Advertisment

ପାଣ୍ଡୋରା ପେପର୍ସ ଲିକ୍‌: ତାଲିକାରେ ରହିଛି ବିଶ୍ୱର ବହୁ ଚର୍ଚ୍ଚିତ ବ୍ୟକ୍ତିଙ୍କ ସମେତ ୩୦୦ ଭାରତୀୟଙ୍କ ନାଁ

ପାନାମା ପେପର୍ସ ପରେ ଏବେ ପାଣ୍ଡୋରା ପେପର୍ସରେ ତଥ୍ୟ ଲିକ୍ ଘଟଣା ସାମ୍ନାକୁ ଆସିଛି। ଏଥିରେ ଗୁପ୍ତ ଆର୍ଥିକ କାରବାର ଓ ବ୍ୟବସାୟ ଭଳି କାର୍ଯ୍ୟରେ ଲିପ୍ତ ଥିବା ବିଶ୍ୱର ଅନେକ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାଁ ରହିଛି। ଯେଉଁଥିରେ  ୩୦୦ ଭାରତୀୟଙ୍କ ନାଁ ରହିଛି।

author-image
Rajalaxmi Sahoo
Pandora Paper Leak

Pandora Paper Leak

ନୂଆଦିଲ୍ଲୀ: ପାନାମା ପେପର୍ସ ପରେ ଏବେ ପାଣ୍ଡୋରା ପେପର୍ସରେ ତଥ୍ୟ ଲିକ୍ ଘଟଣା ସାମ୍ନାକୁ ଆସିଛି। ଏଥିରେ ଗୁପ୍ତ ଆର୍ଥିକ କାରବାର ଓ ବ୍ୟବସାୟ ଭଳି କାର୍ଯ୍ୟରେ ଲିପ୍ତ ଥିବା ବିଶ୍ୱର ଅନେକ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାଁ ରହିଛି। ଯେଉଁଥିରେ  ୩୦୦ ଭାରତୀୟଙ୍କ ନାଁ ରହିଛି। କିଛି ନାମୀଦାମୀ ବ୍ୟବସାୟୀଙ୍କ ନାଁ ଏହି ରିପୋର୍ଟରେ ଥିବା କୁହାଯାଇଛି। କେବଳ ଏତିକି ନୁହେଁ, ବିଶ୍ୱର ଅନେକ ବରିଷ୍ଠ ଓ ପ୍ରଭାବଶାଳୀ ନେତାଙ୍କ ନାଁ ମଧ୍ୟ ଏହି ତାଲିକାରେ ଅଛି। ଯେଉଁ ଭାରତୀୟଙ୍କ ନାଁ ଏଥିରେ ଅଛି, ସେମାନଙ୍କ ପାଇଁ ଅଡୁଆ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି।  ୨୦୧୬ରେ ପାନାମା ପେପର୍ସ ଜାରି କରିଥିବା ସଂସ୍ଥା ICIJ ପକ୍ଷରୁ ପାଣ୍ଡୋରା ପେପର୍ସ ଜାରି କରାଯାଇଛି।

Advertisment

ବିଭିନ୍ନ କ୍ଷେତ୍ରରେ ଜଡିତ ଭାରତୀୟ ସେଲିବ୍ରିଟିଙ୍କ ନାଁ ଏହି ରିପୋର୍ଟରେ ପ୍ରକାଶ ପାଇଛି। ICIJର ଏହି ରିପୋର୍ଟରେ ସଚିନ ତେନ୍ଦୁଲକର, ଅନିଲ ଅମ୍ବାନୀ, ନିରବ ମୋଦିଙ୍କ ଭଉଣୀ, କିରଣ ମଜୁମଦାର ଶାହଙ୍କ ସ୍ୱାମୀଙ୍କ ସମ୍ପତ୍ତି ଓ କାରବାର ସମ୍ପର୍କରେ ପର୍ଦ୍ଦାଫାସ ହୋଇଛି। 

