ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ । ଆପ ଓ କଂଗ୍ରେସକୁ ପଛରେ ପକାଇଲା ବିଜେପି। ବିଜୟ ମୁକୁଟ ପିନ୍ଧିବା ପରେ ବିଜେପି ଶିବିରରେ ଉତ୍ସବର ମାହଲୋ। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ଦିଲ୍ଲୀ ବିଜୟକୁ ନେଇ ବିଜୟ ଉତ୍ସବ ପାଳିବାକୁ ପହଞ୍ଚିଲେ ମୋଦି । କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଆପ୍କୁ କଲେ କଡ଼ା ଟାର୍ଗେଟ୍ ।
ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରି କହିଲେ, ଶେଷରେ ଆପ୍ଦାରୁ ମୁକ୍ତ ହେଲା ଦିଲ୍ଲୀ । ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଉଛି । ଦ୍ରୁତଗତିରେ ଦିଲ୍ଲୀର ବିକାଶ କରି ଆମେ ଏହି ଋଣ ସୁଝିବୁ। ଗୋଟିଏ ଦଶକର ଆପ୍ଦାରୁ ଦିଲ୍ଲୀ ମୁକ୍ତ ହେଲା । ଆଜି ଦିଲ୍ଲୀରେ ବିକାଶ, ଭିଜନ, ବିଶ୍ବାସର ବିଜୟ ହୋଇଛି । ଆଡ଼ମ୍ବର, ଅରାଜକତା, ଅହଂକାର ପାଇଁ ଆପ୍ଦା ପରାସ୍ତ ହୋଇଛି । ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଏହି ବିଜୟର ହକ୍ଦାର । ଦିଲ୍ଲୀବାସୀ ସ୍ପଷ୍ଟ କରିଦେଲେ ଦିଲ୍ଲୀର ପ୍ରକୃତ ମାଲିକ କେବଳ ଜନତା । ସର୍ଟକଟ୍ ରାଜନୀତିକୁ ଦିଲ୍ଲୀବାସୀ ସର୍ଟ ସର୍କିଟ କରିଦେଲେ । ଲୋକସଭା ନିର୍ବାଚନରେ ଦିଲ୍ଲୀବାସୀ କେବେ ନିରାଶ କରିନାହାନ୍ତି। ୩ ଥର ଲୋକସଭା ନିର୍ବାଚନରେ ଶତ ପ୍ରତିଶତ ବିଜୟ ଆମକୁ ମିଳିଥିଲା । ଦିଲ୍ଲୀର ଯୁବବର୍ଗ ପ୍ରଥମ ଥର ବିଜେପିର ସୁଶାସନ ଦେଖିବ ।
Also Read
ଅଧିକ ପଢନ୍ତୁ: ‘ଆମ ପାଇଁ ଟ୍ରିପଲ ; ଦିଲ୍ଲୀବାସୀଙ୍କ ପାଇଁ ଡବଲ ସରକାର’
ଆହୁରି କହିଛନ୍ତି ଯେ, ଦିଲ୍ଲୀ କେବଳ ଗୋଟିଏ ସହର ନୁହେଁ, ଏହା ମିନି ଇଣ୍ଡିଆ । ବିଶେଷ ଭାବେ ପୂର୍ବାଞ୍ଚଳ ଲୋକଙ୍କୁ କୃତଜ୍ଞତା ଜଣାଉଛି । ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟୀକରଣ ନୀତିକୁ ଲୋକେ ବାଛିଛନ୍ତି । ଧାରଣା ରାଜନୀତି ଦ୍ବାରା ଏଠିକାର ବିକାଶ ବାଧାପ୍ରାପ୍ତ ହୋଇଛି। ପୂରା ଦେଶ ଜାଣିଛି ଯେଉଁଠି ଏନ୍ଡିଏ, ସେଠାରେ ସୁଶାସନ । ସୁଶାସନର ଲାଭ ମଧ୍ୟବିତ୍ତ ଓ ଗରିବଙ୍କୁ ମିଳିଥାଏ । ଆମ ଦଳ ସବୁବେଳେ ମଧ୍ୟବିତ୍ତଙ୍କୁ ଗୁରୁତ୍ବ ଦେଇଥାଏ । ଦେଶର ନାରୀଶକ୍ତି ଆମର ସବୁଠୁ ବଡ଼ ରକ୍ଷା କବଚ । ମହିଳାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚିତ ପୂରଣ ହେବ । ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି । ଦିଲ୍ଲୀକୁ ଏକ ଆଧୁନିକ ସହର କରିବୁ । ଆଜି ଦେଶ ସହରୀକରଣ ମୁହାଁ, ଏହା ଏକ ସୁଯୋଗ । ଗରିବ, ମଧ୍ୟବିତ୍ତଙ୍କୁ ସଶକ୍ତ କରିବାକୁ ଏହା ଏକ ମାଧ୍ୟମଗରିବ, ମଧ୍ୟବିତ୍ତଙ୍କୁ ସଶକ୍ତ କରିବାକୁ ଏହା ଏକ ମାଧ୍ୟମ ।
‘ଯମୁନା ଅସ୍ଥିତ୍ବ ଆଜି ବିପଦରେ...’
