’ଇଶା ଫାଉଣ୍ଡେସନ୍ ଦ୍ୱାରା ଚାଲିଛି ମୃତ୍ତିକା ସଂରକ୍ଷଣ ଆନ୍ଦୋଳନ । ବିଶ୍ୱରେ ବର୍ତ୍ତମାନ କେବଳ ୮୦ରୁ ୧୦୦ ଫସଲ ପାଇଁ ଉର୍ବର ମାଟି ଅଛି, ଯାହା ସର୍ବାଧିକ ୬୦ବର୍ଷ ପର୍ଯ୍ୟନ୍ତ ରହିବ । ଇଶା ଫାଉଣ୍ଡେସନର ଲେଖକ ତଥା ପ୍ରତିଷ୍ଠାତା ସଗୁଗୁରୁ କହିଛନ୍ତି, ମାଟିରେ ଜୈବିକ ପଦାର୍ଥରଅଭାବ ଯୋଗୁଁ ପୃଥିବୀର ୪୦ପ୍ରତିଶତଉପରିଭାଗ ମାଟି ନଷ୍ଟ ହୋଇଯାଇଛି। ହେଲେ ଏବେ ବି ବିଳମ୍ବ ହୋଇନି । ସ୍ଥିତ ଭୟଙ୍କର ହେବା ପୂର୍ବରୁ ଆମକୁ ଆଗେଇ ଆସିବାକୁ ପଡ଼ିବ । ନଚେତ୍ ଖୁବ ଶୀଘ୍ର ଶସ୍ୟ ଶ୍ୟାମଳା ହୋଇ ହସି ଉଠୁଥିବା ପୃଥିବୀ ମରୁଭୂମିରେ ପରିଣତ ହେବ । ’
ମାଟିର ମହକ ହଜିବାକୁ ବସିଲାଣି । ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବାରୁ ଉତ୍ପାଦନ କ୍ଷମତା ହରାଉଛି ମୃତ୍ତିକା । ପୂର୍ବପରି ଭଲ ଫସଲ ହେଉନି । ମୃତ୍ତିକା କ୍ଷୟର ମୁଖ୍ୟ କାରଣ ପାଲଟିଛି କୀଟନାଶକ, ରାସାୟନିକ ପଦାର୍ଥର ଅତ୍ୟଧିକ ବ୍ୟବହାର । ମୃତ୍ତିକା ମୁଖ୍ୟତଃ ଜୈବିକ ବସ୍ତୁ ଆବଶ୍ୟକ କରେ । ମାଟିରେ ଜୈବିକ ଗୁଣକୁ ବଜାୟ ରଖିବାର ଏକମାତ୍ର ଉପାୟ ହେଉଛି ଗଛଲତା ଏବଂ ପଶୁଙ୍କ ବର୍ଜ୍ୟବସ୍ତୁ । ବର୍ତ୍ତମାନ ଚାଷ କରିବାର ପଦ୍ଧତିରେ ପରିବର୍ତ୍ତନ ହୋଇଯାଇଛି । ହଳଲଙ୍ଗଳ ବଦଳରେ କଳ କରୁଛି ଚାଷ । ସହଜରେ ଓ ସୁବିଧାରେ ଅମଳ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର କରାଯାଉଛି । ହଳ ଠାରୁ ଆରମ୍ଭ କରି, ଧାନ ରୁଆ, ଧାନ କଟା, ବେଙ୍ଗଳା, ଧାନ କଢ଼ା, ଧାନ କୁଟା ସବୁ କିଛି ମେସିନ୍ରେ ହେଉଛି ।
ପୂର୍ବରୁ ଚାଷୀ ପରିବାରରେ ଗାଈ,ବଳଦ, ମେଣ୍ଢା, ମଇଁଷୀ ଆଦି ପାଳୁଥିଲେ । ଗୋଟିଏ ପଟେ ବଦଳ ଚାଷ କାମରେ ଲାଗୁଥିବା ବେଳେ ଗୋବର ଖତ ଜମିରେ ପଡ଼ୁଥିଲା । ହେଲେ ଏବେ କାହା ପାଖରେ ବଦଳ ନାହିଁ, ଗୋବର ଆସିବ କେଉଁଠୁ ? ଜମି ପାଇଁ ଖତ କୋଉଠୁ ଆସିବ ? ଏପରି ହେବା ଦ୍ୱାରା ମୃତ୍ତିକାର ଉର୍ବରତ୍ତା ବଢ଼ୁନି । ସାର ପକାଇ ଅଧିକ ଅମଳ କରିବାକୁ ଚେଷ୍ଟା କରୁଛନ୍ତି ଲୋକେ । ଏରି କରିବା ଦ୍ୱାରା ଏବେ ମାଟି ଭଲ ଫସଲ ଦେଉଥିଲେ ବି ଆଗାମୀ ଭବିଷ୍ୟତ ଅନ୍ଧାରରେ । ଆଗକୁ ଜମିରେ ଦୁବ କଅଁଳିବା ମଧ୍ୟ କଷ୍ଟକର ହୋଇପଡ଼ିବ ।
ମୃତ୍ତିକାକୁ କିପରି ପୁନର୍ଜୀବିତ କରିବେ ?
