ମୋଦି ସରକାରଙ୍କ ଦୀପାବଳି ଭେଟି ! ଆଉ ତିନି ମାସ ମିଳିବ ମାଗଣା ରାସନ୍‌

ଡିସେମ୍ବର ପର୍ଯ୍ୟନ୍ତ ବଢ଼ିଲା ଗରିବ କଲ୍ୟାଣ ଯୋଜନାର ମିଆଦ୍‌

ଅବଧି ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି

ସାଧାରଣ ଜନତାଙ୍କୁ ମୋଦି ସରକାର ଙ୍କ ବଡ଼ ଭେଟି । ଦୀପାବଳି ପୂର୍ବରୁ ଦେଶର ୮୦ କୋଟି ଲୋକଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି ୩ ମାସ ବୃଦ୍ଧି ପାଇଛି । ମାଗଣା ରାସନ୍‌ ଯୋଜନାର ଅବଧିକୁ ଆଉ ତିନି ମାସ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।  ବୁଧବାର କେନ୍ଦ୍ର କ୍ୟାବିନେଟର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଏହି ଯୋଜନା ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏହି ଯୋଜନାରେ କ’ଣ ସୁବିଧା ମିଳେ ?

୨୦୨୦ ମାର୍ଚ୍ଚରେ ଲକ୍‌ଡାଉନ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ) ଘୋଷଣା ହୋଇଥିଲା । ମାଗଣା ରାସନ୍‌ ଯୋଜନାରେ ୮୦ କୋଟି ଜନତାଙ୍କୁ ମୋଦି ସରକାର ପ୍ରତି ମାସରେ ମୁଣ୍ଡ ପିଛା ହିସାବରେ ୫ କିଲୋ ଗହମ କିମ୍ବା ଚାଉଳ ପ୍ରଦାନ କରିଥାଆନ୍ତି । ଏହା ସହିତ ମୁଣ୍ଡ ପିଛା ଏକ କିଲୋଗ୍ରାମ ଲେଖାଏଁ ଚଣା ଦିଆଯାଇଥାଏ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସବସିଡି ମାଧ୍ୟମରେ ଲୋକଙ୍କୁ ଏହି ଯୋଜନାରେ ମାଗଣା ରାସନ ଯୋଗାଇ ଥାଆନ୍ତି ସକରାର । 

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଏଥିସହିତ ସେହି ବ୍ୟକ୍ତିମାନେ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରିହାତି ମୂଲ୍ୟରେ ଖାଦ୍ୟ ସାମଗ୍ରୀ ପାଉଛନ୍ତି । ତେଣୁ ଗୋଟିଏ ଯୋଗ୍ୟ ପରିବାର ମାସକୁ ପ୍ରାୟ ୫୦ କେଜି ଖାଦ୍ୟଶସ୍ୟ ପାଉଛନ୍ତି । କରୋନା ଅବଧିରେ ମହାମାରୀ ଦ୍ୱାରା ପ୍ରଭାବିତ ଗରିବଙ୍କ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା ।

ତେବେ ମାଗଣା ରାସନ୍‌ ଯୋଜନା ବନ୍ଦ କରାଯିବ ବୋଲି କିଛି ଦିନ ପୂର୍ବରୁ ଖବର ଆସିଥିଲା । ରିଜର୍ଭ ବ୍ୟାଙ୍କ ଓ ଅର୍ଥ ମନ୍ତ୍ରାଳୟ ମଧ୍ୟ ମାଗଣା ଯୋଜନା ଉପରେ ପ୍ରଶ୍ନ ଉଠାଇଥିଲେ । ତେବେ ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢ଼ାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଥିଲା । କେବଳ ମାଗଣା ଖାଦ୍ୟ ଯୋଜନା ନୁହେଁ, କୌଣସି ପ୍ରକାର ବଡ଼ଧରଣର ଟିକସ ହ୍ରାସକୁ ମଧ୍ୟ ବ୍ୟୟ ବିଭାଗ ବିରୋଧ କରିଥିଲା ।