• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭାରତକୁ ଦୁଇଟି ଓସ୍କାର ମିଳିବା ପରେ ଏବେ ଚାରିଆଡ଼େ ଏହାକୁ ନେଇ ଖୁସିର ଲହରି । ସିନେମା ଜଗତଠୁ ରାଜନୀତି ଯାଏଁ ସବୁଆଡ଼େ ଏବେ RRR ଓ ଏଲିଫେଣ୍ଟ ହ୍ୱିସପରର୍ସ ନିର୍ମାତାଙ୍କୁ ଶୁଭେଚ୍ଛା ଜଣାଯାଉଛି । ଏହାରି ଭିତରେ ଆଜି ରାଜ୍ୟସଭାରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଗୃହ କାର୍ଯ୍ୟ ଆରମ୍ଭରୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ଏହାରି ଭିତରେ ରାଜମୌଲିଙ୍କ ବାପା ତଥା ପ୍ରସିଦ୍ଧ ଲେଖକ ଭିଭି ପ୍ରସାଦଙ୍କୁ RRR ପାଇଁ ମନେ ପକାଇଥିଲେ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ପିୟୂଷ ଗୋଏଲ । ତା’ସହ ରାଜ୍ୟସଭାର ସଦସ୍ୟ ହୋଇଥିବାରୁ RRRର ପରିକଳ୍ପନା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହାର ଜବାବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଧନ୍ୟବାଦ ଜଣାଇବା ଆଳରେ କେନ୍ଦ୍ରକୁ ଟାଗେର୍ଟ କରିଛନ୍ତି । ଓସ୍କାର ପାଇଁ କୌଣସି ଦଳ ବି ଶ୍ରେୟ ନେବା ଉଚିତ ନୁହେଁ । ସମସ୍ତେ ଭାରତର ଓସ୍କାର ବୋଲି ଗର୍ବ ଅନୁଭବ କରିବା ଜରୁରୀ ବୋଲି ସେ ଦୋହରାଇଥିଲେ ।

ଶ୍ରୀ ଖାଡ଼ଗେ ଆହୁରି କହିଥିଲେ, ଆମେ ବହୁତ ଗର୍ବିତ । କିନ୍ତୁ ମୋର ଏକମାତ୍ର ଅନୁରୋଧ ଯେ ଏହାର ଶ୍ରେୟ ସରକାର ନ ନିଅନ୍ତୁ। ‘ଆମେ ନିର୍ଦ୍ଦେଶନା ଦେଇଥିଲୁ, ଆମେ ସ୍କ୍ରିପ୍ଟ ଲେଖିଥିଲୁ, ମୋଦିଜୀ ନିର୍ଦ୍ଦେଶନା ଦେଇଥିଲେ’ ଭଳି କଥା ସରକାର ନ କୁହନ୍ତୁ। ସେମାନେ ଏ କଥା କହିବା ଉଚିତ୍ ନୁହେଁ । ଏହା ମୋର ଏକମାତ୍ର ଅନୁରୋଧ ।

ତାଙ୍କର ଏଭଳି ମନ୍ତବ୍ୟ ଶୁଣି ବିରୋଧୀ ଓ ସରକାରୀ ଦଳର ସଦସ୍ୟମାନେ ହସିଥିଲେ। ଏମିତିକି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଗୃହର ନେତା ପୀୟୂଷ ଗୋଏଲ, ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ଓ ଶ୍ରମମନ୍ତ୍ରୀ ଭୂପିନ୍ଦର ଯାଦବ ମଧ୍ୟ ହସିଥିଲେ।