ଏହାକୁ ଦୃଷ୍ଟିରେ ରଖି ମାଟିର ଉର୍ବରତାକୁ ରକ୍ଷା କରିବା ପାଇଁ ଇଶା ଫାଉଣ୍ଡେସନ୍ ସଦଗୁରୁଙ୍କ ନେତୃତ୍ୱରେ ସେଭ୍ ସଏଲ୍ ଆନ୍ଦୋଳନ ଜାରି ରଖିଛି । ଅଭିଯାନର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ମାଟି ଏବଂ ପୃଥିବୀ ବିଷୟରେ ସଚେତନତା ଆଣିବା । ଏହି ଆନ୍ଦୋଳନର ଅନ୍ୟ ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସମସ୍ତ ଦେଶର ସରକାରଙ୍କୁ ମଧ୍ୟ ଏ ସମ୍ପର୍କରେ ସଚେତନ କରାଯିବ, ଯାହା ପରିବେଶ ଏବଂ ମାଟିକୁ ପୁନର୍ଜୀବିତ କରିବ ।
ମାଟିରୁ କିଛି ପାଇବାକୁ ହେଲେ ମାଟିକୁ କିଛି ଦବାକୁ ପଡ଼ିବ
ସଦଗୁରୁଙ୍କ କହିବା ଅନୁସାରେ ଅତ୍ୟାଧୁନିକ ଶୈଳୀରେ ଚାଷ କରୁ କରୁ ମାଟି ଉର୍ବରତା ହରାଇଲାଣି । ମାଟିକୁ ଆମେ ଅସୀମ ଉତ୍ସ ବୋଲି ଭାବିବା ଠିକ୍ ନୁହେଁ.. । ମାଟିରୁ କିଛି ପାଇବାକୁ ହେଲେ ଆମକୁ ମାଟିକୁ କିଛି ଦବାକୁ ପଡ଼ିବ । ମାଟିରୁ ଆଉ ଆଗ ଭଳି ଅମଳ ହେଉନାହିଁ ।ଏଥିପାଇଁ ମାଟିକୁ ତା’ର ଜୈବିକ ତତ୍ତ୍ୱ ଫେରାଇବାକୁ ପଡ଼ିବ । ଜୈବିକ ଉପାୟରେ ଚାଷ କଲେ ହିଁ ଅଗାମୀ ପିଢ଼ି ଏକ ସୁନ୍ଦର ଭବିଷ୍ୟତ ଦେଖିପାରିବ । ପୁଣି ସବୁଜ ବନାନୀରେ ହସି ଉଠିବ ମାଟି ମା’ ।
ମାଟି ସଂରକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ନୀତି ଆବଶ୍ୟକ . .
