• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରବିବାର ପାହାନ୍ତିରେ ଟ୍ୱିଟର ଆକାଉଣ୍ଟ ହ୍ୟାକ କରି ଆପତ୍ତିଜନକ ଟ୍ୱିଟ୍ ପୋଷ୍ଟ କରାଯାଇଥିଲା ବୋଲି ଅଭିଯୋଗ

  • ଘଟଣା ନେଇ ପିଏମ୍ଓ ପକ୍ଷରୁ ଟ୍ୱିଟର କର୍ତ୍ତୃପକ୍ଷଙ୍କୁ କରାଗଲା ଅବଗତ

  • କିଛି ସମୟ ପରେ ଟ୍ୱିଟର ଆକାଉଣ୍ଟ ଠିକ୍ ହୋଇଥିବା ନେଇ ପିଏମ୍ଓ ପକ୍ଷରୁ ଦିଆଗଲା ସୂଚନା

ନୂଆଦିଲ୍ଲୀ : ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ କିଛିକ୍ଷଣ ଲାଗି ହ୍ୟାକ ହୋଇଥିବା ଅଭିଯୋଗ ହୋଇଛି । ଭାରତରେ ବର୍ତ୍ତମାନ ବିଟକଏନ୍ କିମ୍ବା ଅନ୍ୟ କୌଣସି କ୍ରିପ୍ଟୋକରେନ୍ସି ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇନାହିଁ । ହେଲେ ଏପରି ସମୟ ମଧ୍ୟରେ ହ୍ୟାକରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ (@narendramodi) କୁ ହ୍ୟାକ୍ କରି ବିଟ୍ କଏନ୍ ସମ୍ପର୍କରେ ଏପରି ଏକ ଟ୍ୱିଟ କରିଛନ୍ତି, ଯାହା ସୋସିଆଲ ମିଡିଆରେ ନିଆଁ ଲଗାଇଦେଇଛି । ତେବେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ପୁଣି ସୁରକ୍ଷିତ କରାଯାଇଛି ବୋଲି ବର୍ତ୍ତମାନ PMO ସୂଚନା ଦେଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଫିସର ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆଜି ପାହାନ୍ତିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା । ଏଥିରେ ବିଟ କଏନ୍ ସଂପର୍କରେ ଏକ ଲିଙ୍କ ସେୟାର କରାଯାଇଥିଲା । ଭାରତ ସରକାର ବିଟ୍ କଏନର ପ୍ରଚଳନକୁ ସରକାରୀ ଭାବେ ସ୍ୱୀକାର କରିଥିବା ନେଇ ଏହି ଟ୍ୱିଟରେ ଉଲ୍ଲେଖ ରହିଥିଲା । ତେବେ ଟ୍ୱିଟ୍ କରିବାର ଦୁଇ ମିନିଟ୍ ପରେ ଟ୍ୱିଟକୁ ଡିଲିଟ୍ କରାଯାଇଥିଲା । କିନ୍ତୁ ସେତେବେଳକୁ ସ୍କ୍ରିନସଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇସାରିଥିଲା ।

ସୋସିଆଲ ମିଡିଆରେ ସେହି ଟ୍ୱିଟର ସ୍କ୍ରିନସଟ ସେୟାର କରିବା ସହ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲ ଯଦି ହ୍ୟାକ୍ ହୋଇପାରୁଛି , ତେବେ ସାଧାରଣ ଲୋକଙ୍କ ସ୍ଥିତି କ’ଣ ହେବ । ସୋସିଆଲ ମିଡିଆର ସୁରକ୍ଷା ବ୍ୟବସ୍ଥା ପ୍ରତି ଏହା ଏକ ଗୁରୁତର ବିପଦ ଅଟେ।

 

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ବା ପିଏମ୍ଓ ଟ୍ୱିଟର ଆକାଉଣ୍ଟରୁ ଏନେଇ ସୂଚନା ଦିଆଯିବା ସହ ଟ୍ୱିଟର ଅଫିସକୁ ଜଣାଯାଇଥିଲା । ଏହା ପରେ ପରେ ତତକ୍ଷଣାତ ମୋଦିଙ୍କ ଟ୍ୱିଟର ଆକାଉଣ୍ଟକୁ ଠିକ୍ କରାଯାଇଥିଲା । ଏବେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ଠିକ୍ ଥିବା ଓ ଆପତ୍ତିଜନକ ଟ୍ୱିଟ୍ ଡିଲିଟ୍ କରି ଦିଆଯାଇଥିବା ନେଇ ପିଏମ୍ଓ ପକ୍ଷରୁ ଜଣାଯାଇଛି । ତେବେ ଟ୍ୱିଟର ଆକାଉଣ୍ଟ ହ୍ୟାକ ହେବାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛି ଯୁବ କଂଗ୍ରେସ ।