ବ୍ରେନ୍ ଡ୍ରେନ୍ । ଅର୍ଥାତ୍ କୌଣସି ଦେଶରୁ ପାଠୁଆ ବା ଉଚ୍ଚଶିକ୍ଷିତ ମାନେ ଅନ୍ୟ ଦେଶକୁ ପଳାଇବା । ସେ ଉଚ୍ଚ ଦରମାଯୁକ୍ତ ଚାକିରି ଆଶାରେ ହେଉ, ଅବା ଆଧୁନିକ ସୁଖ ସ୍ୱାଚ୍ଛନ୍ଦ ଲୋଭରେ। ଦେଶର ଉତ୍କୃଷ୍ଟ ମସ୍ତିଷ୍କ ମାନେ ଅନ୍ୟ ଦେଶକୁ ଯାଇ ସେଠାକାର ଉନ୍ନତି ପାଇଁ ତାକୁ କାମରେ ଲଗାଇବାକୁ ବ୍ରେନ୍ ଡ୍ରେନ୍ କୁହାଯାଇପାରେ । ଏହି ଟ୍ରେଣ୍ଡ୍ ଭାରତରେ ବି ବର୍ଷ ପରେ ବର୍ଷ ବଢ଼ିଚାଲିଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଲକ୍ଷାଧିକ ଭାରତୀୟ ବିଦେଶକୁ ପଳାଉଛନ୍ତି ।
ବିଦେଶରେ ଉଚ୍ଚ ବେତନର ଚାକିରି, ଅଧିକ ସୁବିଧା ସୁଯୋଗ ଏବଂ ବିଳାସମୟ ଜୀବନ ଆଶାରେ ଚଳିତବର୍ଷ ଜୁନ୍ ମାସ ସୁଦ୍ଧା ପ୍ରାୟ ୮୭ ହଜାର ଭାରତୀୟ ବିଦେଶୀ ନାଗରିକତ୍ୱ ହାସଲ କରିଛନ୍ତି । ୨୦୧୧ ମସିହାରୁ ହିସାବ କଲେ, ଏହି ସଂଖ୍ୟା ୧୭ ଲକ୍ଷ ୫୦ ହଜାରରୁ ଅଧିକ ହେବ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଲୋକସଭାରେ ଦେଇଥିବା ସୂଚନା ଅନୁସାରେ ୨୦୧୧ରେ ୧ ଲକ୍ଷ ୨୨ ହଜାର, ୨୦୧୨ରେ ୧ ଲକ୍ଷ ୨୦ ହଜାର, ୨୦୧୩ରେ ୧ ଲକ୍ଷ ୩୧ ହଜାର, ୨୦୧୪ରେ ୧ ଲକ୍ଷ ୨୯ ହଜାର, ୨୦୧୫ରେ ୧ ଲକ୍ଷ ୩୧ ହଜାର, ୨୦୧୬ରେ ୧ ଲକ୍ଷ ୪୧ ହଜାର, ୨୦୧୭ରେ ୧ ଲକ୍ଷ ୩୩ ହଜାର, ୨୦୧୮ରେ ୧ ଲକ୍ଷ ୩୪ ହଜାର, ୨୦୧୯ରେ ୧ ଲକ୍ଷ ୪୪ହଜାର, ୨୦୨୦ରେ ୮୫ହଜାର ଭାରତୀୟ ଦେଶ ଛାଡିଛନ୍ତି । କିନ୍ତୁ ୨୦୨୧ରେ ଏହି ସଂଖ୍ୟା ଉଦବେଗଜନକ ଭାବେ ୧ ଲକ୍ଷ ୬୩ ହଜାରକୁ ବୃଦ୍ଧି ପାଇଥିଲା । ୨୦୨୨ରେ ୨ ଲକ୍ଷ ୨୫ ହଜାର ବିଦେଶୀ ନାଗରିକତ୍ୱ ହାସଲ କରିଥିବା ସୂଚନା ମିଳିଛି।...
