ରାଣୀ ଏଲିଜାବେଥ୍‌ଙ୍କ ଶେଷକୃତ୍ୟରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବ୍ରିଟେନର ଦିବଙ୍ଗତ ରାଣୀ ଏଲିଜାବେଥ‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତ କରି ସେଠାରେ ରାଣୀଙ୍କୁ ଶେଷ ଦର୍ଶନ ସହ ଶୋକବ୍ୟକ୍ତ କରିବେ।

Droupadi Murmu

News Summary

ଆସନ୍ତା ୧୭ରୁ ୧୯ ତାରିଖ ଯାଏଁ ଲଣ୍ଡନ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମହାରାଣୀ ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବେ

ମହାରାଣୀ ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୭ରୁ ୧୯ ତାରିଖ ଯାଏଁ ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ରାଣୀଙ୍କ ଶେଷକୃତ୍ୟରେ ଯୋଗଦାନ କରିବେ ରାଷ୍ଟ୍ରପତି ।

ଆସନ୍ତା ୧୯ ତାରିଖରେ ରାଣୀ ଏଲିଜାବେଥ ଦ୍ୱିତୀୟ ଙ୍କ ଅନ୍ତିମ ସଂସ୍କାର ହେବ । ଗତ ୧୧ ତାରିଖ ରବିବାର ଦିନ ଭାରତରେ ରାଣୀ ଏଲିଜାବେଥ୍‌ଙ୍କ ପାଇଁ ଦିନିକିଆ ଶୋକ ପାଳନ କରାଯାଇଥିଲା । ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଣୀଙ୍କ ମୃତ୍ୟୁକୁ ନେଇ ଶୋକ ବ୍ୟକ୍ତ କରିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଭାରତରେ ଅବସ୍ଥାପିତ ବ୍ରିଟିଶ ହାଇ କମିଶନରଙ୍କୁ ଭେଟି ଭାରତ ପକ୍ଷରୁ ସମବେଦନା ଜଣାଇଥିଲେ ।

ଏହି ଦିନିକିଆ ଶୋକ ଅବସରରେ ଦେଶବ୍ୟାପୀ ଜାତୀୟ ପତାକା ଅର୍ଧନମିତ ରହିଥିଲା । ସେହିଭଳି ସରକାରୀ ଭାବେ କୌଣସି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନଥିଲା । ଗତ ଗୁରୁବାର ସ୍କଟଲାଣ୍ଡ୍ ବାଲମୋରା ରାଜପ୍ରାସାଦରେ ୯୬ ବର୍ଷ ବୟସରେ ରାଣୀ ଏଲିଜାବେଥଙ୍କ ପରଲୋକ ହୋଇଥିଲା ।