• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲୋକସଭା ନିର୍ବାଚନ ସରୁ ସରୁ ଉଠିଲା ଇଲେକ୍ ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍ ପ୍ରସଙ୍ଗ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ସେ ଏହାକୁ ବ୍ଲାକ୍ ବକ୍ସ ବୋଲି କହିଛନ୍ତି । ରାହୁଲ ଗାନ୍ଧି ଏକ୍ସ ସିଇଓ ଏଲନ୍ ମସ୍କଙ୍କ ଏକ୍ସ ପୋଷ୍ଟକୁ ରି-ପୋଷ୍ଟ କରିବା ସହ ଭାରତରେ ଇଭିଏମ୍ ହେଉଛି ଏକ ବ୍ଲାକ୍ ବକ୍ସ ବୋଲି କହିଛନ୍ତି ।

ଏହାକୁ ଯାଞ୍ଚ କରିବାକୁ କାହାର ବି ଅନୁମତି ନାହିଁ । ଭାରତରେ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଚିନ୍ତା ବଢ଼ୁଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଅନୁଷ୍ଠାନଗୁଡ଼ିକର ଉତ୍ତରଦାୟିତ୍ୱ ଅଭାବ ରହିଲେ ଗଣତନ୍ତ୍ର ଦେଖାଣିଆ ପାଲଟିଯାଏ ଏବଂ ଠକାମିର ସମ୍ଭାବନା ବଢ଼ିଯାଏ ବୋଲି ରାହୁଲ କହିଛନ୍ତି ।

ଏଲନ୍ ମସ୍କ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଇଭିଏମ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ଇଭିଏମକୁ ରଦ୍ଦ କରିଦେବା ଉଚିତ୍ । ଏହାକୁ ସାଧାରଣ ଲୋକ କିମ୍ବା ଏଆଇ ଦ୍ୱାରା ହ୍ୟାକ୍ କରିବା ଆଶଙ୍କା ରହିଛି । କିନ୍ତୁ ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହାକୁ ଖଣ୍ଡନ କରିବା ସହ ଭାରତରେ ଇଭିଏମ ସମ୍ପୂର୍ଣ୍ଣ ନିରାପଦ ବୋଲି କହିଛନ୍ତି ।

ମୁମ୍ବାଇରେ ଇଭିଏମ ସହ ମୋବାଇଲ ସଂଯୋଗ ହୋଇଥିବା ଖବରକୁ ମଧ୍ୟ ରିଟର୍ଣ୍ଣିଂ ଅଫିସର ଖଣ୍ଡନ କରିଛନ୍ତି । କେନ୍ଦ୍ର କ୍ୟାବିନେଟରେ ଆସିପାରେ ୱାନ ନେସନ୍ ୱାନ୍ ଇଲେକସନ୍ ରିପୋର୍ଟ । NDA ସରକାରଙ୍କ ୧୦୦ ଦିନିଆ ଯୋଜନାର ଅଂଶ ଭାବରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏକ ଦେଶ, ଏକ ନିର୍ବାଚନ ଉପରେ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ କେନ୍ଦ୍ର କ୍ୟାବିନେଟରେ ଉପସ୍ଥାପନ କରିବା ସମ୍ଭାବନା ରହିଛି । ରିପୋର୍ଟକୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଉପସ୍ଥାପନ କରିବ ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ମାର୍ଚ୍ଚ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିଥିଲା । ଯେଉଁଥିରେ, ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ କରିବା ଓ ୧୦୦ ଦିନ ମଧ୍ୟରେ ସ୍ଥାନୀୟ ନିର୍ବାଚନ କରିବାକୁ ସୁପାରିସ କରାଯାଇଥିଲା ।

ଏକକାଳୀନ ନିର୍ବାଚନ ସମ୍ବଳ ସଞ୍ଚୟ, ବିକାଶ ଓ ସାମାଜିକ ସଂହତିକୁ ପ୍ରୋତ୍ସାହିତ କରିବା, ଗଣତାନ୍ତ୍ରିକ ବ୍ୟବସ୍ଥାର ଭିତ୍ତିଭୂମିକୁ ଗଭୀର କରିବା ସହ ଭାରତର ଆକାଂକ୍ଷାକୁ ସାକାର କରିବାରେ ସହାୟକ ହେବ ବୋଲି ରିପୋର୍ଟରେ କୁହାଯାଇଥିଲା । ଆସନ୍ତା ସପ୍ତାହେ ଓ ଦୁଇ ସପ୍ତାହ ଭିତରେ କେନ୍ଦ୍ର କ୍ୟାବିନେଟକୁ ଏହି ରିପୋର୍ଟ ପ୍ରଦାନ କରିବାକୁ ଆଇନ ମନ୍ତ୍ରଣାଳୟ ଯୋଜନା କରିଛି ।

ଗତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ସାରା ଦେଶରେ ଏକକାଳୀନ ନିର୍ବାଚନ ସମ୍ଭାବ୍ୟତା ଉପରେ ଆଲୋଚନା ପାଇଁ ୮ ଜଣିଆ କମିଟି ନିଯୁକ୍ତ କରିଥିଲେ । 

OTV is now on Whatsapp

Join and get latest news update delivered to you via whatsapp

Join Now