Also Read
ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ବିଦେଶୀ ରାଷ୍ଟ୍ର ଭିତରେ ଭାରତୀୟ ମାନଙ୍କ ସବୁଠୁ ଅଧିକ ପସନ୍ଦ ହେଉଛି ଆମେରିକା। ପ୍ରାୟ ୭ଲକ୍ଷ ୮୮ହଜାର ୨୮୪ଜଣ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି । ତା ପଛକୁ ରହିଛି ଅଷ୍ଟ୍ରେଲିଆ, ୨୩ ହଜାର ୫୩୩ ଜଣ ସେଠାକାର ନାଗରିକତ୍ୱ ହାସଲ କରିଛନ୍ତି । ୨୧ ହଜାର ୫୯୭ଜଣ କାନାଡ଼ା ଓ ୧୪ ହଜାର ୬୩୭ଜଣ ୟୁକେର ନାଗରିକ ବନିଛନ୍ତି । କର୍ମସଂସ୍ଥାନ ଉଦ୍ଦେଶ୍ୟରେ ଭାରତର ପ୍ରାୟ ୩କୋଟି ୨୦ ଲକ୍ଷ ନାଗରିକ ବିଭିନ୍ନ ଦେଶରେ ରହୁଛନ୍ତି ।
ସେମାନଙ୍କ ମଧ୍ୟରୁ ୧ କୋଟି ୮୬ ଲକ୍ଷ ଭାରତୀୟ ବଂଶୋଦ୍ଭବ ହୋଇଥିବା ବେଳେ ୧ କୋଟି ୩୪ ଲକ୍ଷ ପ୍ରବାସୀ ଭାରତୀୟ । ଜାତିସଂଘର ସୂଚନା ଅନୁସାରେ ଏବେ ପ୍ରାୟ ୪୦ ଲକ୍ଷ ଭାରତୀୟ ଆମେରିକାରେ ରହୁଛନ୍ତି । ୟୁଏଇରେ ୩୫ ଲକ୍ଷ ଓ ସାଉଦି ଆରବରେ ପ୍ରାୟ ୨୫ ଲକ୍ଷ ଭାରତୀୟ ରହୁଥିବା ସୂଚନା ମିଳିଛି ।...
କାହଁକି ଭାରତୀୟ ମାନେ ସେମାନେ ନାଗରିକତ୍ୱ ଛାଡି ବିଦେଶୀ ରାଷ୍ଟ୍ରର ନାଗରିକତ୍ୱ ହାସଲ କରୁଛନ୍ତି ?
ଅନେକ ଉନ୍ନତ ଦେଶରେ ଏବେ ଉତ୍କଟ ଶ୍ରମିକ ଅଭାବ ଦେଖାଦେଇଛି। ଏଥିଯୋଗୁ ସେମାନେ ବହୁ ପରିମାଣରେ କୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକ ଖୋଜୁଛନ୍ତି । ବିଦେଶରେ ଭାରତୀୟ ମାନଙ୍କ ଭଲ ଚାହିଦା ଥିବାରୁ ସେମାନେ ଉଚ୍ଚ ବେତନ ଓ ସୁବିଧାସୁଯୋଗ ଆଶାରେ ସେଠାକୁ ଚାଲି ଯାଉଛନ୍ତି । ଆମେରିକା, କାନାଡା ଓ ୟୁକେ ଭଳି ବିକଶିତ ପାଶ୍ଚାତ୍ୟ ଦେଶରେ ଉନ୍ନତ ମାନର ଜୀବନ ଧାରଣର ସୁଯୋଗ ସହ ଭଲ ଚିକିତ୍ସା ଓ ଶିକ୍ଷା ବ୍ୟବସ୍ଥା ରହିଛି ।
