• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶହ ଶହ ଲୋକ, ଭୋଜିଭାତର ଆସର, ବିରାଟ କେକ୍‌ ସାଙ୍ଗକୁ ଡିଜେ ଡାନ୍ସ । ଲୋକଙ୍କ ଗହଳି ଭିତରେ ପାଳନ ହେଲା କୁକୁର ‘ଓସ୍କାର’ର ଜନ୍ମଦିନ । ଆଉ ଅତିଥିଙ୍କ ଗହଣରେ ୪୫୦୦ ଟଙ୍କିଆ ସୁଟ୍‌ ପିନ୍ଧି କେକ୍‌ କାଟିଲା କୁକୁର । ଝାଡ଼ଖଣ୍ଡର ଧାନାବାଦରେ ଏଭଳି ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି । କୁକୁରର ମାଲିକାଣୀ ଅତି ଶ୍ରଦ୍ଧାରେ ତା’ ପାଇଁ ଦେଇଛନ୍ତି ଏକ ଶାନଦାର ବର୍ଥଡେ ପାର୍ଟି । ଆଉ ଏହି ଉତ୍ସବରେ ୩୫୦ ଅତିଥି ଯୋଗ ଦେଇଥିବା ସହ ବିଭିନ୍ନ ପ୍ରକାର ଉପହାର ମଧ୍ୟ ଦେଇଛନ୍ତି ।

ଧାନବାଦର ସୁମିତ୍ରା ଓସ୍କାରକୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ । ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ଛଟପଟ୍ ହେଉଥିଲା ମାଈ କୁକୁରଟି । ତା’ର ଅବସ୍ଥା ଦେଖି ସୁମିତ୍ରାଙ୍କ ମନରେ ଦୟା ଆସିଥିଲା । ଆଉ ଚିକିତ୍ସା କରାଇବା ସହ ଭଲ ହେବା ପରେ ତାକୁ ଘରକୁ ନେଇ ଆସିଥିଲେ । ଘରକୁ ଆଣିବା ପରେ ସ୍ନେହରେ ତା’ର ନାଁ ରଖିଥିଲେ ଓସ୍କାର । ଅତି କମ୍‌ ଦିନରେ ଓସ୍କାର ସହିତ ପରିବାର ସଦସ୍ୟଙ୍କ ବନ୍ଧୁତା ହୋଇଯାଇଥିଲା । ସେ ଆସିବା ପରେ ଘରେ ଯେପରି ସବୁକିଛି ବଦଳି ଯାଇଥିଲା । ସେ ଏତେ ଆପଣାର ହୋଇଗଲା ଯେ ତାକୁ ଘଡ଼ିଏ ନଦେଖିଲେ ସବୁ ଅନ୍ଧ ହୋଇଯାଉଥିଲେ । ଆଉ ଏବେ ତା’ ପାଇଁ ବିରାଟ ଜନ୍ମଦିନ ପାର୍ଟି ଦେଇଛନ୍ତି ସୁମିତ୍ରା ।

ଅଧିକ ପଢ଼ନ୍ତୁ: କୁକୁର ଜନ୍ମ ଦିନରେ ଏକ କ୍ୱିଣ୍ଟାଲର କେକ୍‌, ୪୦୦୦ ଲୋକଙ୍କ ପାଇଁ ଭୋଜି !

ଏଥିରେ ୩୦୦ ଲୋକଙ୍କୁ ଆମନ୍ତ୍ରଣ କରିଥିଲେ ବି ଉତ୍ସାହିତ ହୋଇ ୩୫୦ ଲୋକ ପାର୍ଟିକୁ ଆସିଥିଲେ । ବେଲୁନରେ ସାଜସଜ୍ଜା, ଡିଜେ, ଭୋଜିଭାତ ସାଙ୍ଗକୁ କେକ୍‌ କଟା ସବୁ କିଛି ହୋଇଥିଲା । ସୋସିଆଲ ମିଡିଆର ରିପୋର୍ଟ ଅନୁସାରେ କୁକୁରର କେକ୍‌ କଟା ଭିଡିଓ ଏବେ ଟ୍ରେଣ୍ଡିଂରେ ରହିଛି । ଆଉ ସୁମିତ୍ରା ତାଙ୍କୁ ୩ଟି ସୁନା ଲକେଟ୍‌ ଗିପ୍ଟ କରିଛନ୍ତି । ଅତିଥିମାନେ ମଧ୍ୟ ତାକୁ ଅନେକ ଉପହାର ଦେଇଛନ୍ତି । କେକ୍ କଟାହେବା ପରେ ଓସ୍କାରର ଆରତୀ ମଧ୍ୟ କରାଯାଇଛି । କେବଳ ଏତିକି ନୁହେଁ ଓସ୍କାରର ମଙ୍ଗଳ କାମନା କରି କୃଷ୍ଠରୋଗୀଙ୍କୁ ସେ ଫଳ ମଧ୍ୟ ବାଣ୍ଟିଛନ୍ତି ।

ସୁମିତ୍ରା କହିଛନ୍ତି , ଓସ୍କାରକୁ ରାସ୍ତାରୁ ଘରକୁ ଆଣିଥିଲେ ସୁଦ୍ଧା ସେ ଏବେ ଆମ ପରିବାରର ସଦସ୍ୟ । ସମସ୍ତେ ତାଙ୍କୁ ଖୁବ୍‌ ବହୁତ ଭଲ ପାଆନ୍ତି । ତାଙ୍କ କହିବା ଅନୁସାରେ ଓସ୍କାର ଘରକୁ ଆସିବା ପରେ ଘରକୁ ଭଲ ସମୟ ଆସିଥିଲା । ଓସ୍କାର ପାଇଁ ହିଁ ସେମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ହୋଇଛି ।

ସେହିପରି ପୂର୍ବରୁ ମଧ୍ୟ ଜଣେ ମହିଳା ନିଜ ପୋଷା କୁକୁରର ଜନ୍ମଦିନ ପାଇଁ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।