ଏବେ ବନ୍ଦ ରହିବ ପାସପୋର୍ଟ ସେବା ପୋର୍ଟାଲ, ଜାଣନ୍ତୁ ପୁଣି କେବେ ହେବ କାର୍ଯ୍ୟକ୍ଷମ

ପାସପୋର୍ଟ ସେବା ପୋର୍ଟାଲ ୨୯ ଅଗଷ୍ଟ ୨୦୨୪ ଗୁରୁବାର ରାତି ୮ଟାରୁ ୨ ସେପ୍ଟେମ୍ବର ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବୈଷୟିକ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରହିବ।

Passport Seva Portal

ବନ୍ଦ ରହିବ ଅନଲାଇନ୍ ପାସ୍‌ପୋର୍ଟ ପୋର୍ଟାଲ । ଆଗାମୀ ପାଞ୍ଚ ଦିନ ପାଇଁ ଅନଲାଇନ୍‌ ପାସପୋର୍ଟ ପୋର୍ଟାଲରେ କୌଣସି କାମ କରିହେବ ନାହିଁ । ପାସପୋର୍ଟ ସେବା ପୋର୍ଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବୈଷୟିକ ରକ୍ଷଣାବେକ୍ଷଣ କାରଣରୁ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଏହି ପୋର୍ଟାଲ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଦିଆଯାଇଥିବା ସମସ୍ତ ନିଯୁକ୍ତିକୁ ରିସିଡ୍ୟୁଲ୍‌ କରାଯିବ । ଏହି ସମୟ ମଧ୍ୟରେ କୌଣସି ନୂତନ ଆବେଦନକୁ ଗ୍ରହଣ କରାଯିବ ନାହିଁ ।

ପାସପୋର୍ଟ ସେବା ପୋର୍ଟାଲ ଜାରି କରିଥିବା ଏକ ନୋଟ୍‌ରେ ସୂଚନା ଦେଇଛି ଯେ 'ପାସପୋର୍ଟ ସେବା ପୋର୍ଟାଲ ୨୯ ଅଗଷ୍ଟ ୨୦୨୪ ଗୁରୁବାର ରାତି ୮ଟାରୁ ୨ ସେପ୍ଟେମ୍ବର ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବୈଷୟିକ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରହିବ । ଏହି ଅବଧି ମଧ୍ୟରେ ସାଧାରଣ ନାଗରିକଙ୍କ ସହ ସମ୍ପୃକ୍ତ ଅଧିକାରୀଙ୍କ ପାଇଁ ମଧ୍ୟ ଏହି ପୋର୍ଟାଲ ଉପଲବ୍ଧ ହେବ ନାହିଁ । ଅଗଷ୍ଟ ୩୦, ୨୦୨୪ ପାଇଁ ପୂର୍ବରୁ ବୁକ୍ ହୋଇଥିବା ନିଯୁକ୍ତିକୁ ରିସିଡ୍ୟୁଲ କରାଯିବ । ଆବେଦନକାରୀଙ୍କୁ ଏହି ବିଷୟରେ ଆଗୁଆ ସୂଚନା ଦିଆଯିବ ।

ଏକ ନୂଆ ପାସପୋର୍ଟ ପାଇବା କିମ୍ବା ପୁରୁଣା ପାସପୋର୍ଟର ନବୀକରଣ ପାଇଁ ଆବେଦନ ପାସପୋର୍ଟ ସେବା ପୋର୍ଟାଲ ମାଧ୍ୟମରେ କରାଯାଇଥାଏ । ଏହି ପୋର୍ଟାଲ ମାଧ୍ୟମରେ ଦେଶର ବିଭିନ୍ନ ପାସପୋର୍ଟ କେନ୍ଦ୍ରରେ ନିଯୁକ୍ତି ବୁକ୍ କରାଯାଇଥାଏ । ଆବେଦନ ପରେ, ଆବେଦନକାରୀଙ୍କୁ ଏକ ନିଯୁକ୍ତି ତାରିଖ ଦିଆଯାଏ, ଯେଉଁଥିରେ ତାଙ୍କୁ ସଂପୃକ୍ତ ପାସପୋର୍ଟ କେନ୍ଦ୍ରରେ ପହଞ୍ଚିବାକୁ ପଡିଥାଏ । ଆବେଦନକାରୀମାନେ ସେମାନଙ୍କର ଡକ୍ୟୁମେଣ୍ଟଗୁଡିକ କେନ୍ଦ୍ରରେ ଯାଞ୍ଚ କରନ୍ତି । ଏହା ପରେ ଆବେଦନକାରୀଙ୍କ ବିବରଣୀ ପୋଲିସ ଦ୍ୱାରା ଯାଞ୍ଚ କରାଯାଇଥାଏ । ଯାଞ୍ଚ ପ୍ରକ୍ରିୟା ସମାପ୍ତ ହେବା ପରେ ପାସପୋର୍ଟ ଆବେଦନକାରୀଙ୍କ ଠିକଣାକୁ ପଠାଯାଏ ।