Advertisment

ନୂଆ ଜୀବନ ପାଇଲା ରାହୁଲ: ପଥର ଚଟାଣ କାଟି ୧୦୪ ଘଣ୍ଟା ପରେ ବୋର୍‌ୱେଲ୍‌ ଭିତରୁ ହେଲା ଉଦ୍ଧାର

ସଫଳ ହେଲା ଅପରେସନ୍ ‘ଜିନ୍ଦେଗୀ’। ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ୧୦୪ ଘଣ୍ଟା ପରେ ୮୦ ଫୁଟ୍ ଗଭୀର ବୋରୱେଲ୍‌ ଗର୍ତ୍ତ ଭିତରୁ ସୁରକ୍ଷିତ ଭାବେ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Operation Zindagi- Rescuers successfully rescue Rahul from bore well

Operation Zindagi- Rescuers successfully rescue Rahul from bore well

୧୦୪ ଘଣ୍ଟାର ଅପେକ୍ଷାର ଅନ୍ତ ଘଟିଲା। ଶେଷରେ ସଫଳ ହେଲା ଅପରେସନ୍ ‘ଜିନ୍ଦେଗୀ’। ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ୧୦୪ ଘଣ୍ଟା ପରେ ୮୦ ଫୁଟ୍ ଗଭୀର ବୋରୱେଲ୍‌ ଗର୍ତ୍ତ ଭିତରୁ ସୁରକ୍ଷିତ ଭାବେ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କରାଯାଇଛି। ଦୀର୍ଘ ୫ ଦିନ ପରେ ରାହୁଲକୁ ସୁରକ୍ଷିତ ଭାବେ ବୋରୱେଲ୍‌ ଗର୍ତ୍ତ ଭିତରୁ ଉଦ୍ଧାର କରାଯାଇଛି।

Advertisment

ଉଦ୍ଧାର ପରେ ରାହୁଲକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍ କରିଡର ଭିତରେ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ମେଡିକାଲ ଟିମ୍ ରାହୁଲର ଚିକିତ୍ସା କରୁଛନ୍ତି। ପ୍ରାଥମିକ ଚିକିତ୍ସା ପରେ ରାହୁଲ ସୁସ୍ଥ ଥିବା ସୂଚନା ମିଳିଛି। ରାହୁଲର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଆଇସିୟୁରେ ଭର୍ତ୍ତି ହୋଇଥିବା ରାହୁଲ ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି। 

ରାହୁଲକୁ ଉଦ୍ଧାର ପାଇଁ କେମିତି ଥିଲା ରେସ୍କ୍ୟୁ ଅପରେସନ୍‌ ? 

ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁରେ ୮୦ ଫୁଟ୍‌ର ବୋରୱେଲ୍‌ ଭିତରେ ଖସି ପଡ଼ିଥିବା ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର ପାଇଁ ସବୁ ବଳ, କୌଶଳ ଏକାଠି କରି ଜୀ-ଜାନ୍ ଲଗାଇ ଦେଇଥିଲେ ମିଳିତ ରେସ୍କ୍ୟୁ ଟିମ୍। ସୋମବାର ରାତି ସୁଦ୍ଧା ରେସ୍କ୍ୟୁ ଟିମ୍ ରାହୁଲ ପାଖରେ ପହଞ୍ଚି ସାରିଥିଲେ। ତେବେ ରାହୁଲ ଓ ରେସ୍କ୍ୟୁ ଟିମ୍ ମଧ୍ୟରେ ଦୂରତା ଥିଲା ମାତ୍ର କେଇ ଇଞ୍ଚ୍‌ର। ହେଲେ ସେଇ କେଇ ଇଞ୍ଚର ଦୂରତା ଅତିକ୍ରମ କରିବା ରେସ୍କ୍ୟୁ ଟିମ୍ ପାଇଁ ଥିଲା କାଠିକର ପାଠ। 

Advertisment

କାରଣ ଏକ ଶକ୍ତ ପଥୁରିଆ ଚଟାଣ ହିଁ ସାଜିଥିଲା ବଡ଼ ପ୍ରତିବନ୍ଧକ। ତେଣୁ ଏଇ କେଇ ଇଞ୍ଚର ଦୂରତା ହଟାଇବାକୁ ଅତି ସନ୍ତର୍ପଣ ଓ ସତର୍କତାର ସହ ଆଗକୁ ବଢିଥିଲା ରେସ୍କ୍ୟୁ ଟିମ୍। ରେସ୍କ୍ୟୁ ଅପରେସନର ଶେଷ ଦିନରେ ଅର୍ଥାତ୍‌ ଗତକାଲି ଶେଷ ମୁହୂର୍ତ୍ତରେ ସାମିଲ ହୋଇଥିଲା ସେନା। NDRF, SDRF ଓ ଅନ୍ୟ ଏଜେନ୍ସିର ମିଳିତ ଟିମ୍‌ର ଅନବରତ ଅପରେସନକୁ ବଳ ଯୋଗାଇଥିଲେ ସେନାର ବରିଷ୍ଠ ଓ ଅଭିଜ୍ଞ ଟିମ୍।

ଅପରେସନରେ ମୋଟ ୧୫୦ ଅଧିକାରୀ ନିୟୋଜିତ ହୋଇଥିଲେ। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସପିଙ୍କ ନେତୃତ୍ୱରେ ୫୦୦ରୁ ଅଧିକ କର୍ମଚାରୀଙ୍କୁ ନେଇ ରେସ୍କ୍ୟୁ ଚାଲିଥିଲା ଅପରେସନ୍। ରାହୁଲ ଫସି ରହିଥିବା ବୋର୍‌ୱେଲ୍‌ ଗାତ ଭିତରେ ଜଳପତ୍ତନ ବଢ଼ି ନଯିବା ଲାଗି ସ୍ଥାନୀୟ ଅଞ୍ଚଳର ସମସ୍ତ ବୋର୍‌ୱେଲ୍‌ ପଏଣ୍ଟ ଗୁଡ଼ିକୁ ଖୋଲି ଦିଆଯାଇଥିଲା। ରେସ୍କ୍ୟୁ ଅପରେସନର ନେତୃତ୍ୱ ନେଉଥିବା ଜିଲ୍ଲାପାଳ ଓ ଏଡିଏମ୍ ଉଭୟ ସିଭିଲ ଇଂଜିନିୟର ହୋଇଥିବାରୁ ସେମାନଙ୍କ ଅଭିଜ୍ଞତାକୁ ଭରପୁର ଉପଯୋଗ କରିଥିଲେ ରେସ୍କ୍ୟୁ ଟିମ୍। ଶେଷରେ ୧୦୪ ଘଣ୍ଟାର ଅପରେସନ ପରେ ପଥର ଚଟାଣ କାଟି ରାହୁଲକୁ ସୁରକ୍ଷିତ ଭାବେ ବୋର୍‌ୱେଲ୍‌ ଭିତରୁ ଉଦ୍ଧାର କରାଯାଇଥିଲା। 

Chhattisgarh Operation Rahul Operation Zindagi
Advertisment
Advertisment