• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜସ୍ଥାନ ଜୟପୁରରେ ଚାଞ୍ଚଲ୍ୟ । ରାଷ୍ଟ୍ରୀୟ ରାଜପୁତ କରନୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗମେଦିଙ୍କୁ ନିର୍ମମ ଭାବେ ଗୁଳିକରି ହତ୍ୟା କରାଯାଇଛି । ରାଜସ୍ଥାନ ଜୟପୁରସ୍ଥିତ ଘରେ ଦୁର୍ବୃତ୍ତ ପଶି ଅତି ନିକଟରୁ ଗୁଳି କରି ତାଙ୍କୁ ହତ୍ୟା କରିଛନ୍ତି । ତିନି ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ଏଭଳି ବିଭତ୍ସକାଣ୍ଡ କରିଥିବା ସୂଚନା ମିଳିଛି । ଏମିତିକି ଗୁଳିମାଡ଼ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ଏହି ଘଟଣାରେ ତାଙ୍କ ସୁରକ୍ଷାକର୍ମୀ ନରେନ୍ଦ୍ରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି । ସୁଖଦେବଙ୍କ ଉପରେ ଆକ୍ରମଣ ବେଳେ ନରେନ୍ଦ୍ର ଅଟକାଇବା ବେଳେ ତାଙ୍କ ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ସୁଖଦେବଙ୍କ ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି । ପୋଲିସର କହିବାନୁଯାୟୀ ଗୁଳିମାଡ଼ର ୧୦ ମିନିଟ୍‌ ପୂର୍ବରୁ ସୁଖଦେବ ଆକ୍ରମଣକାରୀଙ୍କ ସହ ବସିଥିଲେ ।

ଏହି କାଣ୍ଡ ଭିଆଇ ଆତତାୟୀ ଚାଲିଯିବା ପରେ ସୁଖଦେବଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏପଟେ ଘଟଣା ପରେ ରାଜପୁତ ସଂପ୍ରଦାୟର ଲୋକେ ଜୟପୁର ହସ୍ପିଟାଲ ଆଗରେ ଧାରଣା ଦେଇଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଦାବି ରଖିଛନ୍ତି ।

ଘଟଣାଟି ଆଜି ଦିନ ୧୨.୩୦ ବେଳକୁ ଘଟିଛି । କ୍ୟାମେରାରେ କଏଦ ହୋଇଥିବା ୨୦ ସେକେଣ୍ତର ଭିଡିଓରେ ଦେଖିବାକୁ ମିଳିଛି ଯେ, ସୁଖଦେବ ସିଂହ ଗୋଗମେଦି ଓ ଆଉ ଚାରି ଜଣ ବ୍ୟକ୍ତି ଗୋଟିଏ ରୁମ୍‌ରେ ବସିଛନ୍ତି । ସୁଖଦେବ ସୋଫାରେ ବସି ମୋବାଇଲ ଫୋନ୍ ଦେଖୁଥିବା ବେଳେ ଆଉ ତିନି ଜଣ ସୋଫାରେ ବସିଥିଲେ । ଜଣେ ବ୍ୟକ୍ତି ଉକ୍ତ କଠୋରୀର ଦ୍ୱାର ପାଖରେ ଛିଡ଼ା ହୋଇଥିଲେ ।

ହଠାତ୍‌ ସୁଖଦେବଙ୍କ ସାମ୍ନାରେ ବସିଥିବା ଦୁଇ ଯୁବକ ଉଠିପଡ଼ି ତାଙ୍କ ଉପରକୁ ଗୁଳି କରିଥିଲେ । ତା’ସହିତ ସେଠାରେ ଉପସ୍ଥିତ ସୁଖଦେବଙ୍କ ଦୁଇ ସହଯୋଗୀଙ୍କ ଉପରକୁ ଗୁଳି କରିଥିଲେ । ଦୁର୍ବୃତ୍ତ ଏକାଧିକ ରାଉଣ୍ତ ଗୁଳି ଚଳାଇଥିଲେ । ଗୁଳିମାଡ଼ ପରେ ଗୋଗମେଦି ତଳେ ପଡ଼ି ଯାଇଥିଲେ । ସେ ତଳେ ପଡ଼ିଯିବା ପରେ ମଧ୍ୟ ତାଙ୍କ ଉପରକୁ ଗୁଳି କରାଯାଇଥିଲା । କାହିଁକି ଗୋଗାମେଦିଙ୍କୁ ଗୁଳି କରି ହତ୍ୟା କରାଗଲା, ତାହା ଜଣାପଡ଼ିନାହିଁ । ତେବେ ହତ୍ୟାକାଣ୍ଡ ପଛରେ କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସଂପୃକ୍ତି ଆଶଙ୍କା କରାଯାଉଛି ।