• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ଉପରାଷ୍ଟ୍ରପତି ନିର୍ବାଚନ। ସାଂସଦମାନେ ନିର୍ବାଚିତ କରିବେ ଦେଶର ଷୋଡ଼ଶ ଉପରାଷ୍ଟ୍ରପତି। ସଂସଦ ଭବନରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଭୋଟିଂ ଚାଲିବ। ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ। ଭୋଟିଂ ପରେ ସାଙ୍ଗେ ସାଙ୍ଗେ ଗଣତି କରାଯିବ।

ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ଼ଙ୍କୁ ଏନଡିଏ ପ୍ରାର୍ଥୀ କରିଥିବା ବେଳେ ମାର୍ଗାରେଟ୍ ଆଲ୍‌ଭାଙ୍କୁ ୟୁପିଏ ପ୍ରାର୍ଥୀ କରିଛି। ଉଭୟ ଉପରାଷ୍ଟ୍ରପତି ପ୍ରାର୍ଥୀ ବୃତ୍ତିରେ ଓକିଲ ହୋଇଥିବା ବେଳେ ପୂର୍ବରୁ ଉଭୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଜଗଦୀପ ଧନକରଙ୍କ ପ୍ରତି ଅଧିକ ଦଳର ସମର୍ଥନ ଥିଲେ ବି ନିର୍ବାଚନ କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବା ଆଶା କରାଯାଉଛି। ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବାକୁ ଯାଉଛି।

ଜାଣନ୍ତୁ, NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ ସମ୍ପର୍କରେ...

  • ୧୯୫୧ ମସିହା, ମେ’ ୧୮ରେ ରାଜସ୍ଥାନ ଝୁନଝୁନୁରେ ଜଗଦୀପ ଧନଖଡ଼ଙ୍କ ଜନ୍ମ
  • ପେଶାରେ ସେ ଜଣେ ଆଇନଜୀବୀ
  • ୧୯୮୯ ମସିହାରେ ଝୁନଝୁନୁ ଆସନରୁ ଜନତା ଦଳ ଟିକେଟରେ ଲୋକସଭାକୁ ସେ ନିର୍ବାଚିତ ହୋଇଥିଲେ
  • ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ସରକାରରେ କେନ୍ଦ୍ର ସଂସଦୀୟ ବ୍ୟାପାର ଉପମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ
  • ପରେ ନରସିଂହ ରାଓ ପ୍ରଧାନମନ୍ତ୍ରୀ ହେବା ପରେ ଧନଖଡ କଂଗ୍ରେସରେ ଯୋଗ ଦେଇଥିଲେ
  • ୧୯୯୩ରେ ଆଜମେର ଜିଲ୍ଲା କିଶନଗଡରୁ କଂଗ୍ରେସ ଟିକେଟରେ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ
  • ଅଶୋକ ଗେହଲଟ୍ ରାଜସ୍ଥାନରେ କଂଗ୍ରେସର ଚେହେରା ଭାବେ ଉଭା ହେବା ପରେ ୨୦୦୩ରେ ଧନଖଡ଼ ବିଜେପିରେ ଯୋଗ ଦେଇଥିଲେ
  • ପରେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବେ କାମ କରିଥିଲେ
  • ୨୦୧୯ରେ ଧନଖଡ଼ଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା
  • ରାଜ୍ୟପାଳ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଧନଖଡ଼ଙ୍କର ଭଲ ସମ୍ପର୍କ ନ ଥିଲା
  • ଅନେକ ସମୟରେ ସେ ପଶ୍ଚିମବଙ୍ଗ ସରକାରକୁ ସମାଲୋଚନା କରୁଥିଲେ

ଜାଣନ୍ତୁ, ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍ ଆଲ୍‌ଭାଙ୍କ ସମ୍ପର୍କରେ...

  • ୧୯୪୨ ମସିହା ଏପ୍ରିଲ ୧୪ରେ କର୍ଣ୍ଣାଟକର ମାଙ୍ଗାଲୋରରେ ମାର୍ଗାରେଟ୍ ଆଲ୍‌ଭାଙ୍କ ଜନ୍ମ
  • ଏକ ରାଜନୈତିକ ପରିବାରରୁ ମାର୍ଗାରେଟ୍ ଆଲ୍‌ଭା ଆସିଛନ୍ତି 
  • ଆଲ୍‌ଭାଙ୍କ ଶାଶୁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ କାମ କରିଥିଲେ 
  • ଶାଶୁ ଓ ଶ୍ୱଶୁରଙ୍କ ପ୍ରେରଣାରେ ୧୯୬୯ ମସିହାରେ ଆଲ୍‌ଭା ରାଜନୀତିରେ ପ୍ରବେଶ କରିଥିଲେ
  • ଇନ୍ଦିରା ଗାନ୍ଧିଙ୍କ କଂଗ୍ରେସ (ଇନ୍ଦିରା)ରେ ସେ ସାମିଲ ହୋଇଥିଲେ 
  • କର୍ଣ୍ଣାଟକରେ ଦଳକୁ ମଜବୁତ କରିବା ଦିଗରେ ସେ କାମ କରିଥିଲେ
  • ୧୯୭୪ ମସିହାରେ କର୍ଣ୍ଣାଟକରୁ ପ୍ରଥମ ଥର ପାଇଁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ
  • ପରେ ୧୯୮୦, ୧୯୮୬ ଏବଂ ୧୯୯୨ ମସିହାରେ ସେ ପୁନଃ ନିର୍ବାଚିତ ହୋଇଥିଲେ
  • ୧୯୯୯ରେ ଉତ୍ତର କାନାରା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ମାର୍ଗାରେଟ୍ ଆଲ୍‌ଭା ନିର୍ବାଚିତ ହୋଇଥିଲେ
  • ରାଜୀବ ଗାନ୍ଧି ଏବଂ ପି.ଭି. ନରସିଂହ ରାଓଙ୍କ ସରକାରରେ ମାର୍ଗାରେଟ୍ ଆଲ୍‌ଭା କେନ୍ଦ୍ରମନ୍ତ୍ରୀ ଥିଲେ 
  • ୨୦୦୯ରେ ତାଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା 
  • ପରେ ରାଜସ୍ଥାନ, ଗୁଜରାଟ ଓ ଗୋଆର ରାଜ୍ୟପାଳ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