ନୂଆ ସରକାର ଗଠନ ପୂର୍ବରୁ ଇସ୍ତଫା ଦେଲେ ମୋଦି

ନୂଆ ସରକାର ଗଠନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

Narendra Modi

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସରକାର ଗଠନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ୮ ତାରିଖରେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପରମ୍ପରା ଅନୁସାରେ, ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଥାନ୍ତି । ଏହି ଅନୁସାରେ ମୋଦି ସରକାର ୩.୦ ଗଠନ ପୂର୍ବରୁ ସେ ପଦ ଛାଡ଼ିଛନ୍ତି ।

ଅଧିକ ପଢ଼ନ୍ତୁ: ଜୁନ୍‌ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି !

ସୂଚନା ଅନୁସାରେ ଚଳିତ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି NDA । ଯାହାଫଳରେ କେନ୍ଦ୍ରରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ତେବେ ନୂଆ ସରକାର ଶପଥ ଗ୍ରହଣ ତାରିଖ ଓ ସମୟ ମଧ୍ୟ ସ୍ଥିର କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୮ ତାରିଖ ସନ୍ଧ୍ୟାରେ ହୋଇପାରେ । ଶପଥ ଗ୍ରହଣ ଉତ୍ସବ ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହେଲାଣି । ସେହିପରି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ମଧ୍ୟ ବିଜେପିର ସହଯୋଗୀ ଦଳମାନଙ୍କ ସହ ଘନଘନ ଆଲୋଚନା ଓ ବୈଠକ ଜାରି ରହିଛି । ଆସନ୍ତା ୨-୩ ଦିନ ମଧ୍ୟରେ ନାଁ ଚୁଡ଼ାନ୍ତ ହେବ ବୋଲି ଚର୍ଚ୍ଚା ହେଉଛି ।

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ମାତ୍ରେ ନରେନ୍ଦ୍ର ମୋଦୀ ଏକ ନୂଆ ରେକର୍ଡ ଅଧିକାରୀ ହେବେ । ସେ ଦେଶର ଦ୍ୱିତୀୟ ନେତା ହେବେ ଯିଏ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚନରେ ​​ଜିତି ଦେଶର ପ୍ରଧାନମନ୍ତ୍ରୀ ହେବେ। ଏହାପୂର୍ବରୁ ଏହି ରେକର୍ଡ ଜବାହରଲାଲ୍‌ ନେହେରୁଙ୍କ ନାମରେ ଥିଲା ।

ଅଧିକ ପଢ଼ନ୍ତୁ: ବିଜେଡି ହାତରୁ ଖସିଲା ଶାସନ ଡୋରି, ନବୀନ ପାଲଟିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ସେପଟେ ଆଜି ଅପରାହ୍ନ ୪ଟାରେ ଦିଲ୍ଲୀରେ ଏନଡିଏ ବୈଠକ ଡକାଯାଇଛି । ଏଥିରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟ ନେତାମାନେ ଅଂଶଗ୍ରହଣ କରିବେ । ଏନଡିଏ ସହଯୋଗୀମାନଙ୍କ ସହ ଆଲୋଚନା ପରେ ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ। ଏଥିରେ ସରକାରୀ ଗଠନ ଏବଂ ଶପଥ ଗ୍ରହଣର ରୂପରେଖ ଉପରେ ଆଲୋଚନା ହେବ । ଏନ୍‌ଡିଏ ବୈଠକ ର୍ପୂବରୁ ବୁଧବାର ସକାଳେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ସେହିପରି ଆଜି ଅପରାହ୍ମରେ ଦିଲ୍ଲୀରେ ପହଞ୍ଚିବେ ଟିଡିପି ମୁଖ୍ୟ ଏନ୍‌.ଚନ୍ଦ୍ରବାବୁ ନାଇଡୁ ।

ସୂଚନା ଅନନୁସାରେ ୨୦୧୯ରେ ଫଳାଫଳର ୭ ଦିନ ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ସେହିପରି ୨୦୧୪ରେ ଯେତେବେଳେ ଏନଡିଏ ସରକାର ଗଠନ ହେଲା, ମୋଦୀ ୧୦ ଦିନ ପରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । କିନ୍ତୁ ଏଥର ଫଳାଫଳ ଘୋଷଣାର ୪ ଦିନ ପରେ ଅର୍ଥାତ୍ ୮ ଜୁନ୍‌ରେ ଶପଥ ଗ୍ରହଣ ଉତ୍ସବ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ମଙ୍ଗଳବାର ଲୋକସଭା ନିର୍ବାଚନର ଫଳାଫଳ ଆସିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୨ଟି ଆସନ ଜିତି ବହୁମତ ହାସଲ କରିଛି । ସେହିପରି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବ୍ଲକ ୨୩୪ଟି ଆସନ ପାଇଛି । କେବଳ ବିଜେପି ୨୪୦ଟି ଆସନ ଜିତିଛି । ଏଭଳି ପରିସ୍ଥିତିରେ, ବିଜେପି ସଂଖ୍ୟାଗରିଷ୍ଠତାଠାରୁ ବହୁ ପଛରେ ଅଛି ।