Delhi Flood
ଦିଲ୍ଲୀରେ ଲଗାଣ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀରେ ଲୋହା ପୁଲ ଏବଂ ଆଖପାଖ ଅଞ୍ଚଳରେ ଲଗାତାର ବର୍ଷା ପରେ ଯମୁନା ନଦୀର ଜଳସ୍ତର ଲଗାତାର ବୃଦ୍ଧି ପାଉଛି। ଯମୁନା ନଦୀରେ ଲଗାତାର ଜଳସ୍ତର ବୃଦ୍ଧି ହେବା ଫଳରେ ରାଜଧାନୀର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ହେତୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ହଜାର ହଜାର ଲୋକ ବାସହୀନ ହୋଇଛନ୍ତି। ଏବେ ସହରର ଭିତର ଅଞ୍ଚଳରେ ମଧ୍ୟ ଜଳମଗ୍ନ ହେବାର ଆଶଙ୍କା ବଢ଼ିଛି।
ତେବେ ବନ୍ୟା ଜଳ ଦିଲ୍ଲୀ ସଚିବାଳୟରେ ମଧ୍ୟ ପହଞ୍ଚିଛି। ଯମୁନା ନଦୀର ବନ୍ୟାଜଳ ସଂଲଗ୍ନ ରାସ୍ତାର ଅଣ୍ଡରପାସ୍ ବୁଡ଼ି ଯାଇଛି। ଫଳସ୍ୱରୂପ, ଦିଲ୍ଲୀ ସଚିବାଳୟକୁ ଯାଉଥିବା ଗୋଟିଏ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ସକ୍ସନ୍ ପାଇପ୍ ଯୋଗେ ଜମା ହୋଇଥିବା ପାଣିକୁ ନିଷ୍କାସନ କରିବାକୁ ପ୍ରୟାସ କରାଯାଉଛି। ସେହିପରି ରାଜଧାନୀର ସବୁଠାରୁ ବଡ଼ ଶ୍ମଶାନ ଘାଟ ନିଗମବୋଧ ବୁଧବାର ସନ୍ଧ୍ୟାରେ ସମ୍ପୂର୍ଣ୍ଣ ବନ୍ୟାରେ ବୁଡ଼ିଯାଇଥିବାରୁ ଏଠାରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ବନ୍ଦ କରାଯାଇଛି।
ଦିଲ୍ଲୀରେ ଲଗାତାର ବର୍ଷା ଏବଂ ଯମୁନା ନଦୀରେ ଉଛୁଳା ହେବା ହେତୁ ମୟୁର ବିହାର-ଫେଜ ୧ ନିକଟରେ ନିର୍ମିତ ରିଲିଫ୍ ଶିବିରଗୁଡ଼ିକରେ ପାଣି ଭର୍ତ୍ତି ହୋଇଛି। ଯାହାଦ୍ୱାରା ବିସ୍ଥାପିତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଆଲିପୁରରେ, ପ୍ରବଳ ବର୍ଷା ପରେ NH-44 ନିକଟରେ ଏକ ଫ୍ଲାଏଓଭରର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା।
ଗୁରୁବାର ସକାଳେ କାଶ୍ମୀର ଗେଟ୍ ଏବଂ ଆଇଟିଓ ସମେତ ପ୍ରମୁଖ ଅଞ୍ଚଳଗୁଡ଼ିକ ଏବଂ ଅନ୍ୟାନ୍ୟ ବ୍ୟସ୍ତବହୁଳ ଅଞ୍ଚଳଗୁଡ଼ିକରେ ମଧ୍ୟ ବନ୍ୟା ଜଳ ପହଞ୍ଚିଛି। ଯମୁନାର ଜଳସ୍ତର ୨୦୭.୪୦ ମିଟର ପର୍ଯ୍ୟନ୍ତ ପହଞ୍ଚିଛି। କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଜାରି କରିଛି ଯେ ଦିଲ୍ଲୀରେ ଜଳସ୍ତର ଆହୁରି ବୃଦ୍ଧି ପାଇପାରେ। ଏହା ଫଳରେ ଯମୁନାର ଜଳସ୍ତର ୨୦୮ ମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଦିଲ୍ଲୀର ଆୟୁର ଗୁଣବତ୍ତା ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756964159.jpg)