ବିଶ୍ୱର ପ୍ରାୟ ୧.୯ କୋଟି ଦସ୍ତାବିଜ୍‌କୁ ଯାଞ୍ଚ କରିବା ପରେ ଏହା ଖୁଲାସା ହୋଇଛି। ICIJର ଏହି  ଅନୁସନ୍ଧାନରେ ୧୧୭ଟି ଦେଶର ୬୦୦ ସାମ୍ବାଦିକ ସାମିଲ ଥିଲେ। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନ କୋର୍ଟରେ ନିଜକୁ ଦେବାଳିଆ ବୋଲି ଦାବି କରୁଥିବା ଅନୀଲ ଅମ୍ବାନୀଙ୍କର ବିଦେଶରେ ୧୮ଟି କମ୍ପାନୀ ରହିଛି। ଏଥିସହ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହଜାରେ କୋଟି ଟଙ୍କା ଋଣ ଜାଲିଆତି କରିଥିବା ହୀରା ବ୍ୟବସାୟୀ ନିରବ ମୋଦି ଦେଶ ଛାଡ଼ିବାର ମାସକ ପରେ ତାଙ୍କ ଭଉଣୀ ଏକ ଟ୍ରଷ୍ଟ କରିଥିଲେ।  ICIJର ଏହି ରିପୋର୍ଟରେ ୩୦୦ରୁ ଅଧିକ ଭାରତୀୟଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରୁ ୬୦ ଜଣ ପ୍ରମୁଖ ବ୍ୟକ୍ତି ଓ ସେମାନଙ୍କ କମ୍ପାନୀ ଗୁଡ଼ିକ ସମ୍ପର୍କରେ ଅନୁସନ୍ଧାନ କରାଯାଇ ପ୍ରମାଣ ଯୋଗାଡ଼ କରାଯାଇଛି। ଆଗାମୀ ଦିନରେ ICIJ ଏସମ୍ପର୍କରେ ଖୁଲାସା କରିବ ବୋଲି ସୂଚନା ମିଳିଛି। 

Advertisment

ରିପୋର୍ଟରେ, କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସମ୍ପର୍କରେ କୁହାଯାଇଛି ଯେ, ପାନାମା ପେପର୍ସ ଖୁଲାସାର ୩ ମାସ ପରେ ସଚିନ ତେନ୍ଦୁଲକର ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜରେ ତାଙ୍କ ସମ୍ପତ୍ତି ବିକ୍ରି କରିବା ଆରମ୍ଭ କରି ଦେଇଥିଲେ। ତେନ୍ଦୁଲକରଙ୍କ ବ୍ୟତୀତ ଅନେକ ଭାରତୀୟ ସେଲିବ୍ରିଟି ଓ ଏନ୍‌ଆର୍‌ଆଇ ଯେଉଁମାନେ ୨୦୧୬ରେ ଡାଟା ଲିକ୍‌ ପରେ ବିଦେଶରେ ଥିବା ନିଜ ସମ୍ପତ୍ତିରେ ପରିବର୍ତ୍ତନ କରିବା ଆରମ୍ଭ କରି ଦେଇଥିଲେ। 

ଆଇସିଆଇଜି ଦ୍ୱାରା ପ୍ରସ୍ତୁତ ଦସ୍ତାବିଜ୍‌ରେ ୧୦୦ ଧନୀ ବ୍ୟକ୍ତିଙ୍କ ବ୍ୟତୀତ ରୁଷ, ଭାରତ, ପାକିସ୍ତାନ, ବ୍ରିଟେନ ଓ ମେକ୍ସିକୋର ସେଲିବ୍ରିଟିଙ୍କ ନାଁରେ ବିଦେଶରେ କମ୍ପାନୀ ଥିବା କୁହାଯାଇଛି। ପାଣ୍ଡୋରା ପେପର୍ସରେ ଜୋର୍ଡାନର ରାଜା, ୟୁକ୍ରେନ, କେନିଆର ରାଷ୍ଟ୍ରପତି, ଚେକ୍‌ ରିପ୍ଲବିକ୍‌ର ପ୍ରଧାନମନ୍ତ୍ରୀ ଓ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟରଙ୍କ ଗୁପ୍ତ ସମ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। ଆସନ୍ତା କିଛି ଦିନ ମଧ୍ୟରେ ପାଣ୍ଡୋରା ପେପର୍ସ ଲିକ୍ ବିଷୟରେ ବିସ୍ତୃତ ସୂଚନା ଆସିବ ବୋଲି ଆଶା କରାଯାଉଛି।

 ପାଣ୍ଡୋରା ପେପର୍ସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟତର କିଛି ବ୍ୟକ୍ତି ଓ କିଛି ମନ୍ତ୍ରୀଙ୍କ ସମେତ ୭୦୦ରୁ ଅଧିକ ଲୋକଙ୍କ ନାଁ ଏବେ ସାମ୍ନାକୁ ଆସିଛି। 

Pandora Paper Leak Panama Papers Leak
Advertisment
Advertisment