୭ ଦଶନ୍ଧିର ଶୂନ୍ୟତାରେ ପଡ଼ିଲା ଯବନିକା । ଭାରତର ଜୈବ ବିବିଧତା ଇତିହାସରେ ଯୋଡ଼ିହେଲା ନୂଆ ଫର୍ଦ୍ଦ । ଭାରତ ମାଟିରେ ପାଦ ଥାପିଲା ବିଶ୍ୱର ଦ୍ରୁତତମ ଧାବକ-ଚିତା । ଅବିସ୍ମରଣୀୟ ମୁହୂର୍ତ୍ତ । ଦିନ ପ୍ରାୟ ସାଢ଼େ ୧୧ଟା । ଗୋଟିକ ପରେ ଗୋଟିଏ ମଞ୍ଚାକୁ ଚଢ଼ି, ତା ତଳେ ରଖାଯାଇଥିବା ପିଞ୍ଜରା ଗୁଡ଼ିକୁ ଖୋଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ପିଞ୍ଜରାରୁ ବାହାରି ଭାରତ ମାଟିରେ ପାଦ ଥାପିଲେ, ୮ହଜାର କିଲୋମିଟର ଦୂର ନାମିବ୍ୟାରୁ ଆସିଥିବା ୮ଟି ଆଫ୍ରିକୀୟ ଚିତା ।
Also Read
ଦେଖିଲେ ଲାଗୁଥିଲା, ଚିତା ଗୁଡ଼ିକୁ ଏଠି ସବୁକିଛି ନୂଆ ନୂଆ ଲାଗୁଥିଲା । କାଲିଠୁ ଭୋକିଲା ଥିବାରୁ କିଏ ଶିକାର ଖୋଜିବା ଭଳି ଏଣେ ତେଣେ ଦେଖୁଥିଲା, ତ ଆଉ କିଏ ଥକା ମେଣ୍ଟାଇବାକୁ ଗଛ ଛାଇକୁ ଚାଲିଲା । ଏସବୁ ଦୃଶ୍ୟକୁ ଅତି ଉତ୍ସୁକତାର ସହ କ୍ୟାମେରାରେ କଏଦ କରିଚାଲିଥିଲେ ପିଏମ୍ ମୋଦି । ସାଥିରେ ଥିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।
ଏଣିକି ଏହି ୮ଟି ଯାକ ଚିତାର ନୂଆ ଠିକଣା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ । ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଚିତା ଗୁଡ଼ିକୁ ଛାଡ଼ିଥିବା ବେଳେ, ସେମାନଙ୍କୁ ଦେଖିବା ପାଇଁ ଦେଶବାସୀଙ୍କୁ ଆଉ କିଛି ମାସ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି । ଏଥିସହ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଇକୋଲୋଜି ଓ ଇକୋନୋମି ପରସ୍ପରର ପରିପନ୍ଥୀ ନୁହଁନ୍ତି । ପରିବେଶ ସୁରକ୍ଷା ସହ ପ୍ରଗତି ବି ସମ୍ଭବ ବୋଲି ଏକବିଂଶ ଶତାବ୍ଦୀର ଭାରତ ଦୁନିଆକୁ ପ୍ରମାଣ କରି ଦେଖାଇଛି ।
୫ଟି ମାଈ ଓ ୩ଟି ଅଣ୍ଡିରା ଚିତାକୁ ନାମିବ୍ୟାରୁ କ୍ରେଟ୍ରେ ଭର୍ତ୍ତି କରି ସ୍ୱତନ୍ତ୍ର ବୋଇଂ-747 ବିମାନ ଯୋଗେ ଗ୍ୱାଲିୟରକୁ ଅଣାଯାଇଥିଲା । ସେଠାରୁ ବାୟୁସେନା ଚପର୍ରେ ଆସିଥିଲା କୁନୋ ନ୍ୟାସନାଲ ପାର୍କ । ଏଣିକି ସେମାନଙ୍କୁ ଏହି ୧୫ ଶହ ବର୍ଗମିଟରର ୬ଟି ଖୁଆଡ଼ରେ ମାସକ ପାଇଁ କ୍ୱାରେଣ୍ଟିନରେ ରଖାଯିବ । ପ୍ରତ୍ୟେକ ଚିତାକୁ ୨-୩ ଦିନରେ ଥରେ ୨ରୁ ୩ କିଲୋ ମାଂସ ଖାଇବାକୁ ଦିଆଯିବ । ଏହା ପରେ ଆଉ ମାସକ ପାଇଁ ଛଡ଼ାଯିବ, ସାଢ଼େ ୫ ବର୍ଗ କିଲୋମିଟରର ଏକ ବିଶାଳ ଆବଦ୍ଧ ଅଞ୍ଚଳରେ । ଚିତା ଗୁଡ଼ିକ ତା ଭିତରେ ଶିକାର କରିବାର ସୁଯୋଗ ପାଇବେ । ଖୋଲା ଜଙ୍ଗଲରେ ଶିକାର କରି ବଞ୍ଚିପାରିବେ ବୋଲି ବିଶେଷଜ୍ଞମାନେ ଅନୁଭବ କରିବା ପରେ ହିଁ ସେମାନଙ୍କୁ ସମ୍ପୂର୍ଣ୍ଣ ମୁକ୍ତ କରିଦିଆଯିବ ।
ସେମାନେ ୭୪୦ ବର୍ଗ କିଲୋମିଟର କୁନୋ ଜାତୀୟ ଉଦ୍ୟାନ ଓ ଆଖପାଖ ୫ ହଜାର ବର୍ଗକିଲୋମିଟର ଅଞ୍ଚଳରେ ଅବାଧ ବିଚରଣ କରିପାରିବେ । ଏଥିପାଇଁ ପ୍ରାୟ ୨୫ଟି ଗାଁର ୫ ହଜାର ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯିବା ସହିତ ରୋଗ ସଂକ୍ରମଣ ଆଶଙ୍କା ଏଡ଼ାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା କୁକୁରଗୁଡ଼ିକର ଟିକାକରଣ କରାଯାଇଛି । ଚିତାଗୁଡ଼ିକୁ ମୁକ୍ତ କରାଯିବା ପରେ ସେମାନଙ୍କ ବେକରେ ଲାଗିଥିବା ରେଡିଓ କଲାର୍ ଜରିଆରେ ଗତିବିଧି ସଂପର୍କରେ ଅବିରତ ସୂଚନା ମିଳିବ । ସାଟେଲାଇଟ୍ ମାଧ୍ୟମରେ ଏହାକୁ ମନିଟରିଂ କରିବାକୁ ପ୍ରତ୍ୟେକ ଚିତା ପିଛା ଗୋଟିଏ ଲେଖାଏଁ ଟିମ୍ ନିୟୋଜିତ ହୋଇଛନ୍ତି ।
ଚିତା ପ୍ରକଳ୍ପର ଇଏ ତ ଆରମ୍ଭ ମାତ୍ର । ଦେଶରେ ସେମାନଙ୍କ ବଂଶବୃଦ୍ଧି ପାଇଁ ମାଈ-ଅଣ୍ଡିରାକୁ ମିଶାଇ ଅତି କମ୍ରେ ୩୦ରୁ ୫୦ଟି ଚିତା ଆବଶ୍ୟକ । ସେଥିପାଇଁ ଚଳିତବର୍ଷ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଏବଂ ୫ ବର୍ଷ ଭିତରେ ମୋଟ୍ ୫୦ଟି ଚିତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର । ଏଥିପାଇଁ ପ୍ରାୟ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ ।