କାଶ୍ମୀର ପଲଗାମ ପର୍ଯ୍ୟଟକ ନରସଂହାର ପଛରେ ଆତଙ୍କୀ ସୈଫୁଲ୍ଲା କସୁରୀ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ତେବେ ଏହି ସୈଫୁଲ୍ଲା କସୁରୀ କିଏ ? ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ସିନିୟର କମାଣ୍ଡର ହେଉଛି ସୈଫୁଲ୍ଲା କସୁରୀ ଓରଫ ଖାଲିଦ୍। ସେ ଲସ୍କର-ଇ-ତୋଇବା ସଂଗଠନର ପ୍ରତିଷ୍ଠାତ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି ।
ସୈଫୁଲ୍ଲା କସୁରୀ ପାକିସ୍ତାନ ପେସାୱାର ହେଡକ୍ବାର୍ଟରର ମୁଖ୍ୟ ଭାବେ କାମ କରେ । ସେ ହାଫିଜର ରାଜନୈତିକ ଦଳ ମିଲି ମୁସଲିମ ଲିଗ୍ର ସଭାପତି ଅଛି । ଏହାସହ ସୈଫୁଲ୍ଲା କସୁରୀ ପାକିସ୍ତାନ ସେଣ୍ଟ୍ରାଲ ପଞ୍ଜାବ ପ୍ରୋଭିଏନ୍ସର କୋଡିନେଟର ଭାବେ ଦାୟିତ୍ବରେ ଅଛି । ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ନାଁ ସଂଗଠନ ଗଢ଼ି କାଶ୍ମୀରରେ ଯୁବକ ମାନଙ୍କୁ ଆତଙ୍କବାଦୀ ଗତିବିଧିରେ ସାମି କରିବାରେ ସେ ହେଉଛି ମୁଖ୍ୟ କାର୍ପଟଦାର । କେବଳ ସେତିକି ନୁହେଁ ଆତଙ୍କବାଦୀ ଆକ୍ରମଣ ପାଇଁ ଏହି ସଂଗଠନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଏ ।
Also Read
ଅଧିକ ପଢ଼ନ୍ତୁ: ଆତଙ୍କୀ ହମ୍ଲା: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
ତେବେ ପଲଗାମ ଆକ୍ରମଣରେ ସାମିଲ ଥିବା ଆତଙ୍କୀଙ୍କ ମଧ୍ୟକରୁ ଚିହ୍ନଟ ହୋଇଥିବା ଆସିଫ ଫୌଜି, ସୁଲେମାନ ଶାହ ଓ ଅବୁ ତଲହା ତିନି ଜଣ ସୈଫୁଲ୍ଲା କସୁରୀର ଅତି ଘନିଷ୍ଠ ବୋଲି ସୂଚନା ମିଳିଛି । ପଲଗାମ ଆକ୍ରମଣ ପାଇଁ ସ୍ବତନ୍ତ୍ର ରଣନୀତି କରିଥିଲା ସୈଫୁଲ୍ଲା କସୁରୀ। କେମିତି ଅଳ୍ପ ସମୟରେ ଅଧିକ ଲୋକଙ୍କୁ ହତ୍ୟା କରାଯିବ ସେନେଇ କସୁରୀ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲା । ଆମେରିକା ଉପରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଉଦି ଗସ୍ତ ବେଳେ ଏହି ଆକ୍ରମଣ ପାଇଁ ପ୍ଲାନ କରାଯାଇଥିଲା ।
ସୂଚନାଯୋଗ୍ୟ, ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ। ଜଣେ ନେପାଳର ଓ ଆଉ ଜଣେ ସାଉଦି ଆରବ ନାଗରିକ। ଅନ୍ୟମାନଙ୍କ ଭିତରେ ଓଡ଼ିଶାରୁ ଜଣେ ଏବଂ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକରୁ ପର୍ଯ୍ୟଟକ ଅଛନ୍ତି। ଜଣେ ନୌସେନା ଓ ଜଣେ ଗୁଇନ୍ଦା ବ୍ୟୁରୋ ଅଧିକାରୀ ବି ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।