• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭାରତୀୟ ନୌସେନାକୁ ବିକ୍ରାନ୍ତ ବଳ । ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଦେଶରେ ନିର୍ମିତ ପ୍ରଥମ ଏୟାର କ୍ରାଫ୍ଟ କ୍ୟାରିୟର ଆଇଏନ୍ଏସ୍ ବିକ୍ରାନ୍ତକୁ ନୌସେନା ହାତରେ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେରଳ କୋଚିରେ ଆୟୋଜିତ ଭବ୍ୟ ସମାରୋହରେ ଲୋକାର୍ପଣ ସହ ଏୟାରକ୍ରାଫଟ୍ କ୍ୟାରିୟର ନିର୍ମାଣ କ୍ଷମତା ଥିବା ଆମେରିକା, ଋଷିଆ, ଚୀନ୍, ବ୍ରିଟେନ ଓ ଫ୍ରାନ୍ସ ଭଳି ଏଲିଟ୍ ଦେଶ କ୍ଲବରେ ସାମିଲ ହୋଇଛି ଭାରତ । ସେହିପରି ପ୍ରଧାନମନ୍ତ୍ରୀ ଆଜି ଭାରତୀୟ ନୌସେନାର ନୂଆ ପତାକା ଓ ନିଶାନ୍‌ର ବି ଉନ୍ମୋଚନ କରିଛନ୍ତି ।

ବଢିଲା ଭାରତୀୟ ନୌସେନାର ବଳ । ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନ୍ଏସ୍ ବିକ୍ରାନ୍ତର କମିଶନିଂ କଲେ ପ୍ରଧାନମନ୍ତ୍ରୀ ରେନ୍ଦ୍ର ମୋଦି । କେରଳର କୋଚିରେ ଗର୍ବ ଓ ଗୌରବର ମୁହୂର୍ତ୍ତ । ଭବ୍ୟ ସମାରୋହରେ ଆଏନ୍ଏସ୍ ବିକ୍ରାନ୍ତକୁ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର ଏହି ସମୟରେ ଉପସ୍ଥିତ ଥିଲେ । ୨୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଏନଏସ ବିକ୍ରାନ୍ତ ଦେଶରେ ନିର୍ମାଣ ହୋଇଥିବା ପ୍ରଥମ ବିମାନ ବାହକ ଯୁଦ୍ଧପୋତ । ଏଥିସହ ଏୟାରକ୍ରାଫ୍ଟ କ୍ୟାରିଅର ନିିର୍ମାଣ ଦକ୍ଷତା ଥିବା ଦେଶ ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ଭଳି ଏଲିଟ୍ କଣ୍ଟ୍ରି ତାଲିକାରେ ବି ନିଜକୁ ସାମିଲ କରିଛି ଭାରତ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକ୍ରାନ୍ତ ବିଶାଳ, ବିରାଟ ଓ ବିଶିଷ୍ଟ ଆତ୍ମନିର୍ଭର ଭାରତ ଅଭିଯାନର ଏହା ଆଉ ଏକ ବିରାଟ ଉପଲବ୍ଧି ।

୨୬୨ ମିଟର ଲମ୍ବ, ୬୨ ମିଟର ପ୍ରସ୍ଥ ଏବଂ ୫୯ ମିଟର ଉଚ୍ଚତା ବିଶିଷ୍ଟ ବିଶାଳକାୟ ଯୁଦ୍ଧପୋତ ବିକ୍ରାନ୍ତର ଓଜନ ୪୫ ହଜାର ଟନ୍ରୁ ଅଧିକ । ଏହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ସବୁଠୁ ବଡ ଯୁଦ୍ଧ ଜାହାଜ । ଏଥିରେ ମିଗ୍-୨୯ କେ ସମେତ ୩୦ଟି ଏୟାରକ୍ରାଫ୍ଟ ମୁତୟନ ରହିପାରିବ । ଏହାର ଫ୍ଲାଇଟ୍ ଡେକ୍ ଦୁଇଟି ଫୁଟବଲ୍ ପଡିଆ ସହ ସମାନ ସେହିପରି ଥରେ ଇନ୍ଧନ ଭରିଲେ ସମୁଦ୍ରରେ ଏହା ସାଢେ ୭ ହଜାର ମାଇଲ ଦୂରତା ଅତିକ୍ରମ କରିବାକୁ ସମର୍ଥ । ଏଥିରେ ୨୩୦୦ରୁ ଅଧିକ କମ୍ପାର୍ଟମେଣ୍ଟ ଓ ମହିଳା ସେନାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର କ୍ୟାବିନ୍ ରହିଛି ।

