ଦେଶରେ ଗଡ଼ିବ ‘ଅମୃତ ଭାରତ’, ପୁଶ୍-ପୁଲ୍ ଟେକନୋଲୋଜିରେ ନିର୍ମିତ ପ୍ରଥମ ସ୍ବଦେଶୀ ଟ୍ରେନ୍

'ବନ୍ଦେ ଭାରତ'ର ସଫଳତା ପରେ ଟ୍ରାକରେ ଗଡ଼ିବାକୁ ଯାଉଛି 'ଅମୃତ ଭାରତ' ଟ୍ରେନ୍ । ଖୁବଶୀଘ୍ର ଏହାକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Amrit Bharat Express

'ବନ୍ଦେ ଭାରତ'ର ସଫଳତା ପରେ ଟ୍ରାକରେ ଗଡ଼ିବାକୁ ଯାଉଛି 'ଅମୃତ ଭାରତ' ଟ୍ରେନ୍ । ଖୁବଶୀଘ୍ର ଏହାକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ପୁଶ୍-ପୁଲ୍ ଟେକନୋଲୋଜିରେ ନିର୍ମିତ ଏହି ସ୍ବଦେଶୀ ଟ୍ରେନକୁ ଖୁବଶୀଘ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ପୁଶ୍-ପୁଲ୍ ଟେକ୍ନୋଲୋଜି ଫଳରେ ଟ୍ରେନଟି ଖୁବ୍ କମ୍ ସମୟ ଭିତରେ ପିକ୍ଅପ୍ ଓ ବ୍ରେକ୍ କରିପାରିବ, ଅର୍ଥାତ୍ ଏହା ଶୀଘ୍ର ସ୍ପିଡ୍ ବଢ଼ାଇ ଓ କମାଇପାରିବ । ମୋଡ଼, ସେତୁ ଓ ଷ୍ଟେସନ ଆଦି ସ୍ଥାନରେ ଏହି ଟେକନୋଲୋଜି ସମୟ ବଞ୍ଚାଇବ । ଅମୃତ ଭାରତ ଟ୍ରେନ ଷ୍ଟାର୍ଟ ଓ ବ୍ରେକ୍ ବେଳେ ଯାତ୍ରୀଙ୍କୁ ଝଟକା ଲାଗିବ ନାହିଁ ଏବଂ ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ବିଶେଷ ସୁବିଧା ରହିବ ।

ଏହା ନନ୍-ଏସି ଟ୍ରେନ୍ ଏବଂ ଏଥିରେ କବଚ ଟେକନୋଲୋଜି ଲାଗିଛି । ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ନବନିର୍ମିତ ପୁଶ୍-ପୁଲ୍ ରେକ୍ ଯାଞ୍ଚ କରିବା ପରେ ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରଥମେ ଏହା ଅଯୋଧ୍ୟାରୁ ବିହାରର ଦରଭଙ୍ଗା ମଧ୍ୟରେ ଯାତ୍ରା କରିବ । ଏହି ଟ୍ରେନକୁ ସାଧାରଣତଃ ପ୍ରବାସୀ ଶ୍ରମିକଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।

ଏହି ଟ୍ରେନ ଘଣ୍ଟା ପିଛା ୧୩୦କିମି ବେଗରେ ଗତି କରିବ । କମଳା ଓ ଧୂସର ରଙ୍ଗକୁ ନେଇ ଏହି ଟ୍ରେନ ପ୍ରସ୍ତୁତ କରା ଯାଇଛି । ଟ୍ରେନରେ ୨୨ ଟି କୋଚ ରହିବ । ସେଥିରୁ ୮ଟି ସାଧାରଣ ଶ୍ରେଣୀ ଯାତ୍ରୀଙ୍କ ପାଇଁ ବଗି, ୧୨ ଟି ଦ୍ୱିତୀୟ ଶ୍ରେଣୀ ଓ ୩ ଟାୟାର କୋଚ ଓ ୨ଟି ଗାର୍ଡ କମ୍ପାଟମେଣ୍ଟ ରହିବ । ଏହା ହେଉଛି ଏକ ଅଣ ଏସି ଟ୍ରେନ, ଯେଉଁଥିରେ ବନ୍ଦେ ଭାରତ ପରି କିଛି ସୁବିଧା ସୁଯୋଗ ରହିଛି । ଅନ୍ୟପଟେ ଅଣ ସଂରକ୍ଷିତ ଟିକେଟ ଜରିଆରେ ମଧ୍ୟ ଏଥିରେ ଯାତ୍ରା କରିହେବ ।