁହେଁ ବରଂ ଘର ଭିତରର ଅବସ୍ଥା ବି ଖରାପ । ଘର ଭିତରେ ବି ଅନେକ ସ୍ଥାନରେ ଭାଙ୍ଗିରୁଜି ଯାଇଛି।

ପରେ ପୋଲିସକୁ  ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରେ ପ୍ରବେଶ କରିଥିଲା । ସେଠାରେ ଦେଖିବାକୁ ପାଇଥିଲା, ଗୋଟିଏ ରୁମ୍‌ରେ ୪ଟି କଙ୍କାଳ । ଦୁଇଟି ଖଟ ଉପରେ ପଡ଼ିଥିବା ବେଳେ ଅନ୍ୟ ଦୁଇଟି ଚଟ୍ଟାଣରେ ପଡ଼ିଥିଲା । ଆଉ ଏକ କଙ୍କାଳ ଅନ୍ୟ ରୁମ୍‌ରେ ରହିଥିଲା ।

ଏହି ଖବର ସ୍ଥାନୀୟ ଅଞ୍ଚଳରେ ଦ୍ରୁତ ଗତିରେ ବ୍ୟାପିଲା । ଯିଏ ବି ଶୁଣିଲା ସିଏ ଆଶ୍ଚର୍ଯ୍ୟ ହେଲା । ତେବେ ପୋଲିସ ଓ ଫରେନ୍ସିକ୍‌ ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ପ୍ରକାର ନମୁନା ସଂଗ୍ରହ କରିଛନ୍ତି । ପୁରା ଘରକୁ ପୋଲିସ ନିଜ ହେଫାଜତକୁ ନେଇଛି । କାହାରିକୁ ଭିତରକୁ ଛଡ଼ାଯାଉ ନାହିଁ । ମୃତକଙ୍କ ମଧ୍ୟରେ ଦୁଇ ଜଣ ୮୦ ବର୍ଷରୁ ଅଧିକ ବୟସ୍କ ରହିଥିବା ଫରେନ୍ସିକ୍‌ ଟିମ୍‌ ତଦନ୍ତରୁ ଜଣାପଡ଼ିଛି । ଏହାସହ ତାଙ୍କ ପୁଅ, ଝିଅ ଓ ନାତୀର କଙ୍କାଳ ମଧ୍ୟ ପଡ଼ିଥିବା କୁହାଯାଉଛି । ଏବେ ପୁରା ଘଟଣାର ପୋଲିସ ତଦନ୍ତ କରୁଛି ।