 

ଏଥିରେ ୧୬ ଶହ ନୌସୈନିକ ମୁତୟନ ରହି ପାରିବେ । ବିକ୍ରାନ୍ତରେ ଲାଗିଥିବା ୮ଟି ପାୱାର ଜେନେରେଟର ସମ୍ପୂର୍ଣ୍ଣ କୋଚି ସହରକୁ ଆଲୋକିତ କରିବାରେ ଯଥେଷ୍ଟ । ଯୁଦ୍ଧ ପୋତରେ ସମସ୍ତ ଅତ୍ୟାଧୁନିକ ସେବା ଓ ସୁବିଧା ସହିତ ଏକ ଅତ୍ୟାଧୁନିକ ମେଡିକାଲ ମଧ୍ୟ ରହିଛି । ଯେଉଁଥିରେ ଆଇସିୟୁ, ଏମର୍ଜେନସି ଅପରେସନ୍ ଥିଏଟର ସହ ସିଟି ସ୍କାନ, ଏକ୍ସରେ ଓ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ବି ରହିଛି । ପୂର୍ବରୁ ୨୦୧୩ ରୁ ବିଶାଳକାୟ ଯୁଦ୍ଧପୋତ ଆଇଏନ୍ଏସ୍ ବିକ୍ରମାଦିତ୍ୟ ଭାରତୀୟ ସେନାର ଶକ୍ତି ବଢ଼ାଉଥିବାବେଳେ ଏବେ ଆଇଏନ୍ଏସ୍ ବିକ୍ରାନ୍ତର କମିଶନିଂ ଫଳରେ ଦେଶର ଉଭୟ ପଶ୍ଚିମ ଓ ପୂର୍ବତଟରେ ଶତ୍ରୁକୁ ପରାହତ କରିବାର ସାମର୍ଥ୍ୟ ହାସଲ କରିଛି ଭାରତୀୟ ନୌସେନା ।

ଏପଟେ ବିକ୍ରାନ୍ତ କମିଶନିଂ ଅବସରରେ ଭାରତୀୟ ନୌସେନାର ନୂଆ ପତାକା ଓ ନିଶାନର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବ ପତାକାରେ କ୍ରସ୍ ଅଫ୍ ସେଣ୍ଟ ଜର୍ଜ ରହିଥିଲା ମାତ୍ର ଏହା ବ୍ରିଟିଶ ସାମ୍ରାଜ୍ୟବାଦ୍ର ପ୍ରତୀକ ଥିବାରୁ ଏହାକୁ ପରିବର୍ତ୍ତନ କରିଛନ୍ତି ସରକାର । ନୂଆ ପତାକାର ଉପର ବାମ କୋଣରେ ଭାରତୀୟ ତ୍ରିରଙ୍ଗା ରହିଥିବା ବେଳେ ଡାହାଣ ପାଖରେ ନୌସେନାର ଚିହ୍ନକୁ ନୀଳ ଅଷ୍ଟ୍ଟଭୂଜ ମଧ୍ୟରେ ରଖାଯାଇଛି । ନୀଳ ରଙ୍ଗର ଅଷ୍ଟଭୂଜରେ ଦୁଇଟି ଗୋଲ୍ଡେନ୍ ବର୍ଡର ରହିଛି । ଏହା ମହାରାଜା ଛତ୍ରପତି ଶିବାଜୀଙ୍କ ମୋହର ଦ୍ୱାରା ଅନୁପ୍ରାଣିତ ବୋଲି କୁହାଯାଉଛି । ଲଙ୍ଗର ତଳେ ବରୁଣ ଦେବତାଙ୍କ ସ୍ଥୁତିଗାନ କରୁଥିବା ବୈଦିକ ମନ୍ତ୍ର ସଂ ନୌ ବରୁଣଃ ଲେଖାଯାଇଛି ।