/odishatv-khabar/media/post_attachments/uploadimage/library/16_9/16_9_0/CM_Race_1701792632.jpg)
CM Race
୫ ରାଜ୍ୟରେ ନିର୍ବାଚନ ସରିଛି, ଏବେ ସମୟ ନୂଆ ମୁଖ୍ୟମନ୍ତ୍ରୀ ଚୟନର। ତେଲେଙ୍ଗାନାରେ କଂଗ୍ରେସର ପୋଷ୍ଟର ବୟ ରେବନ୍ତ ରେଡ୍ଡୀ ୭ ତାରିଖରେ ଶପଥ ନେବା ଏକପ୍ରକାର ନିଶ୍ଚିତ। ଏକଦା ଇନ୍ଦିରା ଗାନ୍ଧିଙ୍କ ସୁରକ୍ଷା ମୁଖ୍ୟ ଥିବା ଆଇପିଏସ୍ ଲାଲଡୁହୋମା ମିଜୋରାମରେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ। ହେଲେ ବିଜେପି ଜିତିଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ ତା ଉପରେ ସମସ୍ତଙ୍କ ନଜର।
ନୂଆ ଚେହେରା, ନୂଆ ମୁଖ୍ୟମନ୍ତ୍ରୀ। ୭ ତାରିଖରେ ତେଲେଙ୍ଗାନାକୁ ମିଳିବ ନୂଆ ସିଏମ୍। ଶକ୍ତିଶାଳୀ ବିଆରଏସକୁ ମାତ୍ ଦେଇ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା କଂଗ୍ରେସର ପୋଷ୍ଟର୍ ବୟ୍ ଅନୁମୁଲା ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ଏକରକମ ନିଶ୍ଚିତ। କଂଗ୍ରେସ ହାଇକମାଣ୍ଡ ପକ୍ଷରୁ ଏନେଇ ଗ୍ରୀନ ସିଗନାଲ୍ ବି ମିଳିସାରିଲାଣି।
ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେବନ୍ତଙ୍କ ନେତୃତ୍ୱରେ ଏଥର ଫୁଲ୍ ଦମ୍ ରେ ନିର୍ବାଚନ ଲଢ଼ିଥିଲା ଦଳ। ତାଙ୍କ ଗୋଟି ଚାଳଣା ହିଁ କଂଗ୍ରେସକୁ ମ୍ୟାଜିକ୍ ନମ୍ବର ପାର୍ କରାଇଥିଲା। ଏବିଭିପିରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ୫୪ ବର୍ଷିୟ ରେବନ୍ତ ତେଲେଙ୍ଗାନା ଗଠନ ପୂର୍ବରୁ ଟିଡିପିରୁ ବିଧାୟକ ବନିଥିଲେ। ପରେ କଂଗ୍ରେସରେ ଯୋଗ ଦେଇ ୨୦୧୯ ନିର୍ବାଚନରେ ମାଲକାନଗିରିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୫୪ ବର୍ଷିୟ ରେବନ୍ତ ୨୦୨୧ରେ ପିସିସି ସଭାପତି ଦାୟିତ୍ୱ ସମ୍ଭାଳିବା ପରେ ତେଲେଙ୍ଗାନାରେ ପଦଯାତ୍ରା ତାଙ୍କୁ ସବୁଠୁ ଚର୍ଚ୍ଚିତ ନେତା କରିଥିଲା।
