ରେଳ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଗୋଟିଏ ସର୍ଚ୍ଚରେ ସବୁ ଷ୍ଟେସନ୍‌ର ମିଳିବ ସୂଚନା

ପୂର୍ବରୁ କେବଳ ନିର୍ଦ୍ଧିଷ୍ଟ ଷ୍ଟେସନ ସର୍ଚ୍ଚ କଲେ ସେହି ବିଷୟରେ ତଥ୍ୟ ମିଳୁଥିଲା । କିନ୍ତୁ ଏବେ ସେହି ଷ୍ଟେସନ ସମେତ ଆଖପାଖ ଷ୍ଟେସନର ସମସ୍ତ ସୂଚନା ମିଳିପାରିବ ।

Train Ticket

ଏଣିକି ଗୋଟିଏ ସର୍ଚ୍ଚରେ ରେଳଯାତ୍ରୀଙ୍କୁ ମିଳିବ ସବୁ ଷ୍ଟେସନ ସମ୍ପର୍କିତ ସୂଚନା । ମୁଖ୍ୟଷ୍ଟେସନ ସମେତ ଅନ୍ୟ ସମସ୍ତ ଷ୍ଟେସନର ମିଳିବ ବିସ୍ତୃତ ବିବରଣୀ । ସାରା ଦେଶରେ ଏହି ସୁବିଧା ପାଇଁ ରେଳ ବିଭାଗ ବ୍ୟବସ୍ଥା କରିଥିବାବେଳେ ପୁର୍ବତଟ ରେଳ ବିଭାଗ ପକ୍ଷରୁ ମଧ୍ୟ ଏହି ସୁବିଧା କରାଯାଇଛି ।

ପୂର୍ବ ତଟ ରେଳବାଇ ମୁଖ୍ୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଶ୍ୱଜିତ ସାହୁ କହିଛନ୍ତି, ଭାରତୀୟ ରେଳ ବିଭାଗ ଓ IRCTCର ମିଳିତ ଉଦ୍ୟମରେ ହୋଇଥିବା ଏହି ବ୍ୟବସ୍ଥାରେ ଜଣେ ଯାତ୍ରୀ ଗୋଟିଏ ସର୍ଚ୍ଚରେ ସେହି ସହରର ସମସ୍ତ ଷ୍ଟେସନର ତଥ୍ୟ ଜାଣିପାରିବେ । ପୂର୍ବରୁ କେବଳ ନିର୍ଦ୍ଧିଷ୍ଟ ଷ୍ଟେସନ ସର୍ଚ୍ଚ କଲେ ସେହି ବିଷୟରେ ତଥ୍ୟ ମିଳୁଥିଲା । କିନ୍ତୁ ଏବେ ସେହି ଷ୍ଟେସନ ସମେତ ଆଖପାଖ ଷ୍ଟେସନର ସମସ୍ତ ସୂଚନା ମିଳିପାରିବ ।

ଯାତ୍ରୀଙ୍କ ଆବଶ୍ୟକତା ଓ ସୁବିଧା ଅନୁସାରେ ଏହି ନୂଆ ବ୍ୟବସ୍ଥା ଆଜିଠାରୁ ଲାଗୁ ହୋଇଛି । ଆଗକୁ ମଧ୍ୟ ଯାତ୍ରୀଙ୍କ ସୁବିଧା ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପୂର୍ବତଟ ରେଲୱେର ସିପିଆରଓ ।

