ଖରା ସାଧୁଛି ଦାଉ; ପାଣି ପାଇଁ ଡହଳବିକଳ ଲୋକେ, ଦିଲ୍ଲୀରେ ପରିସ୍ଥିତି ଜଟିଳ

ଦିଲ୍ଲୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପାଣି ସମସ୍ୟା । ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ ।

Delhi Water Crisis

ଦିଲ୍ଲୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପାଣି ସମସ୍ୟା । ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଚାଣ୍ୟକପୁରୀ, ଓଖଲା, ସଞ୍ଜୟ କ୍ୟାମ୍ପ, ମୟୂର ବିହାର ଭଳି ଏକାଧିକ ଅଞ୍ଚଳରେ ପାଣିର ଘୋର ସମସ୍ୟା ଦେଖିବାକୁ ମିଳିଛି। ପ୍ରତିଦିନ ପ୍ରଶାସନ ପକ୍ଷରୁ ଯୋଗା ଯାଉଥିବା ପାଣି ଟ୍ୟାଙ୍କର ଯଥେଷ୍ଟ ହେଉନି ।

ପରିସ୍ଥିତି ଏମିତି ହୋଇଛି କି ଗୋଟିଏ ପାଣି ଟାଙ୍କି ଉପରେ ଶହ ଶହ ଲୋକ ଭରସା କରୁଛନ୍ତି । ପିଲାଠୁ ବୟସ୍କ ଏହି ଟାଙ୍କରରୁ ପାଣି ନେବାକୁ ପ୍ରତିଦିନ ସଂଘର୍ଷ କରୁଛନ୍ତି । ଟାଙ୍କର ଭିତରେ ଏତେ ପରିମାଣର ପାଇପ୍ ଲଗାଇ ପାଣି ନେବାକୁ ପ୍ରତିଯୋଗିତା ଲାଗୁଛି ଯାହାକୁ ଦେଖିଲେ କେତେ ହାହାକାର ପରିସ୍ଥିତି ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି।

ଅଧିକ ପଢ଼ନ୍ତୁ: ପ୍ରାଣଘାତୀ ସାଜିଛି ଅଂଶୁଘାତ, ୭୨ ଘଣ୍ଟାରେ ଗଲାଣି ୯୯ ଜୀବନ !

ତେବେ ଦିଲ୍ଲୀରେ ପାଣି ସଂକଟର ପ୍ରମୁଖ କାରଣ ହେଉଛି ଯମୁନା ନଦୀର ଜଳ ସ୍ତର କମିବା । ଏଥିପାଇଁ ଦିଲ୍ଲୀ ସରକାର ହରିୟାଣାକୁ ଦାୟୀ କରିଛନ୍ତି । ହରିୟାଣା ଯମୁନାରୁ ଆସୁଥିବା ଦିଲ୍ଲୀ ଭାଗର ପାଣିକୁ ଅଟକାଇ ଦେବାରୁ ଜଳସ୍ତର କମିଛି ବୋଲି ପୂର୍ବରୁ ଦିଲ୍ଲୀ ଜଳମନ୍ତ୍ରୀ ଆତିଶୀ କହିଥିଲେ ।

ଏଥର ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଏଭଳି ସ୍ଥିତିରେ ଦିଲ୍ଲୀରେ ଦେଖାଦେଇଛି ଜଳ ସମସ୍ୟା । କେବଳ ଦିଲ୍ଲୀ ନୁହେଁ ପାଣି ପାଇଁ ଡହଳବିକଳ ହେଉଛନ୍ତି ପଶ୍ଚିମବଙ୍ଗର ସିଲିଗୁରି ଅଞ୍ଚଳବାସୀ । ସ୍ଥିତି ଏଭଳି ହୋଇଛି ଲୋକଙ୍କୁ ପାଣି କିଣିବାକୁ ପଡୁଛି ।

ସିଲିଗୁରି ମହାନଗର ନିଗମ ପକ୍ଷରୁ ପାଣି ନ ମିଳିବାରୁ ଲୋକେ ବାଧ୍ୟ ହୋଇ ପାଣି କିଣୁଛନ୍ତି । ମହାନଗର ନିଗମ ଯେଉଁ ପାଣି ଦେଉଛି ତାହା ବିଶୁଦ୍ଧ ନଥିବାରୁ ଘରୋଇ ଜଳ ଯୋଗାଣକାରୀ ସଂସ୍ଥା ଉପରେ ନିର୍ଭର କରୁଛନ୍ତି ଲୋକେ । ସେପଟେ ଦେଶର ଉତ୍ତର, ଉତ୍ତର ପଶ୍ଚିମ ଏବଂ ଓଡ଼ିଶାକୁ ମିଶାଇ ସବୁଠି ଆକାଶରୁ ଖସୁଛି ନିଆଁ ଝୁଲ । ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ହିଟ୍ ୱେଭ୍ ।

ଉତ୍ତର ଭାରତରେ ସବୁ ରେକର୍ଡ ଭାଙ୍ଗୁଛି ହିଟୱେଭ୍ । ରାଜସ୍ଥାନ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶରେ ହିଟୱେଭ୍ କଲବଲ କରୁଛି । ପ୍ରାୟ ୫୦ ଡିଗ୍ରୀ ଉତ୍ତାପ ସହ ଏହିସବୁ ରାଜ୍ୟ କିଛି ଦିନ ହେଲା ଅସହ୍ୟ ତାତିରେ ଜଳୁଛି । ଏବେ ମଧ୍ୟପ୍ରଦେଶ ଓ ବିହାରର କିଛି ଅଂଶକୁ ବି କବଳିତ କଲାଣି ଭୟଙ୍କର ଗ୍ରୀଷ୍ମ ପ୍ରବାହ । ତେବେ ଉତ୍ତର ଭାରତର କିଛି ସ୍ଥାନରେ ବର୍ଷା ହେବା ପରେ, ଉତ୍ତର ପଶ୍ଚିମକୁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।