ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅବଦୁଲ୍ଲା; ସରକାରରେ ସାମିଲ ହେବନାହିଁ କଂଗ୍ରେସ

ଶ୍ରୀନଗରର ଶେର୍‌ଇ କାଶ୍ମୀର ଇଣ୍ଟରନାସନାଲ୍ କନଭେନସନ୍ ସେଣ୍ଟରରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଉପରାଜ୍ୟପାଳ ମନୋଜ ସିହ୍ନା ଓମର ଅବଦୁଲ୍ଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

Omar Abdullah

ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲା।  ଶ୍ରୀନଗରର ଶେର୍‌ଇ କାଶ୍ମୀର ଇଣ୍ଟରନାସନାଲ୍ କନଭେନସନ୍ ସେଣ୍ଟରରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଉପରାଜ୍ୟପାଳ ମନୋଜ ସିହ୍ନା ଓମର ଅବଦୁଲ୍ଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଧାରା ୩୭୦ ଉଚ୍ଛେଦ ପରେ ଓମର କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । 

ଅବଦୁଲ୍ଲାଙ୍କ ସହ ନ୍ୟାସନାଲ କନଫରେନ୍ସର ୪ ଜଣ ଓ ଜଣେ ସ୍ବାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜମ୍ମୁ ଅଞ୍ଚଳର ସୁରିନ୍ଦର ଚୌଧୁରୀ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଇଣ୍ଡି ମେଣ୍ଟର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ ନେତା ତଥା ସାଂସଦ ରାହୁଲ ଗାନ୍ଧି, ତାଙ୍କ ଭଉଣୀ ପ୍ରିୟଙ୍କା ଭଦ୍ରା,  ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ସିପିଆଇ ନେତା ଡି. ରାଜା ପ୍ରମୁଖ ଯୋଗ ଦେଇଛନ୍ତି । 

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ୯୦ ଆସନ ବିଶିଷ୍ଟ ବିଧାନସଭାରେ ନ୍ୟାସନାଲ କନଫରେନ୍ସ ସର୍ବାଧିକ ୪୨ଟି ଆସନରେ ବିଜୟୀ ହୋଇଥିବା ବେଳେ ଏହାର ମେଣ୍ଟ ସହଯୋଗୀ କଂଗ୍ରେସ ୬ଟି ଆସନରେ ଜିତିଥିଲା । ସେହିପରି ବିଜେପିକୁ ୨୯, ପିଡିପିକୁ ୩ ଏବଂ ଅନ୍ୟମାନଙ୍କୁ ୮ଟି ଆସନ ମିଳିଥିଲା ।

ସେପଟେ ଓମର ଅବଦୁଲ୍ଲା ସରକାରରେ ମେଣ୍ଟ ସହଯୋଗୀ କଂଗ୍ରେସ ସାମିଲ ହୋଇନାହିଁ । ଦଳ ସରକାରକୁ ବାହାରୁ ସମର୍ଥନ ଦେବ ବୋଲି ସୂଚନା ମିଳିଛି ।