ନ୍ୟୁୟର୍କରେ ଓଡ଼ିଆଙ୍କୁ ଭେଟିଲେ ମୋଦି, ରାତିରେ ପ୍ରବାସୀ ଭାରତୀୟଙ୍କୁ କରିବେ ସମ୍ବୋଧନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି ନିକଟରେ ପାଇ ପ୍ରବାସୀ ଭାରତୀୟମାନେ ପିଏମଙ୍କ ସହ ସେଲଫି ନେବା ସହ ଖୁସି ପ୍ରକାଶ କରିଛନ୍ତି ।

Narendra Modi

ନ୍ୟୁୟର୍କରେ ଓଡ଼ିଆଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନ୍ୟୁୟର୍କରେ ପହଞ୍ଚିବା ପରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏହି ଅବସରରେ ଓଡ଼ିଶା ସୋସାଇଟି ସଦସ୍ୟ ଓ ପ୍ରବାସୀ ଭାରତୀୟମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ପାରମ୍ପାରିକ ନାଚଗୀତର ତାଳେତାଳେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି ପ୍ରବାସୀ ଭାରତୀୟମାନେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି ନିକଟରେ ପାଇ ପ୍ରବାସୀ ଭାରତୀୟମାନେ ପିଏମଙ୍କ ସହ ସେଲଫି ନେବା ସହ ଖୁସି ପ୍ରକାଶ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦି ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ଭାରତୀୟ ସମୟ ରାତି ସାଢ଼େ ୯ଟାରେ ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ ପିଏମ୍ ମୋଦି ।

ସେପଟେ ଭାରତରୁ ଚୋରା ଚାଲାଣ ହୋଇଥିବା ମୂଲ୍ୟବାନ ପୁରୁଣା ସାମଗ୍ରୀ ଫେରାଇଲା ଆମେରିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ବେଳେ ୨୯୭ ଚୋରା ସାମଗ୍ରୀକୁ ଭାରତକୁ ହସ୍ତାନ୍ତର କରାଯାଇଛି । ଗତ ୨୦୧୪ ମସିହାରୁ ବର୍ତ୍ତମାନ ସୁଦ୍ଧା ଭାରତକୁ ଫେରିଛି ଚୋରା ଚାଲାଣ ହୋଇଥିବା ୬୪୦ ମୂଲ୍ୟବାନ ସାମଗ୍ରୀ । ଏହା ଭିତରେ ଆମେରିକାରୁ ଆସିଛି ୫୭୮ଟି ।

ସେହିପରି ବାଇଡେନ୍ ଦମ୍ପତିଙ୍କୁ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ରୂପାରେ ତିଆରି ଏକ ପ୍ରାଚୀନ ଟ୍ରେନ୍ ମଡେଲ୍ ଉପହାର ଦେଇଛନ୍ତି । ମହାରାଷ୍ଟ୍ରର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବିରଳ କଳାକୃତି । ଏହି ରୁପା ଟ୍ରେନ୍ ମଡେଲ୍ ୯୨.୫% ରୁପାରେ ନିର୍ମିତ ହୋଇଛି । ସେହିପରି ପ୍ରଧାନମନ୍ତ୍ରୀ ଆମେରିକାର ଫାଷ୍ଟ ଲେଡି ଜିଲ୍ ବାଇଡେନଙ୍କୁ ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ପାଶମିନା ସାଲ୍ ଉପହାର ଦେଇଛନ୍ତି ।