• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘର କିଣି ବିଲ୍ଡର-ବ୍ୟାଙ୍କ ବିବାଦରେ ଫସିଛନ୍ତି କି ? ଆଉ ଟେନସନ୍ ନିଅନ୍ତୁ ନାହିଁ । କାରଣ ବ୍ୟାଙ୍କ-ବିଲ୍ଡର ବିବାଦରେ ବାସଗୃହ କ୍ରେତାଙ୍କୁ ମିଳିବ ପ୍ରାଥମିକତା, ରେରା ନିଷ୍ପତ୍ତି ହେବ । ଏମିତି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ଘର କିଣିବାକୁ ଆଗ୍ରହୀ କ୍ରେତାଙ୍କ ମଧ୍ୟରେ ଖେଳିଛି ଖୁସିର ଲହରୀ । ଏପଟେ ବ୍ୟାଙ୍କଗୁଡ଼ିକୁ ଘାରିଲାଣି ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ଏନପିଏ ଚିନ୍ତା ।

ଘର ଖଣ୍ଡିଏ ଲାଗି ବିଲ୍ଡରକୁ ଟେକି ଦେଇଛନ୍ତି କି ଜୀବନ ଯାକର ଜମା ପୁଞ୍ଜି ? ଆଉ ବିଲ୍ଡର ବ୍ୟାଙ୍କ ଋଣ ସୁଝି ନପାରିବାରୁ ବ୍ୟାଙ୍କ୍ କବଜାରେ ଫସି ରହିଛି କି ଆପଣଙ୍କ ସ୍ୱପ୍ନର ଘର? ତେବେ ଆପଣଙ୍କ ଲାଗି ଏକ ଖୁସି ଖବର । ରିଅଲ ଇଷ୍ଟେଟ୍ କମ୍ପାନି ଓ ବ୍ୟାଙ୍କର ଆଇନଗତ ବିବାଦ, ଆଉ ଆପଣଙ୍କୁ ଟେନସନ୍ ଦେବନି । ଏକଥା ରୋକଠୋକ୍ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ରାଜସ୍ଥାନର ୟୁନିଅନ୍ ବ୍ୟାଙ୍କ ଋଣରେ ତିଆରି ଏକ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପର ନିଲାମ ପ୍ରକ୍ରିୟାରେ ରହିତାଦେଶ ଲଗାଇଥିଲେ ରାଜସ୍ଥାନ ରେରା । ଏହା ବିରୋଧରେ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବ୍ୟାଙ୍କ୍ ।

ହେଲେ ହାଇକୋର୍ଟ ରେରା ସପକ୍ଷରେ ରାୟ ଶୁଣାଇଥିଲେ । କୋର୍ଟ କହିଥିଲେ, ଯଦି ବିଲ୍ଡରର ଋଣ ଖିଲାପୀ କାରଣରୁ ବ୍ୟାଙ୍କ, ପ୍ରକଳ୍ପକୁ ନିଲାମ ପାଇଁ କବଜାକୁ ନେଉଛି, ଏଭଳି କ୍ଷେତ୍ରରେ ବାସଗୃହ କ୍ରେତା ମଧ୍ୟ ରେରାର ଦ୍ୱାରସ୍ଥ ହୋଇପାରିବେ । କିନ୍ତୁ ବ୍ୟାଙ୍କ ରେରା ଅଧୀନରେ ଆସୁ ନ ଥିବାରୁ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା ୟୁନିଅନ୍ ବ୍ୟାଙ୍କ୍ । ସୁପ୍ରିମକୋର୍ଟ, ହାଇକୋର୍ଟଙ୍କ ରାୟକୁ ବଜାୟ ରଖି ବାସଗୃହ କ୍ରେତାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । କହିଥିଲେ, ଯେଉଁଠି ବାସଗୃହ କ୍ରେତାଙ୍କ ସ୍ୱାର୍ଥ ଆସୁଛି, ସେଠାରେ ରେରା ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନରେ ହସ୍ତକ୍ଷେପ କରିପାରିବ । ଏଭଳି କ୍ଷେତ୍ରରେ ବ୍ୟାଙ୍କ ନୁହେଁ, ବାସଗୃହ କ୍ରେତାଙ୍କ ସ୍ୱାର୍ଥକୁ ଦିଆଯିବ ପ୍ରାଥମିକତା । ସୁପ୍ରିମକୋର୍ଟଙ୍କ ଏଭଳି ରାୟକୁ ସ୍ୱାଗତ କରିଛନ୍ତି ବାସଗୃହ କ୍ରେତା ଓ ରିଅଲ୍ ଇଷ୍ଟେଟ୍ ସଂଘ ।

ରେରା କର୍ତ୍ତୃପକ୍ଷଙ୍କ କହିବା କଥା, ବାସଗୃହ କ୍ରେତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଣାଯାଇଛି ରେରା ଆଇନ୍ । ରେରା ଆଇନର ଧାରା ୧୧- ୪ ଏଚ୍ ଅନୁସାରେ, ବାସଗୃହ କ୍ରେତାଙ୍କ ସହ ଚୁକ୍ତି ପରେ ବିଲ୍ଡର ଉକ୍ତ ଘରକୁ ଅନ୍ୟ କାହା ନିକଟରେ ବନ୍ଧକ ପକାଇ ପାରିବ ନାହିଁ । ଯଦି ଏମିତି ହୁଏ ଓ ପରେ ସମସ୍ୟା ଦେଖାଦିଏ, ତେବେ ଉକ୍ତ ସମ୍ପତ୍ତି ଉପରେ ଅନ୍ୟ କୌଣସି ଆଇନର କାର୍ଯ୍ୟାନୁଷ୍ଠାନ ଉପରେ ଭାରି ପଡ଼ିବ ରେରାର କାର୍ଯ୍ୟାନୁଷ୍ଠାନ ।

ଏହାକୁ ଆଧାର କରି ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏପଟେ ବ୍ୟାଙ୍କରଙ୍କ କହିବା କଥା, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ରିଅଲ୍ ଇଷ୍ଟେଟ୍ ସଂସ୍ଥା ନିକଟରୁ ଋଣ ଅସୁଲରେ ବିଫଳ ହେବେ ବ୍ୟାଙ୍କ , ଏହାଦ୍ୱାରା ଏନପିଏ ବଢ଼ିବ । ତେଣୁ ସୁପ୍ରିମକୋର୍ଟ ଏ ମାମଲାର ପୁନର୍ବିଚାର କରିବା ଉଚିତ ।

ସୁପ୍ରିମକୋର୍ଟଙ୍କ ରାୟ ତ ବାସଗୃହ କ୍ରେତାଙ୍କୁ ପୂର୍ଣ୍ଣ ନ୍ୟାୟ ଦେଉଛି । ତେବେ ଏଭଳି ସ୍ଥିତିରେ ରିଅଲ୍ ଇଷ୍ଟେଟ୍ ସଂସ୍ଥାଙ୍କୁ ଦେଇଥିବା ଋଣ ଅସୁଲରେ କେତେ ସଫଳ ହେବେ ବ୍ୟାଙ୍କ? ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