ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି, ଆସନ୍ତାକାଲି ରଥଯାତ୍ରାରେ ହେବେ ସାମିଲ

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ମହାମହିମ ରାଷ୍ଟ୍ରପତି ସିଧାସଳଖ ଜୟଦେବ ଭବନ ଅଭିମୁଖେ ଯାଇଛନ୍ତି ।

President of India

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ମହାମହିମ ରାଷ୍ଟ୍ରପତି ସିଧାସଳଖ ଜୟଦେବ ଭବନ ଅଭିମୁଖେ ଯାଇଛନ୍ତି । ସେଠାରେ ଅନୁଷ୍ଠିତ ହେଉଥିବା ଉତ୍କଳମଣି ଗୋପପବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ । ତେବେ ଆଜି ମହାମହିମ ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବେ । ତେବେ ଆସନ୍ତାକାଲି ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଆସନ୍ତାକାଲି ସକାଳୁ ବାୟୁସେନାର ପୁରୀ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗସ୍ତ ସମୟରେ ରୁଟକୁ ନୋ ଫ୍ଲାଇଙ୍ଗ ଜୋନ୍‌ କରାଯିବ । ତାଙ୍କ ଗସ୍ତ ରାସ୍ତାକୁ ସିଲ୍ କରାଯିବ । ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସର ଟିମ୍ ସୁରକ୍ଷା ଦେବେ। ରୁଫ ଟପ୍ ସାର୍ପ ସୁଟର ସ୍ନାଇପର ସଜାଗ ରହିବେ ।

ସେପଟେ ଆସନ୍ତାକାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏହା ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଲାଗିଛି ୩ ରଥ । ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବଂ ପରେ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶେଷରେ ତାଳଧ୍ବଜ ରଥ ସିଂହଦ୍ବାର ସମ୍ମୁଖରେ ଲାଗିଛି। ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ଗୋଟିଏ ପରେ ଗୋଟିଏ ରଥକୁ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ଅଣାଯାଇଥିଲା । ୩ ରଥର ପୂଜାପଣ୍ଡା ସାମନ୍ତ ପଟିଦିଅଁଙ୍କ ଠାରୁ ଆଜ୍ଞାମାଳ ଧରି ତିନି ରଥରେ ବିଜେ କରାଇଥିଲେ ।