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତ୍ୟେକ ରାଷ୍ଟ୍ରରେ ମାଟି ସଂରକ୍ଷଣ ପାଇଁ ଏକ ନୀତି ରହିବା ଆବଶ୍ୟକ । ଏଥିପାଇ ଏକ ଖସଡ଼ା ରହିବା ଦରକାର । ସମୃଦ୍ଧ ମାଟି ଉପରେ ଭବିଷ୍ୟତ ପିଢ଼ିର ଅଧିକାର ଅଛି । ଆମକୁ ବୁଝିବାକୁ ହେବ ଯେ,ମୃତ୍ତିକା ଜୀବନ୍ତ, ଏହା କୌଣସି ବର୍ଜ୍ୟ ନୁହେଁ । ଆଜିକାଲି ସମସ୍ତେ ପ୍ଲାଷ୍ଟିକ୍ ବ୍ୟାଗ, ରାସାୟନିକ ବର୍ଜ୍ୟବସ୍ତୁ ମାଟିରେ ଫୋପାଡୁଛନ୍ତି । ଏଥିପାଇଁ ମାଟିର ଉର୍ବରତା ହ୍ରାସ ପାଉଛି । ତେଣୁ ମାଟିକୁ ତା’ର ଉର୍ବରତା ଆମକୁ ଫେରେଇବାକୁ ପଡ଼ିବ । ଏପରି ନକଲେ ଜୀବନ୍ତ ମାଟି ମୃତବତ୍ ପଡ଼ିରହିବ ।
ମାନବ ସମାଜ ଏବେ ମୃତ୍ତିକା କ୍ଷୟ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି । ମୃତ୍ତିକା ସମସ୍ୟା ସମ୍ପର୍କରେ ସଚେତନ ନହେଲେ ଆଗାମୀ ପିଢ଼ି ଘୋର ସଂକଟର ସାମ୍ନା କରିବ । ବୈଜ୍ଞାନିକ ଅଧ୍ୟୟନ ଅନୁସାରେ ସ୍ପଷ୍ଟ ଦର୍ଶାଯାଇଛି ଯେ, ଆଗାମୀ ୩୦ ବର୍ଷର ସମୟ ମଧ୍ୟରେ ଗୁରୁତର ଖାଦ୍ୟ ସଙ୍କଟ ଭୋଗିବ ବିଶ୍ୱ। ଏହାକୁ କୌଣସି ମତେ ଟାଳି ହେବ ନାହିଁ । ବୈଜ୍ଞାନିକମାନେ ଆଗୁଆ ଚେତାବନୀ ଦେଲେଣି ।
ମୃତ୍ତିକା କ୍ଷୟ ନୂଆ ନୁହେଁ
ତେବେ ମୃତ୍ତିକା ନଷ୍ଟ ପାଇଁ ସଭ୍ୟତା ନଷ୍ଟ ହେବାର ଉଦାହରଣ ନୂଆ ନୁହେଁ । ସଦଗୁରୁ କହିଛନ୍ତି ମେସୋପୋଟାମୀୟ, ରୋମାନୀୟ ମାନେ ଅତୀତରେ ସମାନ ଭୁଲ କରିଥିଲେ । ଅଧିକରୁ ଅଧିକ ଚାଷ କରିବା ଫଳରେ ଜମିର ଉର୍ବରତା କମିଗଲା ଏବଂ ତାଙ୍କ ସଭ୍ୟତା ମଧ୍ୟ ନିଶ୍ଚିହ୍ନ ହୋଇଗଲା । ତେବେ ଆଜି ଏହା କେବଳ ଗୋଟିଏ ଭୌଗୋଳିକ ଅବସ୍ଥାନରେ ସୀମିତ ନୁହେଁ । ସମଗ୍ର ବିଶ୍ୱରେ ଏବେ ମୃତ୍ତିକା କ୍ଷୟ ବିପଦର ଘଣ୍ଟି ବଜେଇବା ଆରମ୍ଭ କଲାଣି ।
ଜୀବନ୍ତ ମାଟି ଏବେ ମୃତ ପ୍ରାୟ । ଶତାବ୍ଦୀର ଶେଷ ଅଣୁଜୀବ ଗୁଡିକର ୫୦ ପ୍ରତିଶତୁ ଅଧିକ ବିଲୁପ୍ତ ହୋଇଯିବେ। ଆଉ ଏପରି ହେଲେ ମାଟିକୁ ପୁନର୍ଜୀବିତ କରିହେବ ନାହିଁ । ଏକ ଇଞ୍ଚ ମୃତ୍ତିକାକୁ ଉର୍ବର କରିବା ପାଇଁ ସାଧାରଣତ ୫୦୦ ବର୍ଷ ଲାଗେ । ତେଣୁ ଏବେ ଠାରୁ କାମ କଲେ ପରବର୍ତ୍ତୀ ୧୫ ରୁ ୨୫ ବର୍ଷ ମଧ୍ୟରେ ସ୍ଥିତି ସୁଧୁରିବାର ସମ୍ଭାବନା ରହିଛି । କିନ୍ତୁ ୫୦ ବର୍ଷ ପରେ ସମାନ କାମ ଆରମ୍ଭ କଲେ ଏଥିପାଇଁ ୨୦୦ ରୁ ୫୦୦ ବର୍ଷ ଲାଗିଯିବ । ସୁତରାଂ ସମୟ ସରିବା ଆଗରୁ ଆମକୁ ଆଗକୁ ବାହାରିବାକୁ ପଡ଼ିବ ଏବଂ ମାଟ ମା’କୁ ବଂଚେଇବାକୁ ପଡ଼ିବ ।