ମା‘ ଯମୁନା ଆମ ଆସ୍ଥାର କେନ୍ଦ୍ର, କିନ୍ତୁ ଯମୁନା ଅସ୍ଥିତ୍ବ ଆଜି ବିପଦରେ । ଲୋକଙ୍କ ଆସ୍ଥା ସହ ଖେଳିଛି ଆପ୍ଦା ସରକାର । ହରିୟାଣା ଲୋକଙ୍କ ଉପରେ ଏତେ ବଡ଼ ମିଛ ଅଭିଯୋଗ ଆଣିଲେ । ଯମୁନାର ସେବା ପାଇଁ ପୂରା ଶକ୍ତିର ସହ ଲାଗିପଡ଼ିବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଆପକୁ କଡ଼ା ସମାଲୋଚନା...
ଆପକୁ କଡ଼ା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । ରାଜନୀତିରେ ପରିବର୍ତ୍ତନ ଆଣିବୁ କହି ରାଜନୀତିକୁ ଆସିଥିଲେ । କିନ୍ତୁ ଏମାନେ କଟ୍ଟର ବେଇମାନ ବାହାରିଲେ । ବିଧାନସଭା ପ୍ରଥମ ଅଧିବେଶନରେ ସିଏଜି ରିପୋର୍ଟ ଉପସ୍ଥାପନ କରିବୁ । ଯିଏ ବି ଲୁଟିଛନ୍ତି, ଫେରାଇବାକୁ ପଡ଼ିବ । ଭ୍ରଷ୍ଟାଚାରର ଯାଞ୍ଚ ହେବ, ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ।
'ଜିରୋର ଡବଲ ହ୍ୟାଟ୍ରିକ କରିଛି କଂଗ୍ରେସ'
କଂଗ୍ରେସକୁ ବି ଧୋଇଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ପୁଣିଥରେ କଂଗ୍ରେସକୁ କଡ଼ା ସନ୍ଦେଶ ମିଳିଛି । ପୁଣିଥରେ ଖାତା ଖୋଲିବାରେ ବିଫଳ ହୋଇଛି କଂଗ୍ରେସ । ୬ ଥର ଖାତା ଖୋଲିପାରିନି କଂଗ୍ରେସ । ଦିଲ୍ଲୀରେ କଂଗ୍ରେସକୁ ଜିରୋର ଡବଲ ହ୍ୟାଟ୍ରିକ ମିଳିଛି । କଂଗ୍ରେସ ଉପରେ ଦେଶ ଆଉ ଭରସା କରୁନି । ମୁଁ ପୂର୍ବରୁ କହିଛି କଂଗ୍ରେସ ଏକ ପରଜୀବୀ ପାର୍ଟି । ନିଜେ ବୁଡ଼ିବା ସହ ସହଯୋଗୀ ଦଳକୁ ବି ବୁଡ଼ାଉଛି । ଇଣ୍ଡି ଗଠବନ୍ଧନ କଂଗ୍ରେସର ଏହି ଚରିତ୍ରକୁ ଜାଣି ସାରିଲେଣି । ଦିଲ୍ଲୀରେ ଇଣ୍ଡି ଗଠବନ୍ଧନ କଂଗ୍ରେସ ବିରୋଧରେ ପ୍ରଚାର କରିଥିଲେ । କିନ୍ତୁ ସେମାନେ ଆପ୍ଦାକୁ ବଞ୍ଚାଇ ପାରିଲେନି । ଆଜିର କଂଗ୍ରେସ ସ୍ବାଧୀନତା ସମୟର କଂଗ୍ରେସ ନୁହେଁ । କଂଗ୍ରେସ ନେତା ଅର୍ବାନ ନକ୍ସଲର ଭାଷା କହୁଛନ୍ତି। କଂଗ୍ରେସ ଭିତରେ ଅର୍ବାନ ନକ୍ସଲର ଡିଏନ୍ଏ ପଶିଯାଇଛି ବୋଲି କହିଛନ୍ତି ମୋଦି ।
ଯୁବକଙ୍କୁ ରାଜନୀତିକୁ ଆସିବାକୁ ଆହ୍ବାନ...
୧ ଲକ୍ଷ ଯୁବକଙ୍କୁ ରାଜନୀତିକୁ ଆସିବାକୁ ଆହ୍ବାନ ଦେଲେ ମୋଦି । ଦେଶକୁ ପଲିଟିକାଲ ଟ୍ରାନ୍ସଫର୍ମେଶନର ଆବଶ୍ୟକତା ଅଛି । ଦେଶର ଯୁବବର୍ଗ ରାଜନୀତିକୁ ଆସିଲେ ଦେଶର ଭବିଷ୍ୟତ ବଦଳିବ । କ୍ଷମତା ଲୋଭ ନୁହେଁ, ସେବାରେ ନିଜକୁ ନିୟୋଜିତ କରିବା ବୋଲି କହିଛନ୍ତି ମୋଦି ।