ଅନ୍ୟପଟେ କିଛି ଦିନ ପୂର୍ବରୁ ରେଳ ବିଭାଗ IRCTC ସହ ମିଶି ଯାତ୍ରୀଙ୍କ ପାଇଁ ଶାସ୍ତାରେ ଖାଦ୍ୟ ଯୋଗାଇବ ବୋଲି ଘୋଷଣା କରିଛି । କୁହାଯାଇଛି ଏଣିକି ଟ୍ରେନ୍‌ରେ ମିଳିବ ଶସ୍ତାରେ ଖାଦ୍ୟ । ୨୦ ରୁ ୫୦ ଟଙ୍କା ଭିତରେ ମିଳିବ ଖାଦ୍ୟ । ଯାତ୍ରୀମାନେ କମ୍ ଖର୍ଚ୍ଚରେ ପାଇବେ ପେଟ ପୁରା ଖାଦ୍ୟ । ସାଧାରଣତଃ ଟ୍ରେନ୍‌ରେ ଯାତ୍ରୀମାନେ ଦୂରସ୍ଥାନକୁ ଯାତ୍ରା କରିବା ବେଳେ ଅଭିଯୋଗ କରନ୍ତି ଯେ, ଟ୍ରେନ୍‌ରେ ଭଲ ଖାଦ୍ୟ ଦିଆଯାଉନି କିନ୍ତୁ ଟଙ୍କା ଅଧିକ ନେଉଛନ୍ତି ।

ଏହି ସବୁ ସମସ୍ୟାର ସମାଧାନ ପାଇଁ ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ରେଳ ବିଭାଗକୁ ନିବେଦନ କରିଥିବା ବେଳେ ଏଯାଏଁ ଏହାର ସମାଧାନ ହୋଇପାରିଥିଲା । କିନ୍ତୁ ଏବେ ଶାସ୍ତାରେ ଯାତ୍ରୀଙ୍କୁ ଖାଦ୍ୟ ପରସା ଯିବ ବୋଲି କହିଥିଲା IRCTC । ଖାଲି ଖାଦ୍ୟ ନୁହେଁ ଭଲ ପିଇବା ପାଣି ମଧ୍ୟ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି ।

ନୂଆ ଘୋଷଣା ଅନୁସାରେ ଏଣିକି ଟ୍ରେନର ସାଧାରଣ ବଗିରେ ଯାତ୍ରୀଙ୍କୁ ମିଳିବ ଭାରତୀୟ ରେଳ ପକ୍ଷରୁ ଖାଦ୍ୟ ଓ ପାଣି । ୨୦ ଟଙ୍କାରେ ମିଲ୍‌ ଓ ପାଣି ବୋତଲ ଯୋଗାଇବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି। ମେଲ ଓ ଏକ୍ସପ୍ରେସ ଟ୍ରେନରେ ଥିବା ଦୁଇଟି ଜେନେରାଲ କୋଚରେ ଯାତ୍ରା କରୁଥିବା ପାସେଂଜରଙ୍କୁ ଏହି ସୁବିଧା ମିଳିବ । ଏହାଦ୍ୱାରା ଯାତ୍ରୀ ଭାରତୀୟ ରେଳ ପ୍ରତି ଭଲ ଅନୁଭୂତି ପାଇବେ । ଏକ୍ସପ୍ରେସ ଟ୍ରେନର ପ୍ରଥମ ଓ ଶେଷରେ ଜେନେରାଲ କୋଚ୍ ଥିବାରୁ ଏହାକୁ ଦେଖି ଖାଦ୍ୟ କାଉଣ୍ଟର ପ୍ଲାଟଫର୍ମରେ କରାଯିବ । 

ତେବେ ଯାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟକୁ ଦୁଇ ପ୍ରକାର କରାଯାଇଛି । ୭ ପଟ ପୁରୀ, ଶୁଖିଲା ଆଳୁ ତରକାରୀ ଓ ଆଚାରର ଦାମ ୨୦ ଟଙ୍କା ରଖାଯାଇଥିବା ବେଳେ ଭାତ, ରାଜମା, ଚଣା ତରକାରୀ, କୁଲଚା, ଭଟୁରେ, ପାଓ ଭାଜି ଓ ମସଲା ଦୋଷା ଭଳି ଖାଦ୍ୟର ଦାମ ୫୦ ଟଙ୍କା ରଖାଯାଇଛି । ତେବେ ଖାଦ୍ୟ କାଉଣ୍ଟର କେଉଁଠି ରହିବ ଏହା ରେଲୱେ ଜୋନ ଅନୁସାରେ ନିଷ୍ପତ୍ତି ହେବ । ପରୀକ୍ଷାମୂଳକ ଭାବେ ଏହା ୬ ମାସ ପର୍ଯ୍ୟନ୍ତ ଚାଲିବ ।