Bengaluru Odia Name Controversy: ବେଙ୍ଗାଲୁରୁ ରେସ୍ତୋରାଁରେ ଓଡ଼ିଆରେ ନାମଫଳକ ଲେଖି ହଟହଟା ହେଲେ ମାଲିକ

ଓଡ଼ିଆ ରେସ୍ତୋରାଁ ମାଲିକଙ୍କୁ ତାଗିଦ ପରେ ତାଗିଦ କରି ଚାଲିଛନ୍ତି ବେଙ୍ଗାଳୁରୁର ଜଣେ ସ୍ଥାନୀୟ ଯୁବକ । ଖୋଲାଖୋଲି ଧମକ ଦେଉଛନ୍ତି । ଓଡ଼ିଆରେ ନେମ୍ ପ୍ଲେଟ୍ କାହିଁକି ଲେଖିଛ? କିଏ କହିଲା ଲେଖିବାକୁ? କର୍ଣ୍ଣାଟକରେ ରହି ଓଡ଼ିଆ ପ୍ରେମ କାହିଁକି?

ଓଡ଼ିଆ ନାମଫଳକ ପାଇଁ ମିଳିଲା ଧମକ।

ବେଙ୍ଗାଲୁରୁ ରେସ୍ତୋରାଁରେ ଓଡ଼ିଆରେ ନାମଫଳକ ଲେଖି ହଟହଟା ହେଲେ ମାଲିକ । ମିଳିଛି ଖୋଲାଖୋଲି ଧମକ । ନାମଫଳକ ହଟାଅ ନଚେତ୍ ଫଳ ଭୋଗିବ । ବିଚରା ରେସ୍ତୋରାଁ ମାଲିକ ବାଧ୍ୟ ହୋଇ ଶେଷରେ ଓଡ଼ିଆ ନେମ୍ ପ୍ଲେଟ୍ ହଟାଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଏବେ ଉଠିଛି ଆପତ୍ତି । ଭାଷାଗତ ଓ ଅଂଚଳକୁ ନେଇ ଲୋକଙ୍କ ମଧ୍ୟରେ କାହିଁକି ଏଭଳି ମାନସିକତା , ତାକୁ ନେଇ ଉଠିଛି ପ୍ରଶ୍ନ ।

ଅପରପକ୍ଷେ ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଓଡ଼ିଆ ରେସ୍ତୋରାଁ ମାଲିକଙ୍କୁ ତାଗିଦ ପରେ ତାଗିଦ କରି ଚାଲିଛନ୍ତି ବେଙ୍ଗାଳୁରୁର ଜଣେ ସ୍ଥାନୀୟ ଯୁବକ । ଖୋଲାଖୋଲି ଧମକ ଦେଉଛନ୍ତି । ଓଡ଼ିଆରେ ନେମ୍ ପ୍ଲେଟ୍ କାହିଁକି ଲେଖିଛ? କିଏ କହିଲା ଲେଖିବାକୁ? କର୍ଣ୍ଣାଟକରେ ରହି ଓଡ଼ିଆ ପ୍ରେମ କାହିଁକି? ଏମିତି କେତେ କଣ । ବିଚରା ରେସ୍ତୋରାଁ ମାଲିକ ବାଧ୍ୟ ହୋଇ ସ୍ଥାନୀୟ ଯୁବକଙ୍କୁ ସଫେଇ ଦେଇଛନ୍ତି ।

ବେଙ୍ଗାଲୁରୁର ଦୋଡାଗୋବିର ବିଲେଶିବାଳୟ ଅଂଚଳରେ ରହିଛି ଡିଲିସିୟସ୍ ପଖାଳ ରେଷ୍ଟୁରାଣ୍ଟ। ଏହାର ମାଲିକ ହେଉଛନ୍ତି ଦୁର୍ଯ୍ୟୋଧନ ମିଶ୍ର । ବେଙ୍ଗାଳୁରୁର ଭିନ୍ନ ଭିନ୍ନ ଜାଗାରେ ତାଙ୍କର ୪ଟି ଦୋକାନ ରହିଛି । ସେଠାରେ ତାଙ୍କ ବ୍ୟବସାୟ ଦୁଇ ଦଶନ୍ଧି ଧରି ଚାଲିଛି । ଯେହେତୁ ବହୁ ଦିନ ଧରି ସେ ବେଙ୍ଗାଳୁରୁରେ ଅଛନ୍ତି, ତେଣୁ ରେସ୍ତୋରାଁରେ ପ୍ରଥମ ଭାଷା ଭାବେ ସେ କନ୍ନଡରେ ନାମଫଳକ ଲେଖିଛନ୍ତି । ଏକଥା ସେ, ସ୍ଥାନୀୟ ଯୁବକଙ୍କୁ ବି ବୁଝାଇବାକୁ ବାରମ୍ବାର ଚେଷ୍ଟା କରିଛନ୍ତି । ହେଲେ ବୁଝିବାକୁ ନାରାଜ, ସଂପୃକ୍ତ ଯୁବକ । ବରଂ, ରେସ୍ତୋରାଁରୁ ଓଡ଼ିଆ ନାଁ ହଟାଇବାକୁ ଦେଇଛନ୍ତି ଧମକ ।

ବାଧ୍ୟ ହୋଇ ଓଡ଼ିଆ ନାମଫଳକ ହଟାଇଛନ୍ତି ଦୁର୍ଯ୍ୟୋଧନ । ଭାଷାକୁ ନେଇ ଭାଇରାଲ ହେଉଥିବା ଏହି ଭିଡିଓ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି । ଇନଷ୍ଟାଗ୍ରାମରେ ପୋଷ୍ଟ ଏହି ଭିଡିଓର କମେଣ୍ଟ ବକ୍ସରେ ଚାଲିଛି ଜୋରଦାର ବିତର୍କ । ପ୍ରଶ୍ନ ଉଠୁଛି, ପ୍ରଥମେ କନ୍ନଡ, ପରେ ଇଂରାଜୀ ଏବଂ ସବା ଶେଷରେ ଓଡ଼ିଆ ଭାଷାରେ ନେମପ୍ଲେଟ୍ ଲେଖି କଣ ଭୂଲ କରିଛନ୍ତି ଓଡ଼ିଆ ଜଣକ? କର୍ଣ୍ଣାଟକରେ ବହୁ ଓଡ଼ିଆ ଦୀର୍ଘବର୍ଷ ଧରି ବସବାସ କରୁଥିବା ବେଳେ ବ୍ୟବସାୟ ଓ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜିଛନ୍ତି ।

ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ଭାଷାକୁ ନେଇ ଏଭଳି ମାନସିକତା କଣ ପାଇଁ? ପେଟ ପୋଷିବାକୁ କିଏ କଣ ଅନ୍ୟ ରାଜ୍ୟରେ ବ୍ୟବସାୟ କରିପାରିବନି? ଆମେ ଏକ୍ ବୋଲାଉଥିବା ଭାରତରେ ଭାଷାକୁ ନେଇ ଏଭଳି ତାରତମ୍ୟ କାହିଁକି ? ଲୋକଙ୍କ ମଧ୍ୟରେ କେବେ ଦୂର ହେବ ଏଭଳି ଭାଷାଗତ ଓ ଆଂଚଳିକ ବିଭେଦ?

ଅଧିକ ପଢ଼ନ୍ତୁ: ବୁଡ଼ିଗଲାଣି ବାରାସିଂଘା ଓ ଅରଣା ମଇଁଷି ବଂଶ; ହଜିଗଲେଣି ଶାଗୁଣା, ବଣି ଓ ଚମ୍ପେଇ ନେଉଳ