ଏହି ଦେଶ ଗୁଡିକରେ ବିଦେଶୀ ନାଗରିକଙ୍କୁ ଅଧିକ ସୁଯୋଗଦେବା ସହ ଭିସାର ପ୍ରକ୍ରିୟା ସରଳୀକରଣ କରାଯାଇଛି । ଏଥିଯୋଗୁଁ ଭାରତର ଅନେକ ଉଚ୍ଚଶିକ୍ଷିତ ଏହି ଦେଶ ଗୁଡିକରେ ରହିବାକୁ ଆଗ୍ରହ ଦେଖାଉଛନ୍ତି । ପ୍ରଯୁକ୍ତି ବିଦ୍ୟା ସହ ଡାକ୍ତର, ଆଇନଜୀବୀ, ଇଂଜିନିୟର ଓ ଆକାଉଣ୍ଟାଣ୍ଟ ମାନଙ୍କର ଏହି ଦେଶଗୁଡିକ ପ୍ରଥମ ପସନ୍ଦ ରହିଛି । ଏଥିସହ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ୟୁରୋପୀୟ ଦେଶ ମାନଙ୍କରେ ଭାରତୀୟ ମାନଙ୍କର ଅନେକ ଚାହିଦା ରହିଛି । ଅନ୍ୟ ପକ୍ଷରେ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଭାରତୀୟମାନେ ଆରବ ରାଷ୍ଟ୍ରସମୂହ ଓ ପଶ୍ଚିମ ଏସୀୟ ଦେଶଗୁଡିକୁ ଯାଉଛନ୍ତି ।
ସେଠାରେ କାମ କରୁଥିବା ୭୦ ପ୍ରତିଶତ ଭାରତୀୟ ଅଣକୁଣଳୀ । ମାତ୍ର ୨୦ରୁ ୩୦ ପ୍ରତିଶତ ଭାରତୀୟ ଭଲ ଦରମା ସହ ବିଭିନ୍ନ ଅଫିସରେ କାର୍ଯ୍ୟ କରିଥାନ୍ତି । ୨୦୨୨ରେ ୧ ଲକ୍ଷ ୭୮ ହଜାର ସାଉଦି ଆରବକୁ ଯାଇଥିବା ବେଳେ କୁଏତକୁ ୭୧ ହଜାର ଭାରତୀୟ ଯାଇଛନ୍ତି । ୟୁଏଇକୁ ୩୩ ହଜାର ଭାରତୀୟ ଯାଇଥିବା ସୂଚନା ମିଳିଛି।...
କେବଳ ଚାକିରି ନୁହେଁ, ଏବେ ଅନେକ ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ବିଦେଶରେ ପାଠ ପଢିବାକୁ ଆଗ୍ରହ ଦେଖାଉଛନ୍ତି । ୨୦୨୨ରେ ୨୪୦ଟି ଦେଶରେ ୭ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି । ବିଦେଶରେ କାନାଡା ହେଉଛି ଛାତ୍ରଛାତ୍ରୀମାନଙ୍କ ପ୍ରଥମ ପସନ୍ଦ । ସେଠାରେ ପ୍ରାୟ ୨ ଲକ୍ଷ ୨୬ ହଜାର ଭାରତୀୟ ଛାତ୍ରଛାତ୍ରୀ ପଢୁଛନ୍ତି । ୟୁକେରେ ୧ ଲକ୍ଷ ୨୦ ହଜାର ଓ ଅଷ୍ଟ୍ରେଲିଆରେ ୯୬ ହଜାର ଭାରତୀୟ ଷ୍ଟୁଡେଣ୍ଟ ନାମ ଲେଖାଇଛନ୍ତି ।
୧୭ ଲକ୍ଷ ଭାରତୀୟ ଅନ୍ୟ ଦେଶର ନାଗରିକତ୍ୱ ହାସଲ କରିଥିବା ବେଳେ ୭୦ ହଜାର ଭାରତୀୟ ସେମାନଙ୍କର ପାସପୋର୍ଟ ତ୍ୟାଗ କରିଛନ୍ତି। କିଛି ଛାତ୍ରଛାତ୍ରୀ ବିଦେଶରେ ପାଠ ପଢି ସାରିବା ପରେ ସେଠାରେ କାମ କରିବାପାଇଁ ଭିସା ଆବେଦନ କରୁଛନ୍ତି । କିଛି ବର୍ଷ ସେଠାରେ କାମ କରିବା ପରେ ସ୍ଥାୟୀ ବାସିନ୍ଦା ପାଇଁ ଆବେଦନ କରୁଥିବା ନଜରକୁ ଆସୁଛି ।