ନୂଆଦିଲ୍ଲୀ: ଆଉ କେତେ ସଫଳତା ପାଇଲେ ପାରା ଆଥ୍ଲେଟ୍ଙ୍କୁ ଦାବିକୁ ବିଚାରକୁ ନେବେ ରାଜ୍ୟ ସରକାର? ସାଧାରଣ ଆଥ୍ଲେଟ୍ଙ୍କ ଭଳି ସେମାନଙ୍କୁ କେବେ ମିଳିବ ସମାନ ସୁବିଧା ସୁଯୋଗ? ଏଥର ଟୋକିଓ ପାରାଲିମ୍ପିକ୍ସରେ ଭାରତର ଐତିହାସିକ ସଫଳତା ଏବଂ ଓଡ଼ିଆ ଆଥଲେଟ୍ ପ୍ରମୋଦ ଭଗତଙ୍କ ଗୋଲ୍ଡ ମେଡାଲ ହାସଲ ପରେ ଏ ଦାବିକୁ ପୁଣି ଦୋହରାଇଛି ରାଜ୍ୟ ପାରା ପ୍ଲେୟାର୍ସ ଫୋରମ୍। ସଂଘ କହିଛି ସେମ୍ ଭେନ୍ୟୁ ଆଉ ସେମ୍ ଭ୍ୟାଲ୍ୟୁ ଥାଇ ବି ସେମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ବୈଷମତା କାହିଁକି?
Also Read
ଲଣ୍ଡନରେ ମାତ୍ର ଦୁଇ, ରିଓରେ ଚାରି ଆଉ ଟୋକିଓରେ ୧୯ ପଦକ ପାରାଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତଙ୍କ ସଫଳତା ସିଡ଼ିର ସର୍ବଶ୍ରେଷ୍ଠ ନମୁନା। ଖାଲି ସେତିକି ନୁହେଁ, ୨୦୧୬ ରିଓ ପାରାଲିମ୍ପିକ୍ସରେ ଦେଶ ଯେତିକି ପଦକ ଜିତିଥିଲା, ଏଥର ତାଠୁ ପ୍ରାୟ ୫ ଗୁଣା ଅଧିକ ମେଡାଲ୍ ଆସିଛି। ଟୋକିଓରେ ଭାରତୀୟ ପାରା ଆଥ୍ଲେଟ୍ଙ୍କ ଚମତ୍କାର ପ୍ରଦର୍ଶନ ଓ ଐତିହାସିକ ସଫଳତା ପରେ ଏମାନଙ୍କ ଭିତରେ ବଢ଼ିଛି ପ୍ରଗାଢ଼ ଆତ୍ମବିଶ୍ୱାସ। ବିଶେଷକରି ଆମ ରାଜ୍ୟରେ କ୍ରୀଡ଼ାକୁ କ୍ୟାରିୟର କରିଥିବା ବହୁ ପ୍ରତିଭାବାନ ଦିବ୍ୟାଙ୍ଗ ଖେଳାଳି ନିଜ ପାଇଁ ସ୍ୱପ୍ନ ଦେଖିବା ବି ଆରମ୍ଭ କରିଛନ୍ତି। ହେଲେ ରାଜ୍ୟରେ ଅନ୍ୟ ସାଧାରଣ ଆଥ୍ଲେଟ୍ଙ୍କ ଭଳି ପାରା ଆଥଲେଟଙ୍କ ପାଇଁ କୌଣସି ପ୍ରୋତ୍ସାହନ ନଥିବା ଦୁଃଖର ସହ କହିଛି ରାଜ୍ୟ ପାରା ପ୍ଲେୟାର୍ସ ଫୋରମ୍। ବିହାର, ରାଜସ୍ଥାନ, ହରିଆଣା ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ସାଧାରଣ ଓ ପାରା ଆଥଲେଟ୍ଙ୍କୁ ସମାନ ସରକାରୀ ସୁବିଧା ଥିଲେ ବି ଓଡ଼ିଶାରେ ଆଜି ବି ତାହା ବ୍ୟତିକ୍ରମ।
ଏଥର ଟୋକିଓ ଅଲିମ୍ପିକସରେ ରାଜ୍ୟରୁ କେବଳ ଜଣେ ମାତ୍ର ପାରା ଆଥଲେଟ୍ ପ୍ରମୋଦ ଭଗତ ପ୍ରତିନିଧିତ୍ୱ କରିଥିବା ବେଳେ ସେ ସ୍ୱର୍ଣ୍ଣ ପଦକ ଜିଣି ଦେଶ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ତେବେ ପ୍ରମୋଦଙ୍କ ବ୍ୟତୀତ ଅଲିମ୍ପିକ୍ସରେ ପଦକ ଆଶା ରଖୁଥିବା ରାଜ୍ୟରେ ସେଭଳି କ୍ରୀଡ଼ାବିତ ସଂଖ୍ୟା କିଛି କମ୍ ନୁହେଁ। ଏସିଆନ ଗେମ୍ସରେ ପଦକ ବିଜୟିନୀ ଜୟନ୍ତୀ ବେହେରା, ଚେସ୍ ତାରକା ପ୍ରାଚୁର୍ଯ୍ୟ ପ୍ରଧାନ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କ ସଫଳତା କାହାଣୀ ଓ ପଦକ ତାଲିକା ବହୁତ ଲମ୍ବା। ସେହିଭଳି ରାଖାଲ ସେଠୀଙ୍କ ଭଳି ବହୁ ପ୍ରତିଭାବନ ଖେଳାଳି ବି ଅଛନ୍ତି। ହେଲେ ସାଧାରଣ ଆଥ୍ଲେଟ୍ଙ୍କ ଭଳି ସେମାନଙ୍କୁ ସରକାରୀ ନିଯୁକ୍ତି ମିଳୁନଥିବାରୁ ମନରେ ଅସରନ୍ତି କ୍ଷୋଭ ରହିଛି।
ସାଧାରଣ ଆଥ୍ଲେଟ୍ଙ୍କୁ ସରକାରୀ ଚାକିରିରେ ସୁଯୋଗ ଭଳି ପାରା ଆଥଲେଟଙ୍କୁ ସମାନ ସୁବିଧା ଦାବିରେ ଏହା ପୂର୍ବରୁ ୨୦୧୯ ଜାନୁୟାରୀ ୨ ତାରିଖରେ ପାରା ଆଥଲେଟ୍ ଗଣଧାରଣା ବି ଦେଇଥିଲେ। ସେତେବେଳେ ସେମାନଙ୍କୁ ଚାକିରି ଦିଆଯିବ ବୋଲି କ୍ରୀଡ଼ା ବିଭାଗ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ତାହା କେବଳ ପ୍ରତିଶ୍ରୁତିରେ ହିଁ ରହିଛି।