ସେପଟେ ହିନ୍ଦୀ ହାର୍ଟଲାଣ୍ଡରେ ୩ରୁ ୩ ରାଜ୍ୟ ଜିତିଥିବା ବିଜେପି ପାଇଁ ଏବେ ମୁଖ୍ୟ ଚ୍ୟାଲେଞ୍ଜ ପାଲଟିଛି ମୁଖ୍ୟମନ୍ତ୍ରୀ ଚୟନ। ଆଶାୟୀ ଅନେକ କିନ୍ତୁ ଆସନ ଗୋଟିଏ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଦାୟିତ୍ୱ ଦଳ କାହାକୁ ଦେବ ତାକୁ ନେଇ ଆରମ୍ଭ ହେଲାଣି ବଳ କଷାକଷି। ନିର୍ବାଚନ ରଣନୀତି ଅନ୍ତର୍ଗତ ଦଳ ଏଥର କୌଣସି ସ୍ଥାନରେ ମୁଖ୍ୟମନ୍ତ୍ରୀ ମୁହଁ ଘୋଷଣା କରିନଥିଲା, ଯାହା ଏବେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ମଧ୍ୟପ୍ରଦେଶ କଥା ଦେଖିଲେ ୨୦୦୫ରୁ ୧୮ ଏବଂ ୨୦୨୦ରୁ ୨୩ ଯାଏଁ ମୁଖ୍ୟମନ୍ତ୍ରୀ ଥିବା ମାମାଜୀ ଅର୍ଥାତ ଶିବରାଜ ସିଂହ ଚୌହାନ ମହିଳାଙ୍କ ଲାଗି ଲାଡଲି ବେହେନା ସ୍କିମ୍ ଆଣି ଦଳ ପାଇଁ ସଫଳତା ଆଣିଛନ୍ତି।
ନିର୍ବାଚନ ପୂର୍ବରୁ ଅନେକ ସ୍ଥାନରେ ଶିବରାଜଙ୍କୁ ଦଳ ସାମ୍ନାକୁ ଆଣିନଥିଲା ତଥାପି ସରକାର ଗଠନରେ ଶିବରାଜଙ୍କ ଭୂମିକାକୁ ଏଡ଼ାଇ ନପାରେ ଦଳ। କେବଳ ଶିବରାଜ ନୁହଁନ୍ତି କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ହାଇକାମାଣ୍ଡଙ୍କ ବେଶ୍ ନିକଟତର କୈଳାସ ବିଜୟବର୍ଗିଆ ମଧ୍ୟ ସିଏମ୍ ରେସରେ ଅଛନ୍ତି।ଶିବରାଜ ସିଂ ଚୌହାନ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ହେଉଛନ୍ତି ଦଳର ପ୍ରମୁଖ ଚେହେରା। ତେବେ ତାଙ୍କ ସ୍ଥାନରେ ଯୁବନେତା ପୂର୍ବତନ ଆଇଏଏସ୍ ଅଫିସର ଓପି ଚୌଧୁରୀ କିମ୍ବା ଓବିସି ଚେହେରା ଅରୁଣ ସାଓଙ୍କୁ ମୌକା ମିଳିପାରେ ବୋଲି କଳ୍ପନାଜଳ୍ପନା ଚାଲିଛି।
ସେପଟେ ରାଜସ୍ଥାନରେ ବିଜେପି ପାଇଁ ଗଣିତ ଟିକିଏ ଗୋଳିଆ ହୋଇପାରେ। ଦୁର୍ନୀତି ଅଭିଯୋଗ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଏଥର ପ୍ରୋଜେକ୍ଟ କରିନଥିଲା ବିଜେପି। ତେଣୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଅର୍ଜୁନ ରାମ ମେଘାୱଲ, ସାଂସଦ ସିପି ଯୋଶୀ ଏବଂ ଦିୟା କୁମାରୀ ବି ମୁଖ୍ୟମନ୍ତ୍ରୀ ପଦ ରେସ୍ ରେ ଅଛନ୍ତି।
ତେବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ଅଲୱରରୁ ସାଂସଦ ତଥା ଏଥର ତିଜାରାରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ମହନ୍ତ ବାଲକନାଥ୍ ସପ୍ରାଇଜ୍ ଏଣ୍ଟ୍ରି କରିପାରନ୍ତି। କାଲି ପାର୍ଲାମେଣ୍ଟ ବାହାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଏହା କହି ବାଲକନାଥଙ୍କୁ ମିଡିଆ ସହ ପରିଚିତ କରାଉଥିବା ଦେଖିବାକୁ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)